ଖେଳପଡିଆରେ ପିଲାଙ୍କର ଭିଡ ଜମିଲାଣି । ମାତ୍ର ଦୂରଦୂରାନ୍ତ ବିଦ୍ୟାଳୟରୁ ପିଲା ପହଁଚିପାରି ନ ଥାନ୍ତି । ଫଳରେ ଏହାର ଆୟୋଜକ ଶିକ୍ଷକମାନଙ୍କର ବ୍ୟସ୍ତତା ବଢି ଚାଲିଥାଏ । ସେମାନେ ମନେ ମନେ ଭାବୁଥାନ୍ତି, ସମୟ ତ ହୋଇଗଲାଣି । କେତେବେଳେ ଯେ ମୁଖ୍ୟମନ୍ତ୍ରୀ ଆସି ଏଠାରେ ପହଁଚିଯିବେ ସେକଥା କିଏ କହିବ?
ସତକୁ ସତ ଠିକ୍ ସେତିକିବେଳେ ଏକ ପୋଲିସ୍ ଗାଡି ସାଇରନ୍ ବଜାଇ ସେ ସ୍କୁଲର ହତା ଭିତରକୁ ମାଡି ଆସିଲା । ତା’ ପଛେ ପଛେ ନାଲିଆବତୀଲଗା ମୁଖ୍ୟମନ୍ତ୍ରୀଙ୍କ ଗାଡି । ଏସବୁ ଦେଖି କର୍ମକର୍ତ୍ତାମାନେ ଦଉଡି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଲେ ସଭାମଂଚ ଉପରକୁ । ପଡିଆରେ ପିଲାମାନେ ଖୁସିରେ ଖେଳକୁଦ କରୁଥାନ୍ତି । ମହତାବ ବି ଏ ଦୃଶ୍ୟ ଅତ୍ୟନ୍ତ ଆନନ୍ଦରେ ଉପଭୋଗ କରୁଥାନ୍ତି ।
ଚାହୁଁଚାହୁଁ ଏକ ବିଦ୍ୟାଳୟର ପିଲାମାନେ ଧାଡିବାନ୍ଧି ନିଜ ବିଦ୍ୟାଳୟର ପତାକା ଧରି ପଡିଆ ଭିତରକୁ ପଶିଲେ । ଏତିକିବେଳେ ମହତାବ ଦେଖିଲେ କର୍ମକର୍ତ୍ତାମାନେ ଖୁବ୍ ବ୍ୟସ୍ତତା ଭିତରେ ଅଛନ୍ତି । ସେ କର୍ମକର୍ତ୍ତାଙ୍କୁ ପ୍ରଶ୍ନ କଲେ, “ଉଦ୍ଘାଟନୀ ଉତ୍ସବ କେତେବେଳେ ଆରମ୍ଭ କରିବା?”
ଏକଥା ଶୁଣି କର୍ମକର୍ତ୍ତାଙ୍କ ମୁହଁ ହଠାତ୍ ଶୁଖିଗଲା । ସେମାନେ କହିଲେ, “ସାର୍! କିଛି ସ୍କୁଲପିଲା ଏପର୍ଯ୍ୟନ୍ତ ଆସି ନାହାଁନ୍ତି । ହେଲେ ସେମାନଙ୍କୁ ଛାଡି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ କିଛି ବି ଅସୁବିଧା ହେବ ନାହିଁ । ସେମାନେ ପଛରେ ଆସି ଯୋଗ ଦେଲେ ବି ଚଳିବ ।”
ଏଥର ମହତାବ ହସି ହସି କହିଲେ, “ନା, ଆମେ ସମସ୍ତ ପିଲା ଆସିଲା ଯାଏଁ ଅପେକ୍ଷା କରିବା । ଆଜି ତ ଶିଶୁଉତ୍ସବ, ଯାହା କି ପିଲାଙ୍କର ଦିନ । ତାଙ୍କ ପାଇଁ ସିନା ଏତେବଡ କାର୍ଯ୍ୟକ୍ରମର ଆୟୋଜନ । ସୁତରାଂ ଆମେ ସେମାନଙ୍କୁ ବାଦ୍ ଦେବା କିପରି?” ଟିକିଏ ଅପେକ୍ଷା କରିଯିବା । ସେମାନେ ଆସିଗଲେ କାର୍ଯ୍ୟକ୍ରମ ଆରମ୍ଭ କରିବା ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି କଥା ଶୁଣି କର୍ମକର୍ତ୍ତାମାନେ ଟିକେ ଆଶ୍ୱସ୍ତ ହେଲେ । ପିଲାମାନଙ୍କ ପାଇଁ ଅପେକ୍ଷା କରିବା ଥିଲା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହୃଦୟର ଭାଷା । ସେ ପିଲାମାନଙ୍କୁ ଯେମିତି ଭଲ ପାଉଥିଲେ, ପିଲାମାନେ ବି ସେମିତି ତାଙ୍କୁ ‘କାକା’ ବୋଲି ଡାକୁଥିଲେ ।
ଏତିକିବେଳେ କାକାଙ୍କୁ ଦେଖିବା ଲାଗି ପିଲାମାନେ ମଂଚନିକଟରେ ଭିଡ ଜମାଇଦେଲେ । ତା’ପରେ ଆରମ୍ଭ ହୋଇଗଲା ଗପସପ କାକା ଓ ପିଲାଙ୍କ ଭିତରେ । ଏହା ଭିତରେ ସମସ୍ତ ସ୍କୁଲ୍ର ପିଲା ଆସି ପହଁଚିଗଲେଣି । ଏବେ ସବୁ ପିଲାଙ୍କ ସହିତ ମିଶି ଶିଶୁଦିବସର କ୍ରୀଡା ଉତ୍ସବ ଆରମ୍ଭ ହେଲା । ତାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ।