ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଶେଷ ହେଲା । ଏଥର କାହିଁକି କେଜାଣି ସେ ଉତ୍ସବର ମୁଖ୍ୟଅତିଥି ନିଜ ତରଫରୁ ଏକ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ । ଆଉ କହିଲେ, “ବିଦ୍ୟାଳୟର ସବୁଠାରୁ ଖରାପ ପିଲା ଆସି ଏହି ମଂଚ ଉପରୁ ଏ ସ୍ୱତନ୍ତ୍ର ପୁରସ୍କାର ଗ୍ରହଣ କରନ୍ତୁ ।”
ସେ ମୁଖ୍ୟ ଅତିଥିଙ୍କ ତୁଣ୍ଡରୁ ଏହି କଥା ପଦକ ସରିଛି କି ନାହିଁ, ହଠାତ୍ ଜଣେ ତୃତୀୟଶ୍ରେଣୀର ଛାତ୍ରଟିଏ ଦୌଡିଆସି ସେହି ମଂଚ ଉପରେ ଠିଆହୋଇଗଲା । ତା’ର ମନରେ ତିଳେ ହେଲେ ବି ଦୁଃଖ ନ ଥିଲା । ତା’ପରେ ସେ ମୁଖ୍ୟ ଅତିଥିଙ୍କୁ ଚାହିଁ ଅତି ନିର୍ଭୀକ ଭାବରେ କହିଲା, “ମହାଶୟ! ମୁଁ ଏ ବିଦ୍ୟାଳୟର ସବୁଠାରୁ ଖରାପ ପିଲା । ଭଲ ପାଠ ପଢେନି ବୋଲି ଶିକ୍ଷକ କି ସାଙ୍ଗସାଥୀ କେହି କେବେବି ମୋତେ ଆଦୌ ଭଲ ପାଆନ୍ତି ନାହିଁ । ଘରେ ବାପାମାଆ କି ଗୁରୁଜନଙ୍କ କଥା ମୁଁ ମୋଟେ ଶୁଣେନି । ଦୁଷ୍ଟାମିରେ ମୋତେ କେହି ମଧ୍ୟ ବଳେଇ ଯାଆନ୍ତି ନାହିଁ । ସୁତରାଂ ଖରାପ ପିଲା ହିସାବରେ ଏହି ପୁରସ୍କାର ପାଇବା ପାଇଁ କେବଳ ମୁଁ ହିଁ ହକ୍ଦାର ।”
ସେଦିନ ସେ ପିଲାଟିର ଏଭଳି ନିର୍ଭୀକତା ଓ ସତକଥା କହିବା ଗୁଣ ମୁଖ୍ୟ ଅତିଥିଙ୍କୁ ବେଶ୍ ଆକର୍ଷିତ କରିପାରିଥିଲା । ଫଳରେ ସେ ଅତି ଆନନ୍ଦରେ ପିଲାଟିକୁ କୁଣ୍ଢେଇ ପକାଇଲେ । ତା’ର ପିଠି ଆଉଁଶି ପୁରସ୍କାର ଦେବା ବେଳେ ସେ ମୁଖ୍ୟ ଅତିଥି କହିଲେ, “ତୁମେ ଖରାପ ପିଲା ହେଲେ କ’ଣ ହେଲା, ସତ କହିଛ । ଆଉ ଅତି ନିର୍ଭୀକ ଭାବରେ ତୁମର ମନକଥା କହିପାରୁଛ । ଏହି ଗୁଣମାନ ହେଉଛି ମଣିଷର ସବୁଠାରୁ ବଡ ଗୁଣ । ଏହାକୁ ପାଳନ କରୁଥିବା ପିଲା ଭବିଷ୍ୟତରେ ନିଶ୍ଚୟ ଜଣେ ଜଣେ ବଡମଣିଷ ହିଁ ହୁଅନ୍ତି ।”
ଏତିକି କହିସାରିଲା ପରେ ସେ ସଭାରେ ଉପସ୍ଥିତ ସମାବେଶକୁ ମୁଖ୍ୟ ଅତିଥି କହିଲେ, “ଆଜି ଏ ଉତ୍ସବରେ ଯେତେ ଭଲ ପିଲା ପୁରସ୍କାର ପାଇଲ । ଭବିଷ୍ୟତରେ ସମସ୍ତଙ୍କଠାରୁ ଆଜିର ଏ ଖରାପ ପିଲାଟି ହିଁ ନିଶ୍ଚୟ ଜଣେ ଭଲ ମଣିଷଟିଏ ହୋଇ ବାହାରିବ । କାରଣ କୌଣସି ପିଲା କେବେ ବି ନିଜକୁ ଖରାପ ବୋଲି କହିନଥାଏ । ମାତ୍ର ଆଜି ଏଇ ପିଲାଟି ନିଜେ ଖରାପ ବୋଲି ସ୍ୱୀକାର କରିଛି ।” ଏତିକି କହୁ କହୁ ସେ ସଭାସ୍ଥଳ କରତାଳି ମାଡରେ କମ୍ପି ଉଠିଲା, ଯେଉଁଠି ଭଲ ପିଲାଙ୍କ ପାଇଁ ଏତେ ଜୋର୍ରେ ବାଜି ନ ଥିଲା । ସେଦିନ ଏଇ ସଭାରୁ ପ୍ରେରଣା ପାଇ ପିଲାଟି ସବୁବେଳେ ଭଲ ହେବା ଲାଗି ଚେଷ୍ଟା କଲା ।
ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ସେଦିନର ସେଇ ମୁଖ୍ୟଅତିଥିଙ୍କ କଥା ଭବିଷ୍ୟତରେ ସତ ହେଲା । ସେଇ ପିଲାଟି ଏତେ ମାତ୍ରାରେ ଭଲ ହୋଇଗଲା ଯେ, ତାଙ୍କୁ ଚିହ୍ନିବା ଲାଗି ତାଙ୍କର ପୂରା ନାମ ଜାଣିବା କିଛି ବି ଦରକାର ହେଲାନି । ଜି.ବି.ଏସ୍. ବା ଜର୍ଜ ବର୍ଣ୍ଣାଡ’ଶ ନାମରେ ସେ ସାରା ବିଶ୍ୱରେ ପରିଚିତ ହୋଇଗଲେ । ସେ ଥିଲେ ବିଶ୍ୱବିଖ୍ୟାତ ଲେଖକ । ବିଶ୍ୱସାହିତ୍ୟକୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ତାଙ୍କୁ ନୋବେଲ୍ ପୁରସ୍କାର ମିଳିଥିଲା, ମାତ୍ର ସେ ଏହାକୁ ଗ୍ରହଣ କରିବା ପାଇଁ ମନାକରି ଦେଇଥିଲେ ।