ଥରେ ବାଘକୁ କିଏ କହିଲା ଯେ, ତାର ପାଟି ବହୁତ ଗନ୍ଧ ହେଉଛି । ବାଘ ଏଥିରେ ବହୁତ ରାଗିଗଲା । ତା’ପରେ ସେ ବାଘ ମେଣ୍ଢାକୁ ଡାକି ପଚାରିଲା, “ତୁ କହିଲୁ ମୋର ପାଟି କ’ଣ ଗନ୍ଧ ହେଉଛି?” ମେଣ୍ଡା ଭାବିଲା ବାଘ ବୋଧେ ପ୍ରକୃତରେ ସତ କଥା ହିଁ ଜାଣିବାକୁ ଚାହୁଁଛି । ତେଣୁ ସେ ମେଣ୍ଢା ବାଘର ପାଟି ଶୁଙ୍ଘି କରି ସତକଥା କହିଲା, “ହଁ ଗନ୍ଧ ହେଉଛି” । ବାଘ ଏଥିରେ ରାଗିଯାଇ ସେ ମେଣ୍ଢାକୁ ମାରିଦେଲା ।
ତାପରେ ବାଘ ଛେଳିକୁ ଡାକି ପଚାରିଲା । ହେଲେ ଛେଳି ବାଘକୁ ଖୁସି କରିବାକୁ ଯାଇ କହିଲା, “ନାଁ ଗନ୍ଧ ତ ମୋଟେ ହେଉ ନାହିଁ । ପ୍ରକୃତରେ ମୁହଁ ଆପଣଙ୍କର ତ ଖାଲି ବାସୁଛି ।” କିନ୍ତୁ ବାଘ ଠିକ୍ ଜାଣି ପାରିଲା ଯେ, ଛେଳି ତାକୁ ଖୁସି କରିବାକୁ ଖୋସାମତି କରୁଛି । ତେଣୁ ସେ ବାଘ ଛେଳିକୁ ମଧ୍ୟ ମାରିଦେଲା ।
ତାପରେ ସେ ବାଘ ବିଲୁଆକୁ ଡାକି ପଚାରିଲା । ବିଲୁଆ ଦେଖିଲା, ମେଣ୍ଢା ଓ ଛେଳି ତ ମରିପଡିଛନ୍ତି । ସେ ଏଥିରେ ବିପଦ ଅଛି ବୋଲି ଜାଣିପାରି କହିଲା, “ମୋତେ ତ ବହୁତ ଥଣ୍ଡା ଧରିଛି, ତେଣୁ ମୋର ନାକ ବନ୍ଦ । ଫଳରେ ମୁଁ କିଛିବି ଜାଣିପାରୁନାହିଁ, ଆପଣଙ୍କ ମୁହଁ ଗନ୍ଧ ହେଉଛି କି ନାହିଁ ।”
ସମୟ ଦେଖି ବେଳେ ବେଳେ ଚୁପ୍ ରହିବାଟା ହିଁ ସବୁଠୁ ଭଲ ।