ଏଠାରେ ଜାଣିରଖିବା ଉଚିତ୍ ହେବ ଯେ, ସଙ୍ଗୀତ ସାଧନା, ଆଧ୍ୟାତ୍ମିକ ସାଧନା ଏବଂ କ୍ରୀଡାରେ ସାର୍ଥକତା ପ୍ରଦର୍ଶନ ପାଇଁ ବହୁବର୍ଷର ଅଧ୍ୟବସାୟ ଶୃଙ୍ଖଳାର ସହିତ କରାଗଲେ ସଫଳତା ମିଳିଥାଏ, ଯାହା ବିସ୍ମିଲ୍ଲାଙ୍କୁ ମିଳିଥିଲା । ଏହାହିଁ ଆଜି ମାନବ ସମାଜ ପାଇଁ ଅନୁକରଣୀୟ ।
ସ୍ୱର୍ଗତ ବିସ୍ମିଲ୍ଲା ଖାଁଙ୍କର ଆଦର୍ଶ ଦେଶପ୍ରେମ ନୀତିଟି ମଧ୍ୟ ଆମ ସମାଜପାଇଁ ବେଶ୍ ଶିକ୍ଷଣୀୟ । ଏଥିଲାଗି ତାଙ୍କ ଜୀବନରେ ଘଟିଥିବା ଘଟଣାଟିଏ ।
ଥରେ ଆମେରିକାର ପୃଥିବୀ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଷ୍ଟାନ୍ଫୋର୍ଡଠାରେ ସାହାନାଇ ବାଦନ କରି ବିସ୍ମିଲ୍ଲା ଖାଁ ଦର୍ଶକମାନଙ୍କୁ ମନ୍ତ୍ରମଗ୍ଧ କରି ଦେଇଥିଲେ । ସୁତରାଂ ସେହି ବିଶ୍ୱବିଦ୍ୟାଳୟରେ ସଂଗୀତ ବିଭାଗରେ ପ୍ରଫେସର ଭାବରେ ଯୋଗ ଦେବାପାଇଁ ଠିକ୍ ତା’ ପର ଦିନ ନିମନ୍ତ୍ରଣ ଆସିଲା । ମାତ୍ର ସେ ଏଥିରେ ଅନିଚ୍ଛା ପ୍ରକାଶ କରିଥିଲେ ।
ବିସ୍ମିଲ୍ଲାଙ୍କୁ ଇଂରାଜୀ ଭାଷା ଜଣା ନ ଥିବାରୁ ସେ ହିନ୍ଦୀଭାଷାରେ ଚିଠି ଖଣ୍ଡିଏ ଲେଖି ଏହି ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାର କାରଣ ଥିଲା ସେ ନିଜ ଦେଶ ଇଣ୍ଡିଆ ଛାଡି ଅନ୍ୟ ଦେଶରେ ଶିକ୍ଷାଦାନ କରିବା ନିମନ୍ତେ ଆଦୌ ଆଗ୍ରହୀ ନଥିଲେ । ଏକଥା ଜଣାଇ ସେ ଏପ୍ରକାର ଉଚ୍ଚ ସମ୍ମାନକୁ ପାଦରେ ଠେଲି ଦେଇଥିଲେ । ଦାରିଦ୍ର୍ୟ, ସରଳତାରେ ଜୀବନ କଟାଇ ମଧ୍ୟ ସେ କେବେ ଧନ କି ସମ୍ମାନ ଚାହିଁ ନଥିଲେ । ଏହି ଘଟଣାରୁ ବିସ୍ମିଲ୍ଲାଜୀଙ୍କର ଅନାବିଳ ଦେଶପ୍ରେମ ଫୁଟିଉଠେ ।”