ବେଳ ଛ’ ଘଡି ବେଳେ ହଠାତ୍ ସେ ବାବୁଙ୍କର ମନରେ ପଡିଲା ମୋହର କଥା । ହଁ ମୋ ମୋହର କାହିଁ? ଏହି କଥା ଭାବି ସେ ବାବୁ ହଠାତ୍ ଛିଡା ହୋଇପଡିଲେ । ହୁକାଟା ତାଙ୍କ ହାତରୁ ଖସିପଡି ନିଆଁପାଣି ଗଦିଯାକ ବୁଣି ପଡିଲାଣି, ହେଲେ ଏସବୁ ଘଟଣା ଦେଖୁଛି ବା କିଏ? ପାଂଚଟା ମୋହର, ବଡ କଥା ନୁହେଁ, ଏ ଯେ ହେଲା ଆକବରୀ ମୋହର! ସେହିପରି କପାଳିଆ ଲୋକକୁ ଲକ୍ଷ୍ମୀ ଆଲିଙ୍ଗନ କରନ୍ତି, ଆକବରୀ ମୋହର ତାକୁ ହିଁ ମିଳେ । ସେ ମୋହର ଗଲେ ଲକ୍ଷ୍ମୀ ଛାଡିଯାଏ । ଏହିପରି କେତେ କଥା ଭାବି ଭାବି ଶେଷରେ ସେ ବାବୁ ତ ମୁଣ୍ଡରେ ହାତ ଦେଇ ଗୁମ୍ ମାରି ବସିଗଲେ । ସେତେବେଳେ ତ ଗୋପାଳ ରୋଷେଇଘରେ ବସିଥିଲା; ମୋହର ଖୋଜା ଶୁଣି ସେ ତୁରନ୍ତ ସେଠୁ ଧାଇଁଆସିଲା । ବାବୁଙ୍କୁ ହସି ହସି ଗୋପାଳ କହିଲା, “ଆଜ୍ଞା! ଆଜ୍ଞା! ମୋହର ଅଛି । ଏହା ଶୁଣି ସେ ବାବୁ ଧାଇଁଆସି ଗୋପାଳକୁ କୁଣ୍ଢେଇ ପକାଇଲେ । ଗୋପାଳ ମୋହର କାଢିଦେଇ, ପାଇବାର ଦାସ୍ତାନ ସବୁ କହିଲା ।” ସବୁ ଶୁଣି ସେ ବାବୁ ଦଣ୍ଡେଯାଏଁ ଗୋପାଳକୁ ଅନାଇ ଦୀର୍ଘ ନିଃଶ୍ୱାସଟାଏ ପକାଇଲେ ।
ସେହିଦିନ କତିରୁ ତୁଚ୍ଛାଟାରେ ହେଲେ ବାବୁ ଦଶଥର ‘ଗୋପାଳରେ’ ‘ଗୋପାଳରେ’ ଡାକ ପକାଉଥିବେ । ଭୋଜନ ବେଳେ ଥାଳି ପାଖରେ ଗୋପାଳ ଅବଖୁରାରେ ଜଳ ଥୋଇ ନ ଦେଲେ ବାବୁଙ୍କୁ ଆଉ ସେ ଜଳ ଭଲ ଲାଗେ ନାହିଁ । ବାବୁଙ୍କ ବିଡିଆ ଗୋପାଳ ଭାଙ୍ଗିବ । ଶେଯ ପରାଟା ଗୋପାଳ ଜିମା । ବାବୁଙ୍କ ଏଭଳି ଶ୍ରଦ୍ଧା ଦେଖି ସେ ଗଦିର ଆଉ ପାଂଚଜଣ ବି ଗୋପାଳକୁ ମାନିଲେଣି । ବାବୁଙ୍କ ଇଚ୍ଛା, ବଡ ଗୋଟାଏ କିଛି ପାଇଟିରେ ସେ ଗୋପାଳକୁ ଲଗାଇବେ । ହେଲେ ଏ ଗୋପାଳ ତ ଓଡିଆ ପିଲା, ପୁଣି ମଫସଲ ଗାଁରେ ତା’ର ଘର, ଏଣେ ତ କଲିକତାଟା ଠିକ୍ ଗଣ୍ଠିକଟା ଖଣି, କଣ ନାହିଁ କଣ ହୋଇଯିବ; ହେଉ ଆଉ ଟିକିଏ ସେ ପାରିଯାଉ ।
ଦିନେ ବେଳ ଛ’ ଘଡିଯାଏଁ ଚୁଲିରେ ଲୁଣ୍ଡା ପଡି ନାହିଁ । ରୋଷାଇଆ ବ୍ରାହ୍ମଣ କାହିଁ? ହଁ, ଦେଖ ଦେଖ, ବାବୁଙ୍କ ଟଙ୍କା ସିନ୍ଦୁକ ଚାବି ଭଙ୍ଗା, ପାଂଚଶହ ଟଙ୍କାର ଥଳିଟା ନାହିଁ । ଢେର୍ ଖୋଜ ତଲାସ ହେଲା; ଥାନାରେ ମଧ୍ୟ ଏତଲା ଦିଆଗଲା, ଆଉ ସେ ପୂଝାରୀ ଏକାବେଳକେ ଗୁମ୍! ଗୋଳମାଳରେ ବେଳ ଗଡିଗଲାଣି, ଏଣେ ବାବୁ ଉପାସ ବସିଛନ୍ତି । ସେ ତ ଆଉ ବଙ୍ଗାଳୀ ବ୍ରାହ୍ମଣ ହାତରୁ ଖାଇବେ ନାହିଁ, ଏତେ ଚଂଚଳ ଓଡିଆ ବ୍ରାହ୍ମଣ ବା କାହୁଁ ଝୁଟୁଛି? ପରିସ୍ଥିତିକୁ ଅନୁଧ୍ୟାନ କରି ଗୋପାଳ ହାତ ଯୋଡି ବାବୁଙ୍କୁ କହିଲା, “ଆଜ୍ଞା ମୁଁ ତେବେ ଦି’ଟା ଚଢେଇ ଦିଏ ।” ଗୋପାଳ କଥା ଶୁଣି ବାବୁ କହିଲେ, “ତୁ ପାରିବୁରେ? ଆଚ୍ଛା ହେଉ, ଏ ଓଳିଟା ଚଳିଯାଉ ।” ବାବୁ ଠା ପିଢାରେ ବସି ଦେଖିଲେ, ଏତେ ଚଂଚଳ ପାଂଚ ତିଅଣ, ପୁଣି ବଡ ଭଲ । ତା’ପରେ ଗୋପାଳକୁ ବାବୁ ପଚାରିଲେ, “ଆରେ ଗୋପାଳ, ତୁ କିମିତି ରାନ୍ଧି ଶିଖିଲୁରେ?” ବାବୁଙ୍କ ଏପରି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୋପାଳ କହିଲା, “ଆଜ୍ଞା, ପୂଝାରୀ ରନ୍ଧା ଦେଖି ଦେଖି ମୁଁ ଶିଖିଛି । ସେ ରାନ୍ଧୁଥିବାବେଳେ ମୁଁ ପରା ତା’ପାଖରେ ବସି ସବୁକିଛି ଦେଖୁଥାଏ ।”
ବାବୁ ଏଣିକି ଗୋପାଳ ହାତ ଛଡା ଆଉ କାହାରି ବି ହାତରୁ ଜଳ ଛୁଅଁନ୍ତି ନାହିଁ । ପୁଣି ଦେଖିଲେ, ବଜାର ସଉଦା ଖର୍ଚ୍ଚ ଅଧାଅଧି ଊଣା, ପରିବାପତ୍ର ଦୁଇଗୁଣ ବେଶି, ପୁଣି ବଡ ସୁନ୍ଦର ରନ୍ଧା । ବାବୁଙ୍କ ମନ ଜାଣି ବେଳ ମାଫିକେ ଗୋପାଳ ରନ୍ଧାବଢାରେ ଲାଗିଥାଏ । ପୂଝାରୀ ତ ବଜାର ସଉଦା, ଘିଅ ତେଲ ସବୁଥିରୁ ରେଷା କାଟିବ, ସବୁବେଳେ ତ ସେ ଖାଲି ତା’ ଆପଣା ରୋଜଗାରରେ ଲାଗିଥାଏ । ବାବୁ ଭଲ ଖାଇଲେ କି ମନ୍ଦ ଖାଇଲେ ସେଥିରେ ତା’ର ବା କଣ ଯାଏ ଆସେ?
ବାବୁ ଥରେ ଗାଁକୁ ଯାଇ ଗୋପାଳ ଲାଗି ଗୋଟିଏ ଘର ବନାଇ ଦେଇ ତା’ର ବିଭା କରାଇଦେଲେ । କନ୍ୟାଟି ଯେମିତି ଦେଖିବାକୁ ଡଉଲ ଡାଉଲ, ଠିକ୍ ସେମିତି ତା’ର ଗୁଣ । ପହରା ପଡିବା ଦିନଠାରୁ ଦିନକୁଦିନ ସେ ଗୋପାଳର ଘର ଖାଲି ବଢୁଛି । ଗୋପାଳ ରନ୍ଧାବଢା ସାରି ସବୁବେଳେ ଗଦିରେ ବାବୁଙ୍କ ପାଖେ ପାଖେ ଥାଏ । ସେ କେବେବି ତୁଚ୍ଛାକୁ ବସେ ନାହିଁ, କେତେବେଳେ ସେ କଂଟା ଧରିଛି ତ ପୁଣି ସେ କେତେବେଳେ ମାଲ ସାଇତାରେ ଅଛି ।
ମାଲ କିଣାବିକା ଛକଛାକ ଗୋପାଳ ବେଶ୍ ଜାଣିଗଲାଣି । ବାବୁ ଢେର୍ ଥର ବିଡିଲେଣି, ଆପେ ଏଡେ ପୁରୁଖା ଲୋକ ହେଲେ ବି ଥରେ ଥରେ ଗୋପାଳ ତାଙ୍କୁ ବଳିଯାଏ, ତେଣୁ ଗୋପାଳ କଥାରେ ଚାଲିଲେ କେବେବି ଠକିବାକୁ ହୁଏ ନାହିଁ, ବେଶ୍ ଦି’ ପଇସା ଲାଭ ବି ହୁଏ । ଗୋପାଳ ଆଉ ରୋଷେଇଆ ନୁହେଁ, ବେପାରରେ ସେ ଏବେ ବାବୁଙ୍କ ଡାହାଣହାତ । ବାବୁ ଆସି ବୁଢା ହେଲେଣି, ତେଣୁ ସେ ତ ଆଉ ପାଂଚ ଜାଗାକୁ ଯାଇଆସି ପାରୁ ନାହାନ୍ତି । ଧାଁଦଉଡ କାମ ଏବେ ଗୋପାଳ ଜିମା । ଏବେ ଆଉ ସେ ଗୋପାଳ ନୁହେଁ, ଗଦିରେ ତା’ର ଡାକ ନାମ ସାନବାବୁ । ମାତ୍ର କାଗଜପତ୍ରରେ ଗୁମାସ୍ତା ଲେଖେ, ‘ବାବୁ ଗୋପାଳଚନ୍ଦ୍ର ମହାପାତ୍ର ।’
ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ସନ୍ଧାନ କରି ବୁଝିଲେ, ଯଶୋର, ମୋତିହାର, ପାବନା ଅଂଚଳରୁ ଯେଉଁସବୁ ହଳଦୀ, ଧୂଆଁପତ୍ର, ସରକ ଆସେ, ପ୍ରଥମେ ଚାଷୀଠାରୁ କିଣେ ବୁଲାବେପାରୀ, ସେ ବିକେ ପଇକାରକୁ, ପଇକାର ହାତରୁ କିଣେ ଗୋଦାମବାଲା, ଦଣ୍ଡିଦାର ତା ପାଖରୁ ମାଲ କିଣି ସେ ଚଲାଣ ଦିଏ । ଏଭଳି ଭାବରେ କଲିକତାରେ ମାଲ ପହଁଚିଲାବେଳକୁ ତିନିଟା ହାତରେ ଲାଭ ଲାଗିଯାଏ । ମହାପାତ୍ରେ ଦିନେ ବେଳ କାଳ ଉଣ୍ଡି ମହାଜନଙ୍କୁ ଜଣାଇଲେ, “ଆଜ୍ଞା, ବେପାରର ଲାଭ ବିକା ଜାଗାରେ ନୁହେଁ, ବରଂ କିଣା ଜାଗାରେ ହିଁ ଥାଏ । ଏହି ଯେ ଧୂଆଁପତ୍ର, ହଳଦୀ ସରକ ଆସୁଛି, ମୁଁ ଖାଲି ଥରେ ଯାଇ ସେ ଠିକଣା ଜାଗାଟା ବୁଝିଆସେ ।”