ରାଣୀଙ୍କୁ କିନ୍ତୁ କେହି ମଧ୍ୟ ସାନ୍ତ୍ୱନା ଦେଇ ପାରିଲେ ନାହିଁ । ସେ କାନ୍ଦି କାନ୍ଦି କହିଲେ, “ମୁଁ ଆଉ ମୁହୂର୍ତ୍ତେ ମଧ୍ୟ ଏଠାରେ ରହିବି ନାହିଁ । ମୋ ଭାଇ ପାଖକୁ ମୁଁ ଚାଲିଯିବି ।”
ରାଜା, ମନ୍ତ୍ରୀ ଓ ପାତ୍ରମିତ୍ରମାନେ ରାଣୀଙ୍କ ମତ ବଦଳାଇଦେବା ପାଇଁ ବହୁତ ଚେଷ୍ଟା କଲେ । କିନ୍ତୁ ରାଣୀ ଆଦୌ କାହାରିବି କଥା ଶୁଣିଲେ ନାହିଁ । ଅଗତ୍ୟା ରାଣୀଙ୍କୁ ତାଙ୍କ ଭାଇଙ୍କ ଘରକୁ ପଠାଇବାର ସବୁ ବ୍ୟବସ୍ଥା ହେଲା । ସମୁଦ୍ର ସେପାରି ଏକ ସୁଦୂର ରାଇଜରେ ରାଣୀଙ୍କ ଭାଇ ରାଜୁତି କରନ୍ତି । ସେଠାକୁ ଯିବା ତ ମୋଟେ ସହଜ ନୁହେଁ । ରାଜାଙ୍କ ବରାଦରେ ଏକ ବଡ ଧରଣର ବିଳାସପୂର୍ଣ୍ଣ ଜାହାଜ ତିଆରି ହେଲା । ଦୀର୍ଘ ଜଳ ପଥରେ ରାଣୀଙ୍କ ସେବା ପାଇଁ ବଛା ବଛା କେତେଜଣ ପରିଚାରକ ପରିଚାରିକା ତାଙ୍କ ସାଥିରେ ଗଲେ । ଜାହାଜର ଚାଳକ ଓ କର୍ମଚାରୀମାନଙ୍କୁ ରାଜା କହିଲେ ଯେ ସେମାନେ ସୁରୁଖୁରୁରେ ରାଣୀ ମୀନାକ୍ଷିଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇଦେଇ ଆସିଲେ ଥଳି ଥଳି ସୁନା ପୁରସ୍କାର ସ୍ୱରୂପ ପାଇବେ ।
ଭଲରେ ଭଲରେ ଯାତ୍ରା ଆରମ୍ଭ ହେଲା । ମୃଦୁ ସାମୁଦ୍ରିକ ମଳୟରେ ରାଣୀଙ୍କ ବିରକ୍ତି ଅପନୋଦନ ହେଲା । ତାଙ୍କ ମୁହଁରେ ପୁଣି ହସ ଫୁଟିଉଠିଲା । କିନ୍ତୁ ଠିକ୍ ତା’ପରଦିନ ସେ ସମୂଦ୍ରରେ ଭୟଙ୍କର ତୋଫାନ୍ ହେଲା । ଯଦ୍ୱାରା ସେ ଜାହାଜଟି ବୁଡିଗଲା । ପ୍ରାଣ ବିକଳରେ ସଭିଏଁ ପାଣିଭିତରକୁ ଡେଇଁପଡିଲେ । ରାଣୀ ଖଣ୍ଡିଏ କାଠପଟା ଉପରେ ଭରାଦେଇ କୌଣସି ମତେ ବଂଚିଗଲେ । ଘଂଟା ଘଂଟା ଧରି ପାଣିରେ ଭାସିରହି ସେ ଯାଇ ଗୋଟିଏ ଅଜଣା ରାଇଜରେ ଲାଗିଲେ । କୂଳକୁ ଉଠିବା ବେଳକୁ ତାଙ୍କ ଦେହରେ ଆଉ ବଳ ନ ଥାଏ । ଅଦୂରରେ କୁଡିଆଟିଏ ଦେଖିପାରି ସେ ବହୁ କଷ୍ଟରେ ସେଠାରେ ଯାଇ ପହଁଚିଲେ ।
ସେ କୁଡିଆରେ ବୁଢା ବୁଢୀ ଦୁଇଜଣ ରହୁଥିଲେ । ମୀନାକ୍ଷି ସେ ଦୁହିଁଙ୍କ ଆଗରେ ତାଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କଲେ । କିନ୍ତୁ ସେ ଜଣେ ରାଣୀ ବୋଲି ଯମାରୁ କହିଲେ ନାହିଁ ।
