ଏକଥା ଶୁଣି ବିଦ୍ୟାସାଗର ତାଙ୍କ ବନ୍ଧୁଙ୍କ ମୁହଁକୁ କ୍ଷଣିକପାଇଁ ଚାହିଁଲେ ଓ କହିଲେ, “ଠିକ୍ ଅଛି । ସେ ଜଣେ ଚାକର ହୋଇପାରନ୍ତି, କିନ୍ତୁ ସେ ତ ଜଣେ ମଣିଷ ।”
ତା’ପରେ ବିଦ୍ୟାସାଗର ତାଙ୍କ ବାଲ୍ୟକାଳର ଏକ ଘଟଣା ବନ୍ଧୁଙ୍କ ଆଗରେ ପ୍ରକାଶ କଲେ । ସେ କହିଲେ, “ମୋର ପିତା ଥରେ ବଜାରରେ ବୁଲୁଥିବା ବେଳେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇ ହେବାରୁ ସେ ତଳେ ପଡିଗଲେ । ଗ୍ରୀଷ୍ମଋତୁର ପ୍ରବଳ ଗରମରେ ହଂସା ଉଡି ଯାଉଥାଏ । କିଛି ଦୂରରେ ଥିବା ଏକ ବୁଲା ବିକାଳି ବାପାଙ୍କର ପଡିଯିବା ଦେଖି ଦୌଡି ଆସିଲା । ତା’ ପାଖରେ ଥିବା ପାଣି ଆଣି ମୋ ପିତାଙ୍କ ମୁହଁକୁ ସେ ଛାଟି ଦେଲା ଓ ପଙ୍ଖାରେ ବିଂଚିବାକୁ ଲାଗିଲା । କିଛି ସମୟ ପରେ ପିତାଙ୍କର ଚେତା ଫେରିଲା ଓ ସୁସ୍ଥ ହୋଇ ସେ ଠିଆ ହେଲେ । ତା’ପରେ ସେବାକାରୀଙ୍କୁ ଧନ୍ୟବାଦ ଦେଇ ଧୀରେ ଧୀରେ ଚାଲି ସେ ଘରକୁ ଫେରିଲେ ।”
ଏଠାରେ କେବଳ ଏତିକି ମନେରଖିବାକୁ ହେବ ଯେ, ବୁଲାବିକାଳି ପିତାଙ୍କର ଏଭଳି ଅବସ୍ଥା ଦେଖି ତା’ର ବ୍ୟବସାୟ ଛାଡି, ଏପରିକି ବ୍ୟବସାୟଲବ୍ଧ ଓ ଜିନିଷପତ୍ରକୁ ଛାଡି ପିତାଙ୍କର ସେବାରେ ଲାଗି ଯାଇଥିବାରୁ ହୁଏତ ତାଙ୍କର ଜୀବନରକ୍ଷା ହୋଇଗଲା । ପିତାଙ୍କ ସହିତ ସେ ବୁଲା ବିକାଳିର ଆଦୌ କୌଣସି ସମ୍ପର୍କ ନ ଥିଲା । ସେହି ଅପରିଚିତ ବୁଲା ବିକାଳି ଜଣେ ସାମାନ୍ୟ ମଣିଷ ହେଲେ ମଧ୍ୟ ତାଙ୍କର ହୃଦୟ ଅତି ବିଶାଳ ଥିଲା । କାରଣ ସେହି ବ୍ୟକ୍ତିଜଣକ ସେବା କରିବାକୁ ଆସିଲାବେଳେ ପରିଚିତ-ଅପରିଚିତ, ଉଚ୍ଚ-ନୀଚ, ମଣିଷ-ଅମଣିଷ – ଏଇଭଳି ଭାବନା ନେଇ ଆସି ନ ଥିଲେ । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା, ସେବା ଚାହୁଁଥିବା ବ୍ୟକ୍ତିର ସେବା କରିବା ।
ମୁଁ ବାଳକ ଥିବାବେଳେ ମୋର ପିତା ମୋତେ ଏହି କଥା କହିଥିଲେ । ତେଣୁ ମୁଁ ପିଲାଦିନୁ ଏହି କଥାରେ ହିଁ ପ୍ରଭାବିତ ହୋଇଛି । ମୋ ମତରେ ସେବା ଯୋଗାଇ ଦେବାରେ ଉଚ୍ଚ-ନୀଚ, ବୃଦ୍ଧ ରୋଗୀ ଆଦିର କୌଣସି ବାଛବିଚାର ନାହିଁ । ମଣିଷ ମଣିଷଠାରୁ ହିଁ ସେବା ଆଶା କରେ, ପଶୁଠାରୁ ନୁହେଁ । ଏଥିରେ ଛୋଟ-ବଡ, ଧନୀ-ଗରିବ, ଉଚ୍ଚ-ନୀଚର ଭେଦ ଆସିଲା ବା କେଉଁଠୁ? ତେଣୁ ମୁଁ ସବୁ ମଣିଷଙ୍କୁ ସମାନ ମଣୁଛି ଏବଂ ତାଙ୍କର ସେବା କରୁଛି ।
ସୁତରାଂ କୁହାଯାଇଛି –
“ସେବା କରିବାକୁ ଚାହୁଁଥିଲେ ସଦା କରୁଥାଅ ଦେଖି ପୀଡିତ ଜନେ
ନୀଚ ଜାତି ଅବା ବୃଦ୍ଧ ରୋଗୀ ବୋଲି ନ ନିଅ କଦାପି ଆପଣା ମନେ ।”