ମହାଜନଙ୍କ ଅନୁମତି ଘେନି ସାନବାବୁ ସିଧା ଠିକଣା ଜାଗାକୁ ଚାଲିଗଲେ । ମଝିରେ ଆଉ କାହାରିକୁ ବି ନଗା ନ ରଖି ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସେ ସଉଦା କଲେ । ଦୁଇ ବର୍ଷ ଏହିପରି କାମ ଚଳିବାରୁ ଦେଖାଗଲା ଯେ, ପୂର୍ବଠାରୁ ଦୁଇ ଗୁଣ ଅଧିକ ଲାଭ ହେଉଛି । ମହାପାତ୍ରେ ଏବେ ଆଉ ବଳଙ୍କର ଚାକର ନୁହଁନ୍ତି, ବରଂ ସେ ଲାଭରେ ଚାରିପଣୀ ଅଂଶଭାଗୀ ।
ପାଂଚ ସାତ ବର୍ଷ ଏହିପରି କାମ ଚଳିଲାଣି – ମହାପାତ୍ରେ ବର୍ତ୍ତମାନ ଲକ୍ଷପତି । ସେ ମନା କରୁଁ କରୁଁ ମହାଜନେ ବଳେ ଗ୍ରାମରେ ଦଶ ବାରହଜାର ଟଙ୍କା ଲଗାଇ ଗୋଟାଏ ବଡ ଦୋମହଲା ଘର ବନାଇଦେଲେ । ଖଣ୍ଡେ ତାଲୁକ ବି ସେ କିଣି ଦେଲେଣି । ମହାଜନଙ୍କର ଇଚ୍ଛା, ଗୋପାଳ ଖୁବ୍ ବଡଲୋକ ହେଉ । ହେଲେ, ଏ ଗୋପାଳର ତ ବଡଲୋକି ଚାଲିଚଳଣ ନାହିଁ, ଖାଲି ଦିନରାତି କାମରେ ଲାଗିଥିଲେ ହିଁ ସେ ଆନନ୍ଦ । ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ । ବଳେ ଏବେ ତୁନି ହୋଇ ଗଦିରେ ଖାଲି ମାଳା ଗଡାଉଥାନ୍ତି ।
ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ, ତା ନାମ ରାଜୀବଲୋଚନ । ପୁଅଟି ତ ପାରିବାର ହୋଇ ଗଲାଣି, ଚଉଦ ପୁରି ତାକୁ ପନ୍ଦର ଚାଲିଛି । ଗୋପାଳବାବୁ ଗ୍ରାମକୁ ଯାଇଥିଲେ । ଅବଧାନେ ଦେବୀ ଓଝା ଆସି ଗୋପାଳବାବୁଙ୍କୁ କହିଲେ, “ସାନବାବୁ ଖୁବ୍ ବୁଦ୍ଧିଆ, ଭାରି ପାଠୁଆ, ଖଡିପାଠ, ପୋଥିପାଠ ସବୁ ଛିଡିଲାଣି । ଆଉ ତାଙ୍କୁ ପଢାଇବାକୁ ପାଠ ହିଁ ନାହିଁ ।” ଅସଲ କଥା, ରାଜୀବଟା ଭାରି ଦୁଷ୍ଟ । ଚାଟଶାଳୀରେ ସେ ବଡ ଉତ୍ପାତ କରେ, ଅବଧାନଙ୍କ ସଙ୍ଗରେ ବି ସେ ତୋଖଡ ମୋଖଡ ଲଗାଇଲାଣି । ବଡଲୋକ ପୁଅ, ଜମିଦାର ପୁଅ ବୋଲି ସମସ୍ତେ ତାଙ୍କୁ ଶଙ୍କି ରହିଥାନ୍ତି, କିଛି ବି କହିପାରନ୍ତି ନାହିଁ । ଏଣେ ଏ ବାବୁ ନିଜ ପୁଅର ପ୍ରଶଂସା ଶୁଣି ଭାରି ଖୁସି । ଅବଧାନେ ଗୋଟିଏ ଯଥା, ପାଂଚୋଟି ଟଙ୍କା ପୁରସ୍କାର ପାଇ ଦଣ୍ଡବତଟା କରି ସେଠାରୁ ମେଲାଣି ଘେନିଲେ । ସାଆନ୍ତାଣୀ (ରାଜୀବଙ୍କ ମାତା) ସାଆନ୍ତଙ୍କୁ କହିଲେ, “ରାଜୀବ ମୋ ବୋଲ ଆଦୌ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ସେ ଖାଲି ଦାଣ୍ଡରେ ବୁଲଥାଏ । ତେଣୁ ତୁମେ ତାକୁ ତୁମ ସାଙ୍ଗରେ ଘେନିଯାଅ ।” ଏଣେ ଏ ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବା ପାଇଁ ବାବୁଙ୍କର ବି ପ୍ରବଳ ଇଚ୍ଛା ଥିଲା ।
କଲିକତାର ବଳବାବୁ ମହାଜନ ଗଦି ସାଙ୍ଗରେ ବଡ ବଡ ଇଂରାଜୀ ସଉଦାଗର ହାଉସମାନଙ୍କର କାରବାର । ମହାପାତ୍ରବାବୁ ସେ କୋଠିର ବଡ ବଡ ସାହେବଙ୍କ ପାଖକୁ ଗଲେ, ଗୋଟାଏ ଦୋ’ଭାକି ଜରିଆରେ କଥା ଚଳେ । ବାବୁ ତ ଆଉ ଇଂରାଜୀ ଜାଣନ୍ତି ନାହିଁ – ତାଛଡା ସେ ସାହେବ ବି ଓଡିଆ ବୁଝେ ନାହିଁ । ବାବୁ ଢେର୍ ଥର ବିଡିଲେଣି, ମଝିରେ ଦୋଭାକି ଖାବଳେ ମାରିନିଏ । ରାଜୀବ ଯେବେ ଇଁରାଜୀ ପାଠ ପଢି କାମରେ ଲାଗିବ, କେହି ଆଉ ତାଙ୍କୁ ଠକାଇପାରିବେ ନାହିଁ । ଗଦିର ସରକାର କେଲ୍କାଟା ଏଣ୍ଡ୍ରୁ ଏକାଡେମୀରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଲା । ପଢା ଚାଲିଛି ତ ଚାଲିଛି । ମାସକୁ ଥରେ ସ୍କୁଲ ଦରମା ଓ କିତାବର ଦାମ୍ ନେବା ବେଳେ ଯାହା ବାପପୁଅଙ୍କର ଭେଟ । ବାପେ ପାଠ ସଇ ନେବେ କଣ, ପୁଅ କିପରି ପଢୁଛି ତାହା ପଚାରିବାକୁ ବି ତାଙ୍କ ପାଖେ ବେଳ ନାହିଁ । ଏହି ଭିତରେ ତିନି ଚାରିବର୍ଷ ବିତିଗଲାଣି । ମାସକୁ ମାସ ସ୍କୁଲ୍ ଦରମା ଆଉ କିତାବର ଦାମ୍ ପଚାଶ ଟଙ୍କାରୁ ବଳିଲାଣି । ଦିନେ ବାପେ ତାଙ୍କ ପୁଅକୁ ପଚାରିଲେ, “କିରେ ରାଜୀବ, ଏବେ ଏତେ ଖରଚ କ୍ୟାଁ?” ତହୁଁ ସେ ରାଜୀବବାବୁ ଜବାବ ଦେଲେ, “ବାପା, ମୁଁ କିଲାସ ଢେର୍ ଉପରକୁ ଉଠିଗଲିଣି ତ, ଖାସ୍ ସେଇଥିପାଇଁ ଏତେ ଖରଚ ।” ଏହା ଶୁଣି ବାପେ କହିଲେ, “ତେବେ ତୁ ଆଉ ପଢ ନା, ଆ, କାମରେ ଲାଗ ।” ରାଜୀବବାବୁ କହିଲେ, “ନା, ବାପା, ପାସ୍ ନ କଲେ ଇଂରେଜୀ ପାଠ ହୁଏ ନାହିଁ ।” ମହାପାତ୍ରେ ବି ଶୁଣିଥିଲେ, ଇଂରାଜୀରେ ଗୋଟାଏ ପାସ୍ ହୁଏ । ଏପରି ଭାବି ବାପା କହିଲେ, “ହଁ ରେ, ସେ କଥା ତ ମତେ ବି ଠିକ୍ ଜଣାଅଛି, ତୁ ଆମର ବେଶି ବେଶି ପାସ୍ କରି ପକା, ସେଥିଲାଗି ଯେତେ ଟଙ୍କା ଲାଗିବ ପଛେ ଲାଗୁ ।” ତା’ପରେ ବାପ ପୁଅ ଦୁହିଁଙ୍କ ମନରେ ବେଶ୍ ଖୁସି ।
ଚାରି ପାଂଚ ବର୍ଷ ମଧ୍ୟରେ ବାବୁଙ୍କ ଇଂରେଜୀ ପଢା କେତେଦୂର ହେଲା, ସେକଥା ତ କାହାରିକୁ ବି ଜଣା ନାହିଁ, ମାତ୍ର ଢେର୍ ଢେର୍ ସଭାସମିତିରେ ସେ ଉପସ୍ଥିତ, ଥିଏଟର ଆଉ ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ବାବୁ ତ ପକ୍କା ହୋଇଗଲେଣି । ସ୍ୱଦେଶରେ ଉନ୍ନତି ସାଧନ ନିମନ୍ତେ କେତେଜଣ ବନ୍ଧୁ ମିଳି ଏକାବେଳକେ ଯୋଡିଏ ସମିତି ସ୍ଥାପନ କଲେ । ସେଗୁଡିକ ହେଲା ମଙ୍ଗଳବାର ଦିନ ‘କୁସଂସ୍କାର-ବିମର୍ଦ୍ଧିନୀ’, ଶନିବାର ‘ନାରୀସ୍ୱାଧୀନତା ବିବର୍ଦ୍ଧିନୀ’ ସଭାର ଅଧିବେଶନ ହୁଏ । ଏ ଦୁଇ ସଭାର ସମ୍ପାଦକ ନିଜେ ବାବୁ । ସଭାର ସମସ୍ତ ବ୍ୟୟ ବହନ କରିବା ତ ସମ୍ପାଦକ ପକ୍ଷରେ ଉଚିତ, ଏଇଟା ହେଲା କଲିକତାର ନିୟମ । ସଭାରେ ଢେର୍ ଢେର୍ ବକ୍ତୃତା ହୁଏ । ସମ୍ପାଦକ ବି ଢେର୍ ଢେର୍ ବକ୍ତୃତା ଦେଲେଣି । ତାଙ୍କ ବକ୍ତୃତାରେ ଯେଉଁଦିନ ବେଶି ହାତତାଳି ପଡେ, ସେଦିନ ହୋଟେଲବାଲାର ବେଶ୍ ଆୟ ।