ବୁଢା ବୁଢୀ ସେ ରାଣୀଙ୍କୁ ଖାଇବାକୁ ପିଇବାକୁ ଦେଇ କହିଲେ, “ଯେତେଦିନ ଇଚ୍ଛା ତୁମେ ଆମ ପାଖରେ ରହିପାର । ଆମର ତ ଆସି ବୟସ ହେଲାଣି । ତୁମ ଭଳି ଜଣେ ଝିଅର ସେବା ଆମର ଖୁବ୍ ଦରକାର ।”
ସେ ବୁଢା ବୁଢୀଙ୍କର ଅଥର୍ବ ଅବସ୍ଥା ଦେଖି ମୀନାକ୍ଷି ନିଜେ ମେହେନତ କରି ସେମାନଙ୍କୁ କିଛିଟା ସାହାଯ୍ୟ କରିବାକୁ ସ୍ଥିର କଲେ । ପାଖରେ ଗୋଟିଏ ନଦୀ ଉପରେ ପୋଲ ତିଆରି ହେଉଥିଲା । ସେଠାରେ ଶହ ଶହ ସ୍ତ୍ରୀ ପୁରୁଷ କାମ କରୁଥିଲେ । ମୀନାକ୍ଷି ଯାଇ ସେଠାରେ କାମକରି କିଛି ଉପାର୍ଜନ କରିବାକୁ ଠିକ୍ କଲେ । କିନ୍ତୁ ଦିନେ କୋମଳ ମଲ୍ଲି ଶଯ୍ୟାରେ ଶୋଇ ମଧ୍ୟ ତାଙ୍କର ନିଦ ହେଉ ନ ଥିଲା । ଆଜି ସେ ଏତେ ପରିଶ୍ରମ କରିପାରିବେ ତ? ଏକଥା ଭାବି ସେ କାନ୍ଦିଲେ । କିନ୍ତୁ ସେତେବେଳେ ତାଙ୍କ ନିକଟରେ ଆଉ ଅନ୍ୟ କିଛି ହେଲେ ବି ଉପାୟ ନ ଥିଲା । ସେ ଅନ୍ୟମାନଙ୍କ ସାଥିରେ ମିଶି କାମ କରିବାକୁ ଲାଗିଲେ । ପ୍ରତିଦିନ ଯାହା ମଜୁରି ମିଳେ ସେଥିରେ ସେ ବୁଢା ବୁଢୀ ଓ ନିଜ ପାଇଁ ଖାଦ୍ୟଦ୍ରବ୍ୟ ତଥା ଲୁଗାପଟା କିଣନ୍ତି । ଅବଶ୍ୟ ଲୁଗାପଟା ଓ ଖାଇବା ପିଇବାରେ ତାଙ୍କୁ ସବୁଠୁ ଗରୀବ ଭାବରେ ଚଳିବାକୁ ପଡୁଥିଲା । କିନ୍ତୁ ସେ ବିଷୟରେ ତାଙ୍କର ଆଉ କୌଣସି ଅଭିଯୋଗ ନଥିଲା । ଚଟାଣ ଉପରେ ସପଟାଏ ପାରି ସେ ଶୋଉଥିଲେ । ଦିନସାରା ଖଟିବା ପରେ ତାଙ୍କୁ ଏଡେ କ୍ଳାନ୍ତ ଲାଗୁଥିଲା ଯେ ମୁଣ୍ଡ ତକିଆରେ ନ ଟେକୁଣୁ ତାଙ୍କୁ ନିଦ ମାଡି ଆସୁଥିଲା ।
ଦିନେ ସେ ରାଜ୍ୟର ରାଜା ପୋଲକାମ ଦେଖିବାକୁ ଆସିଲେ । ସଞ୍ଜବେଳକୁ ଯେତେବେଳେ ଲୋକଙ୍କୁ ମଜୁରି ଦେବା ସମୟ ଆସିଲା, ସେତେବେଳେ ରାଜା ନିଜ ହାତରେ ମଜୁରି ଦେବାକୁ ଇଚ୍ଛା କଲେ ।
ଜଣ ଜଣ କରି ରାଜାଙ୍କ ହାତରୁ ପଇସା ନେଉଥା’ନ୍ତି । ଯେତେବେଳେ ମୀନାକ୍ଷି ଆସି ତାଙ୍କ ଆଗରେ ଛିଡା ହେଲେ, ସେତେବେଳେ ରାଜା ବିସ୍ମୟରେ ଆଖି ବଡ ବଡ କରି ତାଙ୍କ ଆଡକୁ ଅନାଇ ରହିଲେ । ଯେତେ ଛିଣ୍ଡା ଲୁଗା ପିନ୍ଧିଲେ ବି ସେ ନିଜ ଭଉଣୀକୁ କିପରି ବା ନ ଚିହ୍ନନ୍ତେ?
ରାଜା ଉଠିପଡି ଭଉଣୀକୁ କୁଣ୍ଢାଇ ପକାଇଲେ । ଉଭୟଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ସମସ୍ତେ ଭାବିଥିଲେ ଯେ ଜାହାଜ ଡୁବିରେ ରାଣୀ ମୀନାକ୍ଷି ମରିଯାଇଛନ୍ତି । ବର୍ତ୍ତମାନ ସମସ୍ତଙ୍କ ଆନନ୍ଦ କଥା କହିଲେ ନ ସରେ । ରାଜା କହିଲେ, “ଭଉଣୀ! ତୁ କେତେ ଦୁଃଖ କଷ୍ଟ ନ ସହି ଥିବୁ! ତୋ ଛିଣ୍ଡାଲୁଗା, ଦୁର୍ବଳ ଦେହକୁ ଅନାଇ ମୋ ଛାତି ସତେ ଯେମିତି ଫାଟି ଯାଉଛି!”
ରାଣୀ ହସି ହସି କହିଲେ, “ଭାଇ! ଦୁଃଖ ପାଇବା ତ ବହୁତ ଦୂରର କଥା, ବରଂ ଏହାଦ୍ୱାରା ମୋର ବହୁତ ଲାଭ ହୋଇଛି । ରାଣୀ ରୂପେ ସମସ୍ତ ସୁଖ ସମ୍ଭୋଗ ଭିତରେ ଥାଇ ବି ମୁଁ ସୁଖ କ’ଣ ଆଦୌ ଜାଣିପାରୁ ନ ଥିଲି । କୋମଳତମ ଶେଯରେ ବି ମୋତେ ଠିକ୍ସେ ନିଦ ହେଉ ନଥିଲା । ମୋ ସ୍ୱାମୀ ମୋତେ ସୁଖୀ କରିବା ପାଇଁ କ’ଣ କ’ଣ ସବୁ ନ କରିଛନ୍ତି? କିନ୍ତୁ କେଉଁଥିରେବି ମୋର ଆନନ୍ଦ ନ ଥିଲା । ହେଲେ ବର୍ତ୍ତମାନ ମୁଁ ଜାଣିଛି, ଲୋକେ କିଭଳି ଜୀବନ-ସଂଗ୍ରାମ ଭିତରେ ଦିନ କାଟୁଛନ୍ତି । ଭାଗ୍ୟ ଚକ୍ରରେ ପଡି ମୁଁ ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାମ କରିଛି । ଯେତିକି କଠିନ କାମ କରିଛି, ସେତିକି ଗଭୀର ନିଦ ବି ମୁଁ ଉପଭୋଗ କରିଛି । ଫୁଲ ଶେଯ ଲୋଡିନାହିଁ । ସପହିଁ ଯଥେଷ୍ଟ ହୋଇଛି ।”
ରାଜା ତାଙ୍କ ଭିଣୋଇଙ୍କ ପାଖକୁ ଭଉଣୀ ବଂଚିଥିବା ଖବର ତୁରନ୍ତ ପଠାଇଦେଲେ । ମୀନାକ୍ଷିଙ୍କ ସ୍ୱାମୀ ଏହି ଖବର ପାଇବା ମାତ୍ରେ ଜାହାଜ ବୋଝେଇ ନାନାଦି ଉପହାର ସାମଗ୍ରୀମାନ ଧରି ସେ ରାଇଜରେ ଆସି ପହଁଚିଲେ । ସେ ଭାବିଥିଲେ, ଏଇସବୁ ଉପହାର ସାମଗ୍ରୀମାନ ଦେଖିଲେ ତେବେ ଯାଇ ମୀନାକ୍ଷିଙ୍କ ମୁହଁରେ ହସ ଫୁଟିବ । କିନ୍ତୁ ସେ ଦେଖି ଆଶ୍ଚର୍ଯ୍ୟ ହେଲେ, ମୀନାକ୍ଷି ପୂର୍ବାପେକ୍ଷା ବହୁତ ଅଧିକ ସୁନ୍ଦର ଦେଖାଯାଉଛନ୍ତି; ତାଙ୍କ ମୁହଁରେ ଶାନ୍ତି ଓ ସନ୍ତୋଷର ଚିହ୍ନ । ଯେଉଁ ବିରକ୍ତି ଭାବକୁ ରାଜା ଡରୁଥିଲେ, ଅଥଚ ସବୁଦିନେ ସକାଳେ ଦେଖିବାରେ ଅଭ୍ୟସ୍ତ ହୋଇପଡିଥିଲେ, ସେ ଭାବ ପୂରା ପୂରି ଉଭେଇ ଯାଇଥିଲା ।
ରାଜା କହିଲେ, “ତୁମେ ଆଜିକାଲି ଖୁବ୍ ଭଲ ଶୋଇଛ ନିଶ୍ଚୟ । ତୁମ ଭାଇ ତେବେ ତୁମପାଇଁ ଉପଯୁକ୍ତ ଶେଯର ସନ୍ଧାନ ପାଇଛନ୍ତି । ସେ ଅପୂର୍ବ ଶେଯ କେଉଁଥିରେ ତିଆରି?”
ମୀନାକ୍ଷି କହିଲେ, “ଖାଲି ଚଟାଣରେ ଖଣ୍ଡିଏ ସପ ପାରି ମୁଁ ଆଜିକାଲି ଶୋଇ ପଡେ ।”