ଆକସ୍ମିକ ଗୋଟାଏ ସନ୍ନିପାତ ବେମାରି ଆସିଲା, ଦିନ ତିନିଟା ଭିତରେ ସଜ୍ଞାନରେ ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କ ଗଙ୍ଗାଲାଭ । ପିତାର ମୃତ୍ୟୁରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର । ଶୋକ ପ୍ରକାଶ ଲାଗି ସଭାରେ ତିନି ଦିନ ବକ୍ତୃତା ଦିଆଗଲାଣି! ବାବୁ ଖଣ୍ଡେ କଳାକନା ହାତରେ ବାନ୍ଧିଲେ । ସ୍ଥିର ହେଲା, ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବାଟା କୁସଂସ୍କାର, କେବଳ ସଭାଗୃହରେ ଭୋଜି ଆଉ ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବ । ମାତ୍ର ମହାଜନ ବଳବାବୁଙ୍କ ଡରରେ ଏ ସବୁ କିଛି ବି କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।
ମହାଜନ ବଳବାବୁ ସେ ପିଲାଟିକୁ ଅତି ଯତ୍ନରେ ନିଜ ପାଖରେ ରଖିଲେ । ଇଚ୍ଛା, ପିତୃକାର୍ଯ୍ୟରେ ସେ ହିଁ ଉତ୍ତରାଧିକାରୀ ହେଉ; ସେ ଇଂରାଜୀ ପାଠ ପଢିଛି ସତ, ମାତ୍ର ବେପାର ବଣିଜ କାମ କିଛି ବି ସେ ଶିଖି ନାହିଁ । ଆଶା, କାମରେ ପୁଅଟା ତା’ବାପ ଠାରୁ ବି ବଳି ପଡିବ । ଗୋପାଳ ସିନା ଅକ୍ଷର ଜାଣି ନଥିଲା । ହେଲେ ତା’ପୁଅ ତ ଢେର୍ ବର୍ଷଯାଏଁ ସ୍କୁଲପାଠ ପଢିଛି! ମହାଜନ ଗୋପାଳକୁ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ ମଧ୍ୟ କର୍ମଚାରୀମାନଙ୍କୁ ବି ଉପଦେଶ ଦେଲେ । ଏଣେ ରାଜୀବବାବୁର ଗଦିରେ ବସିବାକୁ ଆଦୌ ମନ ହିଁ ନାହିଁ । ମହାଜନେ ଧରାଧରି କରି ଗୋପାଳକୁ ଗଦିରେ ବସାଇଲେ । ହେଲେ କ’ଣ ହେବ? ତା’ର ତ କାମରେ ମନ ନାହିଁ, ସବୁବେଳେ ବସି ଗୋପାଳ କଣଟାଏ ଭାବୁଥାଏ । ମଙ୍ଗଳବାର ଓ ଶନିବାର ରାତିରେ ସେ କୁଆଡେ ଚାଲିଯାଏ । ବଳବାବୁ ମନରେ କଲେ, ହାତରେ ପାଇଟି ପଡିଲେ ରାଜୀବ ବା ବାଟକୁ ଆସିବ । ତାକୁ ଯେଉଁ କାମ ଦେଲେ, ଲାଭ ପଛକେ ଥାଉ, ମୂଳରୁ ସେ ତ୍ରୁଟି କରି ବସେ ।
ଲାଗ ଲାଗ ଯୋଡାଏ ସଭାରେ ସମ୍ପାଦକ ଅନୁପସ୍ଥିତ ହେବାରୁ ଏଣେ ସଭ୍ୟମାନେ ବଡ ଖପା ହୋଇଗଲେଣି । ଅନୁପସ୍ଥିତିର କାରଣ ସନ୍ଧାନ କରି ଦିନେ ଜଣେ ସଭ୍ୟ ସ୍ୱାଧୀନତା ବିଷୟରେ ଭାରି ଗୋଟାଏ ବକ୍ତୃତା ଦେଲେ । ସେଥିର ମର୍ମ – ‘ଶିକ୍ଷିତ ଜମିଦାର ସନ୍ତାନ ପକ୍ଷରେ ପର ଅଧୀନରେ ଚାକିରି କରିବା ଆଦୌ ଉଚିତ୍ ନୁହେଁ ।’ ବକ୍ତୃତା ସଙ୍ଗେ ସଙ୍ଗେ ଗୋଟିଏ କବିତା ପାଠ କରିଥିଲେ –
“ଯାହାର ଅଛି ଧନ ଜ୍ଞାନ ଅଧିକ;
ଚାକିରି କଲେ ତା ଜୀବନେ ଧିକ ଧିକ ।”
ଏପରି କଥା ଶୁଣି ସେ ସଭାରେ ଖୁବ୍ ହାତତାଳି ପଡିଲା । ରାଜୀବବାବୁଙ୍କ ମନରେ ବି ଏ କଥାଟା ଭାରି ଲାଖିଗଲା ।
ତହିଁ ଆରଦିନ ଦିନଯାକ ରାଜୀବବାବୁଙ୍କୁ ଢେର୍ ଖୋଜତଲାସ ହେଲା, ହେଲେ ତାଙ୍କ ଭେଟ ଆଦୌ ମିଳିଲା ନାହିଁ । ମହାଜନ ଆଗରୁ ତ ଭାରି ଖପା ହୋଇଥିଲେ, କେବଳ ଗୋପାଳକୁ ମନରେ କରି ଆଉ କିଛି ବି କହିପାରୁ ନ ଥିଲେ । ସଞ୍ଜବେଳେ ତା’ର ଭେଟ ପାଇବାରୁ ମହାଜନ ରାଜୀବକୁ କାରବାରରୁ ବାହାର କରିଦେଲେ । ରାଜୀବବାବୁ ତ ତାହାହିଁ ଚାହୁଁଥିଲେ । ଇଚ୍ଛା ଥିଲା, ଅନ୍ୟ ଜାଗାରେ ବସା କରି ସେ ରାଜୀବ ତା’ର ସଭାସମିତି ଚଳାଇବେ, ମାତ୍ର ପାରିଲେ ନାହିଁ, ମହାଜନ ବଳବାବୁ ଧରାଧରି କରି ରାଜୀବକୁ ତା’ ଗ୍ରାମକୁ ପଠାଇଦେଲେ ।
ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକଙ୍କ ମନ ଭାରି ଖୁସି । ନୂଆ ଜମିଦାରଙ୍କୁ ଅଧବାଟରୁ ପାଛୋଟି ନେଲେ । ଶୁଣିଥିଲେ, ନୂଆ ଜମିଦାର ସରକାରୀ ସ୍କୁଲରେ ଢେର୍ ପାଠ ପଢି ତାଲିମ୍ ହୋଇଛନ୍ତି; ଭେଟିବା ପାଇଁ ତହିଁ ଆରଦିନ ସକାଳେ ଗୋଟିଏ ସଭା ହେବାର ସ୍ଥିର ହେଲା । ସଭା ନାମ ଶୁଣି ଜମିଦାରଙ୍କ ମନ ଭାରି ଖୁସି । ଠିକ୍ ନିରୂପିତ ବେଳରେ, ପୁରୁଣା ବୁଢା ପାଞ୍ଜିଆ ରଙ୍ଗାଧର ମହାନ୍ତି ଜମିଦାରଙ୍କୁ ଗଦିରେ ବସାଇଦେଲେ । ତାଲୁକ କିଣା ଦିନଠାରୁ ମହାନ୍ତିଏ ଶେଠ ପାଞ୍ଜିଆ କାମରେ ଅଛନ୍ତି । ଲୋକଟି ବଡ ବିଶ୍ୱାସୀ, କାମଦାର ଲୋକ, ସାଆନ୍ତାଣୀଙ୍କ ଡାହାଣହାତ । ତାଙ୍କ ଯତ୍ନରେ ଜମିଦାରୀ ଆୟ ଖୁବ୍ ବଢିଛି । ଜମିଦାର ତ ସବୁଦିନେ କଲିକତାରେ । ଏହାଙ୍କୁ ଧରି ସାଆନ୍ତାଣୀ ସବୁ ମାମଲତ ବୁଝାସୁଝା କରନ୍ତି ।
ତାଲୁକ ମଧ୍ୟରେ ଶ୍ୟାମପୂର ଗ୍ରାମଟି ସବୁଠାରୁ ବଡ; ଢେର୍ ଥିଲାଲୋକ ଅଛନ୍ତି ସେଠାରେ । ଗୋପାଳବାବୁ ଗ୍ରାମରୁ ଢେର୍ ଲୋକଙ୍କୁ କଲିକତାରେ ନାନା କାମରେ ଲଗାଇ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇ ଦେଇଥିଲେ । ବାବୁଙ୍କ ସାହାଯ୍ୟ ଓ ଯତ୍ନରେ ଢେର୍ ପିଲା କଟକରୁ ଶିକ୍ଷିତ ହୋଇ ଆସିଛନ୍ତି । ବଡ ବଡ ଚାଷୀ, ସରକାରୀ ଚାକିରିଆ, ମହାଜନ, ଲୋଡିଲେ ଊଣାଅଧିକ ଚାଳିଶ ପଚାଶ ସରିକି ବାହାରି ପାରନ୍ତି । ନୂଆ ଜମିଦାରବାବୁ ଖୋଜିବସିଲେ ଗ୍ରାମ ମଧ୍ୟରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକ ଅଛନ୍ତି କି ନାହିଁ । ପ୍ରାଇମେରୀ, ଅପରପ୍ରାଇମେରୀ ପାସ୍, ଛାତ୍ରବୃତି ଫେଲ୍ ଢେର୍ ଶିକ୍ଷିତ ସ୍ୱାଧୀନମନା ଲୋକ ସେ ଗ୍ରାମରେ ବୁଲୁଥିଲେ । ଜମିଦାରଙ୍କ ଆହ୍ୱାନରେ ତୁରନ୍ତ ସେମାନେ ଯାଇ ତାଙ୍କ ନିକଟରେ ହାଜର ହୋଇଗଲେ । ଜମିଦାରଙ୍କ କଚେରିଘରେ ସଂନ୍ଧ୍ୟା ସମୟରେ ପ୍ରଥମ ସଭା ବସିଲା, ନିଜେ ଜମିଦାରବାବୁ ଢେର୍ ବକ୍ତୃତା ଦେଲେ । ସେଥିର ସାରମର୍ମ – ହେ ସଭ୍ୟ ମହୋଦୟଗଣ! ଏ ଦେଶର ଦୁଃଖଦୁର୍ଦ୍ଦଶାର କାରଣ ଖୋଜି ବସିଲେ ଦିନ ଆଲୁଅ ପରି ଜଣାଯିବ । ମୂର୍ଖତା, କୁସଂସ୍କାର, ଅବଳା ଭଗିନୀମାନଙ୍କୁ ଘର ଭିତରେ ଲୁଚାଇରଖିବା ସମସ୍ତଙ୍କର ମୂଳ । ଏ ସମସ୍ତ ଦୂର କରିବା ଏକାନ୍ତ ଆବଶ୍ୟକ । ଆଉ ସମସ୍ତେ କିଛି ବି ବୁଝି ନପାରି ଖାଲି ପରସ୍ପରର ମୁହଁ ଚାହାଁଚାହିଁ ହେଲ । ସବୁ ଶୁଣି ବାବୁ ହରିବୋଲ ପଟ୍ଟନାୟକେ ଚଂଚଳ ଛିଡା ହୋଇପଡି କହିଲେ, “ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବ ଦୁତୀୟ କରୁଛି । ଉଚିତ, ଖୁବ୍ ଉଚିତ, ନିଶ୍ଚୟ ଉଚିତ, ଶୀଘ୍ର ଉଚିତ ।” ଜମିଦାରବାବୁ ଭାରି ଖୁସି ହୋଇ ସେ ବାବୁଙ୍କର ପରିଚୟ ପଚାରିଲେ । ହରିବୋଲବାବୁଙ୍କ ଘର ଏହି ଗ୍ରାମରେ, ଇଂରାଜୀ ମାଇନର ପାସ୍ । ସେ ବିଦୁପୁର ପୋଷ୍ଟ ଅଫିସର ସବପୋଷ୍ଟମାଷ୍ଟର ଥିଲେ, ସେଠାକାର ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ ଚୋର ଓ ଅଯୋଗ୍ୟ ଲୋକ ଥିଲେ । ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲ ଟ୧୬୨ ପଇସା ଚୋରି କରି ବାବୁଙ୍କ ନାମରେ ଗଡାଇଦେଲେ । ମେଜେଷ୍ଟର ସାହେବ ତାଙ୍କୁ ଛ’ ମାସ କଟକରେ ଅଟକାଇ ରଖିଥିଲେ ସତ, ମାତ୍ର ପଛନ୍ତେ ଅସଲ ହାଲ ଜାଣିପାରି ନିର୍ଦୋଷ ବୋଲି ତାଙ୍କୁ ଛାଡି ଦେଇଥିଲେ । ତା’ପରେ ବାବୁ ବିରକ୍ତ ହୋଇ ପର ଅଧୀନରେ ଚାକିରି ଛାଡି ଦେଇଛନ୍ତି ।