ଜମିଦାରବାବୁ ଭାରି ଖୁସି । ଗ୍ରାମ ମଧ୍ୟରେ ତାଙ୍କୁ ଯୋଗ୍ୟ ଲୋକ ବୋଲି ସ୍ଥିର କଲେ । ଆପାତତଃ ‘ଜ୍ଞାନବର୍ଦ୍ଧିନୀ’ ଓ ‘ସ୍ତ୍ରୀ ସ୍ୱାଧୀନତା ବିବର୍ଦ୍ଧିନୀ’ ଯୋଡିଏ ସଭା ସ୍ଥିର ହେଲା । ଦୁଇ ସଭାର ସମ୍ପାଦକ ହରିବୋଲବାବୁ । ପ୍ରତିଦିନ ନିୟମିତରୂପେ ସଭାକାର୍ଯ୍ୟ ଚଳିଲା । ସଭାକାର୍ଯ୍ୟ ଶେଷ ହେବାକୁ ଅଧିକ ରାତ୍ରି ହୋଇଯାଏ । ତେଣୁ ସଭ୍ୟମାନେ ଆଉ ଆପଣା ଆପଣା ଘରକୁ ଯାଇପାରନ୍ତି ନାହିଁ, ତେଣୁ କଚେରିଘରେ ସେମାନଙ୍କ ଭୋଜନ ପାନର ବନ୍ଦୋବସ୍ତ କରିଦିଆଗଲା । ଗୋଟିଏ ବାଳିକା ବିଦ୍ୟାଳୟ ଓ ଜନାନା ସ୍କୁଲ୍ ବସିବାର ବନ୍ଦୋବସ୍ତ ମଧ୍ୟ କରାଗଲା ।
ରୋଜ ରୋଜ ଟଙ୍କା ଦାଖଲ କରି କରି ବୁଢା ପଟ୍ଟନାୟକ ହଇରାଣ । ଟିକିଏ ବିଳମ୍ବ ବା ମୋଡ ମୋଡ ହେଲେ ବାବୁ ଭାରି ଖପା । ଟଙ୍କାଗୁଡାକ କୁଆଡେ ଯାଏ, କି କାରବାର ହୁଏ, ଇଦମିତ୍ଥ ନାହିଁ । ଦିନେ ସଂନ୍ଧ୍ୟାବେଳେ ମା-ସାଆନ୍ତାଣୀ ଓ ପଟ୍ଟନାୟକଙ୍କ ମଧ୍ୟରେ କଥା ହେଲା ।
ପଟ୍ଟନାୟକେ – ଆଜ୍ଞା, ସବୁ ବୁଡି ବସିଲା!
ମା’ ସାଆନ୍ତାଣୀ – ରହିବ ପରା, ନିଜେ ତ ମୂର୍ଖ କିଛି ବି ବୁଝିବାର ନାହିଁ, ମୁଲକର ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲା ଥାଆନ୍ତା! ଏହି ଘରେ ପୁଣି ମଦ ମାଂସ । ରାଧେକୃଷ୍ଣେ ରାଧେକୃଷ୍ଣେ! ପଟ୍ଟନାୟକେ, ତୁମେ ଅଲଗା ହୋଇଯାଅ ।
ପଟ୍ଟନାୟକେ ଏହା ଶୁଣି ଦୀର୍ଘ ନିଶ୍ୱାସଟାଏ ପକାଇଲେ ।
ପଟ୍ଟନାୟକଙ୍କୁ ଆଉ କିଛି ବି କହିବାକୁ ହେଲା ନାହିଁ । ରାତି ସଭାରେ ସ୍ଥିର ହୋଇଗଲା, ‘ବୁଢାଟା ଅଯୋଗ୍ୟ, କୁସଂସ୍କାରୀ, ସଭାର ବିଘ୍ନକାରୀ – ତେଣୁ ସେ ବରଖାସ୍ତ । ହରିବୋଲବାବୁ ତ ଭାରି ଯୋଗ୍ୟ ଲୋକ, ତେଣୁ ସଭା ଏବଂ ଜମିଦାରୀ ଦୁଇ କାର୍ଯ୍ୟ ସେ ହିଁ ତୁଲେଇବେ ।’ ଏଣିକି ସୁନ୍ଦର କାର୍ଯ୍ୟ ଚଳିଲା, ଟଙ୍କାର ଆଉ ଅଭାବ ନାହିଁ, ବାଧା ଦେବାକୁ ବି କେହି ନାହିଁ । ଅମଲା ପଧାନମାନଙ୍କ ପ୍ରତି ସାଫ ହୁକୁମ୍, ଟଙ୍କା ଶୀଘ୍ର ଦାଖଲ କର । ପ୍ରଥମ ପ୍ରଥମ ସେମାନଙ୍କୁ ଏସବୁ ଭାରି ଅଡୁଆ ଲାଗୁଥିଲା, ହେଲେ ଏଣିକି ସେମାନେ ସବୁ କିଛି ସାଫ ବୁଝିଲେଣି । ଦଶ ଖମାର ଧାନ, ଛ’ ସାତଟା ଗୋରୁ, ମଇଁଷିପଲ, ପଂଚବାଟୀ ହାତଚାଷ, ଯେଣିକି ଅନାଇଲେ ଖାଲି ଟଙ୍କା, ରୋଜଗାରର ଦାଉ କଣ କିଏ କେବେ ଛାଡେ?
ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ତାଙ୍କ ଉଆସ ଆଗରେ ଗୋଟିଏ ପକା ମନ୍ଦିର ତିଆରି କରାଇ ତହିଁରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ । ମା ସାଆନ୍ତାଣୀ ବର୍ତ୍ତମାନ ଘରୁ ବାହାରିଯାଇ ସେହି ମନ୍ଦିରରେ ହିଁ ଅଛନ୍ତି, ପ୍ରତିଦିନ ସଂନ୍ଧ୍ୟା ସମୟରେ ବକ୍ତେ ଠାକୁର ପ୍ରସାଦ ହବିଷ୍ୟାନ୍ତ । ବୁଢା ଛାମୁକରଣ ବି ସେହିଠାରେ ଥା’ନ୍ତି । ପ୍ରତିଦିନ ସଂନ୍ଧ୍ୟାଠାରୁ ଅଧରାତିଯାଏଁ ଭାଗବତ ପାଠ ହୁଏ । ମା’ ସାଆନ୍ତାଣୀ ଦିନଯାକ ଠାକୁରଙ୍କ ଆଗରେ ଆଖି ବୁଜି ମାଳ ଗଡାଉଥାନ୍ତି । ଦିନେ ପଟ୍ଟନାୟକେ ସାଆନ୍ତାଣୀଙ୍କୁ କହିଲେ, “ଆଜ୍ଞା, ଶୁଣିଛନ୍ତି, ବାବୁଙ୍କ ମଙ୍ଗଳକୃତ୍ୟ ବଢିବାର ସଭାରେ ସ୍ଥିର ହେଲା । ମୁଁ କହୁଛି ହେଉ, ବୋହୂ ସାଆନ୍ତାଣୀ ଆସିଲେ ଅବା ସେ ଘରକରଣାଟା ସମ୍ଭଳାସମ୍ଭଳି କରିବେ ।” ଏକଥା ଶୁଣି ମାସାଆନ୍ତାଣୀ ଆଁଟାକରି ପଟ୍ଟନାୟକ ମୁହଁକୁ ଘଡିଏ ଯାଏଁ ଚାହିଁଲେ, ତହିଁ ଉତାରେ ସେ ପଚାରିଲେ – “ଆ-କନ୍ୟା?” ପଟ୍ଟନାୟକ କହିଲେ, “ଆଜ୍ଞା ମୁଁ ନିଜେ ସେ କଥା ବୁଝିବାକୁ ଯାଇଥିଲି, ହେଲେ ବାବୁ ଜବାବ ଦେଲେ, ଦେଶୀ କନ୍ୟାଗୁଡାକ ଅଶିକ୍ଷିତା, କୁସଂସ୍କାର, ଅସଭ୍ୟତାରେ ବୁଡିