ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ ।
ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ ସେଠାକୁ ଆସିଲେ । ରାଜାଙ୍କର ଏକ ଇଚ୍ଛା ଥିଲା ଯେ “ସର୍ବକଳା ସମ୍ମିଳନୀ” ନାମକ ଏକ ଉତ୍ସବ କରାହେବ । ସେଥିରେ ଅଂଶଗ୍ରହଣ କରିଥିବା କଳାକାରମାନେ ପୁରସ୍କୃତ ହେବେ । ସଞ୍ଜୟ ସେହି ବିଷୟରେ ଆଲୋଚନା କରିବାକୁ ଆସିଥିଲେ ।
ସେମାନଙ୍କ ଆଲୋଚନା ଶୁଣିବା ପରେ ରାଣୀ କହିଲେ, “ମୋର କାହିଁ ମନେହୁଏ ଯେ, ଏତେ ବଡ ସମ୍ମିଳନୀ କରିବା ଦ୍ୱାରା ଆପଣ ପ୍ରଜାଙ୍କ ଧନର ଦୁରୁପଯୋଗ କରୁଛନ୍ତି । ସେହି ପଇସା ସେମାନେ ବ୍ୟବସାୟ ବା ଚାଷ କରି ଅର୍ଜନ କରିଛନ୍ତି । କର ରୂପେ ଆପଣ ତାହା ସେମାନଙ୍କ ଠାରୁ ଆଦାୟ କରିଛନ୍ତି, ମୁଁ ଭାବୁଛି ସେମାନଙ୍କ ଦାରିଦ୍ର୍ୟମୋଚନ ଦିଗରେ ଯଦି ଅଧିକ କାମ କରନ୍ତେ ତ ଉତ୍ତମ ହୁଅନ୍ତା ।”
ଏକଥା ଶୁଣି ସଞ୍ଜୟର ମୁହଁ ହଠାତ୍ ଫିକା ପଡିଗଲା । ରାଜାଙ୍କୁ ଲାଗିଲା ଯେପରି ତାହାରହିଁ ଶିରଛେଦ କରାଗଲା । ଯେତେ ଶୀଘ୍ର ସମ୍ଭବ ସଞ୍ଜୟ ସେଠାରୁ ଚାଲିଗଲେ ।
ରାଜା ରାଣୀଙ୍କୁ କହିଲେ, “ଦେବୀ, ଭଗବାନ୍ଙ୍କ କୃପାରୁ ଆମ ରାଜ୍ୟର ପ୍ରଜାମାନଙ୍କର କୌଣସି ବି ଅଭାବ ନାହିଁ ।”
ତା’ପରେ ରାଜା କଳା ଉପରେ ଏକ ଦୀର୍ଘ ବକୃତା ଦେଲେ । ରାଣୀ କହିଲେ, “ପ୍ରଥମତଃ ମଣିଷର ଦରକାର ଘର, ଖାଦ୍ୟବସ୍ତ୍ର ।”
ରାଜା କହିଲେ, “ହଁ, ତୁମେ ଠିକ୍ କହିଛ । ମଣିଷକୁ ବଂଚିବା ପାଇଁ ଆହାର, ଗୃହ ଓ ବସ୍ତ୍ର ଦରକାର । କିନ୍ତୁ ସେଥିରେ କ’ଣ ମନୁଷ୍ୟ କେବେବି ସନ୍ତୁଷ୍ଟ ହୋଇ ରହିପାରେ?”
ସେତେବେଳେ ସେଠାରେ ବିଦୂଷକ ଆସି ପହଁଚିଲେ । ତାଙ୍କୁ ଏ ଦୁଇଜଣ ନିଜନିଜର କଥା ଶୁଣାଇଲେ ଓ ପଚାରିଲେ ପ୍ରକୃତରେ ସତ୍ୟ ଅସତ୍ୟ ବିଷୟରେ ତାଙ୍କର ମତ କ’ଣ?