କଥାଟା ସୃଷ୍ଟି ସର୍ଜନା ବେଳର । ସେତେବେଳେ ସାପ ଓ ମଣିଷ ଭିତରେ ପ୍ରଗାଢ ବନ୍ଧୁତ୍ୱ ରହିଥିଲା । କେହି କାହାକୁ ନ ଦେଖିଲେ ଦଣ୍ଡେ ରହିପାରୁ ନ ଥିଲେ । ସୃଷ୍ଟି ଆରମ୍ଭରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଜିନିଷ ବାଂଟିଲେ । ତହୁଁ ପ୍ରାଣୀମାନେ ପହଁଚି ନିଜ ନିଜକୁ ସୁହାଇଲା ଭଳି ଦ୍ରବ୍ୟ ମାଗିନେଲେ ।
ବଂଟାବଂଟି ଶେଷ ହେଲା ବେଳକୁ ମଣିଷ ଓ ସାପ ସାଙ୍ଗ ହୋଇ ପହଁଚିଲେ । ହେଲେ ସେତେବେଳକୁ ଭଗବାନଙ୍କ ପାଖରେ ବୁଦ୍ଧି ଓ ସାହସ – ଏହି ଦୁଇଗୁଣ କେବଳ ରହିଥିଲା ।
ଏଥର ଭଗବାନଙ୍କ ବିଚାରରେ ମଣିଷକୁ ‘ବୁଦ୍ଧି’ ଓ ସାପକୁ ‘ସାହସ’ ଗୁଣ ମିଳିଗଲା । ମାତ୍ର ସାପଟି ଅତି ସରଳ ପ୍ରକୃତିର ଥିଲା । ଏବେ ତା’ର ବନ୍ଧୁ ମଣିଷ ପାଇଁ ଅଭିଯୋଗ ଉଠାଇ ସାପ କହିଲା, “ଆପଣ ନିଜ ଚେହେରା ପରି ମଣିଷକୁ ସୃଷ୍ଟି କରିଥିବାରୁ ଆମେ ସାପ ଜାତି ମଣିଷମାନେ ଭଗବାନଙ୍କ ପ୍ରତିରୂପ ଭାବି ଜୀବନ୍ତ ଭଗବାନ ବୋଲି ବିଶ୍ୱାସ କରୁଛୁ । ସୁତରାଂ ଆପଣ ମଣିଷଙ୍କୁ ବୁଦ୍ଧି ସିନା ଦେଲେ, ସାହସ ତ ଦେଲେ ନାହିଁ । ବନ୍ଧୁ ହିସାବରେ ସେମାନେ ଆମକୁ ବିପଦରୁ ରକ୍ଷା କରିବେ କିପରି? ତେଣୁ ଆମଠାରୁ ସାହସ ନେଇ ମଣିଷକୁ ଦିଆଯାଉ । ଆମ ପାଖରେ ସାହସ କ’ଣ ଲୋଡା ଯେ? ଆମେ ତ ଆମର ବନ୍ଧୁ ମଣିଷ ଖୁସି ରହିଲେ ଆମେ ଖୁସିହେବୁ ।”