ଏକଦା ରାଜା ପୁସ୍ତକଟିଏ ରଚନା କରିବାପାଇଁ ସନ୍ଥ ଜିଲାନୀଙ୍କୁ ଦାୟିତ୍ୱ ଦେଇଥାନ୍ତି । ସେଥିଲାଗି ଖର୍ଚ୍ଚ ବାବଦକୁ ରାଜକୋଷରୁ କିଛି ଅର୍ଥ ବି ତାଙ୍କୁ ଦିଆଯାଇଥାଏ । ରାଜ୍ୟର ଜଣେ ପ୍ରମୁଖ ବିଦ୍ୱାନ ହିସାବରେ ପୁସ୍ତକ ରଚନାକୁ ଗୁରୁଦାୟିତ୍ୱ ମଣି ଜିଲାନୀ ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଲେ । ଏଥିପାଇଁ ନିରୋଳା ସମୟ କେବଳ ରାତ୍ରିସମୟ ହେବବୋଲି ଠିକ୍ କରି ପୁସ୍ତକ ରଚନା ସମୟ ନିର୍ଦ୍ଧାରଣ କରାଗଲା । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜିଲାନୀ ଜଣେ ପରୋପକାରୀ ସନ୍ଥ ହୋଇଥିବାରୁ ଦିନସାରା ଦୀନଦୁଃଖିଙ୍କ ସେବାରେ ସେ ବ୍ୟସ୍ତ ରହୁଥାନ୍ତି ।
ଆଜିକାଲି ଭଳି ସେତେବେଳେ ତ ଆଉ ବିଜୁଳି ବତିର ପ୍ରଚଳନ ନଥିଲା । ସୁତରାଂ ଯେତେ ବଡ ଲୋକ ହେଲେ ମଧ୍ୟ ରାତିରେ ତାକୁ ଦୀପ ଜଳାଇ କାର୍ଯ୍ୟ ସଂପାଦନ କରିବାକୁ ପଡୁଥାଏ । ସନ୍ଥ ଜିଲାନୀଙ୍କର ନିତ୍ୟବ୍ୟବହାର୍ଯ୍ୟ ଲାଗି ଗୋଟିଏ ଦୀପ ଥିଲା । ଏବେ ପୁସ୍ତକ ରଚନା ଭଳି ଏକ ରାଜ କାର୍ଯ୍ୟ ସଂପାଦନ ଲାଗି ଆଉ ଗୋଟିଏ ଦୀପ ଓ ତା’ ପାଇଁ ତେଲ ରାଜକୋଷରୁ ମିଳିଥିବା ପଇସାରୁ କିଣାଗଲା ।
ଏଣିକି ତାଙ୍କ ଘରେ ଦୁଇଟି ଦୀପ ଭିନ୍ନ ଭିନ୍ନ ସମୟରେ ଜଳିଲା । ଗୋଟିଏ ଜିଲାନୀଙ୍କର ବ୍ୟକ୍ତିଗତ କାର୍ଯ୍ୟପାଇଁ ଓ ଅନ୍ୟଟି ରାଜାଙ୍କ ପୁସ୍ତକ ରଚନା ପାଇଁ । ଏହା ଦେଖି ତାଙ୍କ ପାଖରେ ଥିବା ଶିଷ୍ୟମାନେ ବିସ୍ମିତ ହେଲେ । ପ୍ରତ୍ୟହ ରାତିରେ ଗୁରୁଙ୍କର ଏଭଳି କ୍ରିୟାକୁ ସେମାନେ ଲକ୍ଷ୍ୟ କରୁଥାଆନ୍ତି ସିନା, ମାତ୍ର ଏହାର ରହସ୍ୟ କ’ଣ ବୋଲି ସେମାନେ କିଛି ବି ବୁଝି ପାରନ୍ତି ନାହିଁ ।
ଅତ୍ୟନ୍ତ ଉତ୍ସୁକତାବଶତଃ ଦିନେ ଜଣେ ଶିଷ୍ୟ ପଚାରିଲା, “ଗୁରୁଦେବ! ଆପଣ ପ୍ରତ୍ୟହ ଦୁଇଟି ଦୀପ ଜଳାଉଛନ୍ତି । ଗୋଟିଏ ଦୀପରୁ ତେଲ ସରିନଥିଲେ ବି ତାକୁ ଲିଭାଇ ଅନ୍ୟ ଗୋଟିଏ ଲଗାଉଛନ୍ତି । ଏହାର କାରଣ କ’ଣ?”
ଏହାଶୁଣି ସେ ଜିଲାନୀ ହସି ହସି କହିଲେ, “ବତ୍ସ! ଏଥିରେ ବିଶେଷ କିଛି ରହସ୍ୟ ନାହିଁ । ଏହା ତ ଅତି ସାଧାରଣ, ମାମୁଲି ଘଟଣା । ମୁଁ ଯେତେବେଳେ ରାଜାଙ୍କ ଆଦେଶ ପାଳନ କରିବାକୁ ଯାଇ ପୁସ୍ତକ ରଚନା କରେ, ସେତେବେଳେ ରାଜକାର୍ଯ୍ୟ ସଂପାଦନ ଲାଗି ରାଜକୋଷରୁ କ୍ରୟ ତେଲରେ ଦୀପ ଜଳାଇ ବ୍ୟବହାର କରେ । ଆଉ ଯେତେବେଳେ ମୋର ନିଜ କାର୍ଯ୍ୟ ସଂପାଦନ କରେ ସେତେବେଳେ ମୁଁ ମୋର ନିଜସ୍ୱ ଆୟ ଅର୍ଥ ଦ୍ୱାରା କିଣା ତେଲର ଦୀପ ଜଳାଏ ।”
ଏହା ଶୁଣି ସେ ଶିଷ୍ୟ ଜଣକ ପୁନଶ୍ଚ ପ୍ରଶ୍ନ କଲେ, “ଆପଣ ନିଜ କାର୍ଯ୍ୟ ପାଇଁ ରାଜକୋଷ ଅର୍ଥରୁ କିଣାତେଲର ଦୀପ ବ୍ୟବହାର କଲେ କ୍ଷତି କ’ଣ? ରାଜା କ’ଣ ଏକଥା କେବେବି ଜାଣି ପାରିବେ?”
ଏହାଶୁଣି ଜିଲାନୀ କହିଲେ, “ହଁ, ବହୁତ କ୍ଷତି ଘଟିବ । ସେପରି କଲେ ମୁଁ ଭ୍ରଷ୍ଟାଚାରରେ ଲିପ୍ତ ହୋଇଗଲି ବୋଲି ଜାଣିବାକୁ ହେବ । ଯଦି ମୁଁ ଏ ଦେଶର ଧନକୁ ଅନଧିକାର ଭାବରେ ଅପବ୍ୟୟ କରିବି ତେବେ ନିଶ୍ଚିତରେ ଏହା ନିଜପ୍ରତି ତଥା ଦେଶ ଓ ଜନତାଙ୍କ ପ୍ରତି ବିଶ୍ୱାସଘାତକତା ସଦୃଶ ହେବ । ରାଷ୍ଟ୍ରର ଧନ ଯେତେ ନଗଣ୍ୟ ହେଉପଛକେ ତାକୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ଗୁରୁତର ରାଷ୍ଟ୍ରଦ୍ରୋହ ସହିତ ସମାନ ।”
ଶିଷ୍ୟ ଗୁରୁଙ୍କ ଠାରୁ ଏଭଳି ଉତ୍ତର ଶୁଣି ବିସ୍ମିତ ହେବା ସହିତ ନୀତିନିୟମ ପ୍ରତି ଗୁରୁଙ୍କର ଅଦ୍ଭୁତ ନିଷ୍ଠା ଥିବା ଜାଣି ଶ୍ରଦ୍ଧାରେ ମଥାନତ କଲେ ।
ବାସ୍ତବରେ ବିଚାର କଲେ ଏ କ’ଣ ସନ୍ଥ ଜିଲାନୀଙ୍କ ବଡପଣିଆ ନୁହେଁ?