ମାଆଙ୍କର ଏକ ସୁନ୍ଦର ମନ୍ଦିର । ତାହା ଭକ୍ତି ଓ ବିଶ୍ୱାସର ପ୍ରତୀକ । ପ୍ରତିଦିନ ସେଠାରେ ବହୁ ଲୋକଙ୍କ ଭିଡ ଲାଗି ରହିଥାଏ, କେବଳ ମା’ଙ୍କ ଦର୍ଶନ ପାଇଁ । ମନ୍ଦିର ବାହାରେ ଭିକାରୀମାନଙ୍କର ବି ଭିଡ, ଭିକ ଗଣ୍ଡାକ ପାଇବା ପାଇଁ ।
ମନ୍ଦିରକୁ ପ୍ରତିଦିନ ଯାଉଥିବା ଭକ୍ତମାନଙ୍କୁ ଭିକ ପାଇଁ ହାତ ପତାଉଥାନ୍ତି ସେହି ଭିକାରୀମାନେ । କିନ୍ତୁ ଏ କ’ଣ ଏଠାରେ ବି ବ୍ୟତିକ୍ରମ, ଜଣେ ଭିକାରୀ, ମନ୍ଦିରକୁ ଯାଉଥିବା ସମସ୍ତ ମଣିଷମାନଙ୍କୁ ହାତ ପତାଉ ନଥାଏ । ପ୍ରାୟ ଶହେ ଦୁଇଶହ ଜଣ ଭକ୍ତରୂପୀ ମଣିଷ, ମନ୍ଦିର ଭିତରୁ ବାହାରକୁ ଆସିଲା ପରେ ମାତ୍ର ଜଣେ ବା ଦୁଇ ଜଣ ଭକ୍ତରୂପୀ ମଣିଷଙ୍କୁ ହାତ ପତାଏ ଭିକ ପାଇଁ ।
ମନରେ ଅନେକ ପ୍ରଶ୍ନ ଏହାର ରହସ୍ୟ କ’ଣ? ଭିକାରୀଟିକୁ ପଚାରିବାରୁ, ଉତ୍ତର ମିଳିଲା ବାବୁ କାଲି ଆସ ଭିକାରୀ ବେଶରେ ଓ ମୋ ପାଖରେ ଭିକ ମାଗିବା ପାଇଁ ବି ବସ । ତାହାହିଁ ମୁଁ କଲି । ଭିକାରୀଟି ମୋ ଆଖିରେ କିଛି ବିଭୂତି ଲଗାଇ ଦେଲା ଓ କହିଲା ଦେଖ ମନ୍ଦିରକୁ କେଉଁମାନେ ଯାଉଛନ୍ତି ।
ବାଃ କି ଚମତ୍କାର । ଆଖିରେ ବିଭୂତି ଲାଗିଲା ପରେ ମୁଁ ଦେଖିଲି, ମନ୍ଦିରକୁ ଯାଉଥିବା ମଣିଷଙ୍କ ଅସଲି ରୂପ । ସେମାନେ କେହି ବି ମଣିଷ ନୁହଁନ୍ତି କୁକୁର, ବାଘ, ଭାଲୁ, ବିଲୁଆ, ବିଲେଇ ଆହୁରି ଅନେକ । ତାହାରି ଭିତରେ ଜଣେ ବା ଦୁଇ ଜଣ ପ୍ରକୃତ ମଣିଷ ଥାଆନ୍ତି । ସେ ଭିକାରୀଟି ସେହି ମଣିଷକୁ ହିଁ ଭିକ ମାଗିଥାଏ । ତାପରେ ଭିକାରୀଟି ମୋ ଆଖିରୁ ବିଭୂତି ପୋଛି ଦେଲା । ପୁଣି ଦେଖିଲି ଦଳ ଦଳ ଭକ୍ତ ରୂପୀ ମଣିଷ, ସେ ମନ୍ଦିର ଭିତରକୁ ଯାଉଛନ୍ତି ।
ଭିକାରୀ କହିଲା । ବାବୁ ଏବେ ବୁଝିଲଟି କଥାଟା କ’ଣ? ବୋକାଙ୍କ ଭଳି ଭିକାରୀର ମୁହଁକୁ ମୁଁ ସେମିତି ଚାହିଁଥାଏ । ତହୁଁ ସେ ଭିକାରୀଟି ପୁଣି କହିଲା କୁକୁର, ବାଘ, ବିଲୁଆ, ଭାଲୁ, ବିଲେଇର ସ୍ୱଭାବ ଥିବା ମଣିଷମାନେ କ’ଣ ସତରେ ମଣିଷ?