ତେନାଲୀରାମାଙ୍କ ଏପ୍ରକାର କଥା ଶୁଣି ସମସ୍ତେ ହସି ଉଠିଲେ । ମନ୍ତ୍ରୀ ଥଟ୍ଟା କରି କହିଲେ– “ତେନାଲୀରାମାଙ୍କୁ ଅଧିକ ବୟସ ହେବାରୁ ବୋଧହୁଏ ସେ ରାତିରେ ଆଉ କିଛିବି ଦେଖିପାରୁ ନାହାଁନ୍ତି । ମହାରାଜ ମଧ୍ୟ ତେନାଲୀରାମାଙ୍କର କଥା ମୋଟେ ବୁଝିପାରିଲେ ନାହିଁ । ତାପରେ ତେନାଲୀରାମା ଭଲ ଭାବରେ ବୁଝାଇବାକୁ ଯାଇ କହିଲେ– “ମହାରାଜ ! ମାଟିର ଦୀପ ଜଳାଯିବ ନାହିଁ ଆମ ରାଜ୍ୟରେ ଯେଉଁ ସବୁ ଛୋଟ ଛୋଟ ଶିଶୁ ଅଛନ୍ତି ସେଇମାନଙ୍କର ହସ ଦୀପର ଉଜ୍ଜ୍ୱଳତା ଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ।”
ତହୁଁ ରାଜା କହିଲେ– “ ତେନାଲୀରାମା ଏହା ତ’ ବହୁତ ଭଲ କଥା । କିନ୍ତୁ ଦୀପାବଳୀର କାର୍ଯ୍ୟକ୍ରମ କ’ଣ ହେବ? ତାପରେ ତେନାଲୀରାମା କହିଲେ – ମହାରାଜ ଏହି ବର୍ଷ ଦୀପାବଳୀ ଅବସରରେ ଶିଶୁ ମେଳାର ଆୟୋଜନ କରନ୍ତୁ । ଯେଉଁଠାରେ ଶିଶୁମାନେ ଦିନସାରା ଖେଳକୁଦ କରିବେ, ପ୍ରତିଯୋଗୀତାରେ ମଧ୍ୟ ଭାଗ ନେବେ । ଏହି ମେଳାର ଆୟୋଜନ ଯିଏ କରିବେ ସେମାନେ ମଧ୍ୟ ଶିଶୁ ହେବା ଏକାନ୍ତ ଆବଶ୍ୟକ । ବଡମାନେ ମଧ୍ୟ ସେହି ମେଳାକୁ ଯିବେ କିନ୍ତୁ ବଡ ହୋଇ ନୁହେଁ । ସେମାନଙ୍କୁ ମଧ୍ୟ ଶିଶୁ ହେବାକୁ ପଡିବ । ଶିଶୁମାନଙ୍କର କୌଣସି କଥାରେ ସେମାନେ ଆଦୌ ଦଖଲ ଦେବେ ନାହିଁ । ଶିଶୁ ମାନଙ୍କ ମଧ୍ୟରୁ ଯିଏ ପ୍ରଥମ ହେବ ତାକୁ ପୁରସ୍କାର ପ୍ରଦାନ କରାଯିବ ।” ଏହା କହି ତେନାଲୀରାମା ତାଙ୍କର ବକ୍ତବ୍ୟ ଶେଷ କଲେ ।
ରାଜା କହିଲେ – “ତାହେଲେ ଆମ ରାଜ୍ୟରେ ସବୁଠାରୁ ବଡ ଶିଶୁ କିଏ?” ତେନାଲୀରାମା ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ – ବଡ ଶିଶୁ ତ’ ଆପଣ ଅଟନ୍ତି ମହାରାଜ । ଶିଶୁମାନଙ୍କ ପରି ନିର୍ମଳ ସ୍ୱଭାବ ଆପଣଙ୍କୁ ବାଦ୍ ଦେଲେ ଆଉ କାହାଠାରେ ଅଛି?” ଏହି କଥା ତେନାଲୀରାମା ହସି ହସି କହିଲେ ।
ଏହି କଥା ଶୁଣି ସେ ରାଜ ଦରବାରରେ ସମସ୍ତେ ଖାଲି ହସିବାକୁ ଲାଗିଲେ । ଦୀପାବଳୀ ଆସିଗଲା । ଏଣେ ଶିଶୁମେଳା ଖୁବ୍ ଧୂମ୍ଧାମ୍ରେ ଆୟୋଜନ କରାଗଲା । ଶିଶୁମାନଙ୍କ ମନରେ ଆନନ୍ଦ ଦେଖି ରାଜାଙ୍କର ଆଉ ଖୁସିର ସୀମା ରହିଲା ନାହିଁ ।