“ଆୟରଲ୍ୟାଣ୍ଡର ଘଟଣାଟି ଥିଲା ଚକିତ ଲାଗିବ ଶୁଣିଲେ କାନେ
ପୁରସ୍କାର ବିତରଣ ଚାଲିଥାଏ ଏକ ବିଦ୍ୟାଳୟ ପ୍ରାଙ୍ଗଣେ ଦିନେ ।
ଉତ୍ସବ ଶେଷରେ ଅତିଥି କହିଲେ ପିଲା ମଧ୍ୟେ ଯିଏ ଖରାପ ଅତି
ଖରାପ ନ ଭାବି ମୋ’ ପାଖକୁ ଆସି ପୁରସ୍କାର ନେଇଯାଅ ଝଟତି ।
ଶୁଣୁ ଶୁଣୁ ଏହା ଦୁଷ୍ଟ ପିଲାଟିଏ ଅତି ନିର୍ଭୟରେ ଚଢିଲା ମଂଚ
କହିଲା ସ୍କୁଲର ବଡ ଦୁଷ୍ଟ ମୁହିଁ କହୁ ନାହିଁ ଜମା ତିଳେ ହେଁ ମିଛ ।
ଅତିଥି କହିଲେ ଏହିଭଳି ସତ୍ୟ କହିଲେ ହୁଅନ୍ତି ବଡମଣିଷ
ସେଦିନର ସେହି ଦୁଷ୍ଟ ପିଲା ଥିଲେ ପ୍ରସିଦ୍ଧ ଲେଖକ ବର୍ଣ୍ଣାଡ’ଶ ।”
ଅନେକଦିନ ତଳର ସତ କଥାଟିଏ । ଆୟରଲ୍ୟାଣ୍ଡର ଏକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଉଥାଏ । ସେ ସଭାରେ ଛାତ୍ରଛାତ୍ରୀ, ଅଭିଭାବକ, ଦର୍ଶକ ଓ ଶିକ୍ଷକବୃନ୍ଦ ଉପସ୍ଥିତ ଥାଆନ୍ତି । ପାଠପଢା, ଖେଳ, ବକ୍ତୃତା, ଚିତ୍ରାଙ୍କନ, ଅଭିନୟ ଓ ସଂଗୀତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଉଥାଏ । ପୁରସ୍କାର ଜିତିଥିବା ପିଲାମାନଙ୍କୁ ଅଧିକ ଉତ୍ସାହିତ କରିବା ଲାଗି କରତାଳି ମାଡରେ ସେ ସଭାସ୍ଥଳ ଖାଲି ଉଛୁଳି ପଡୁଥାଏ ।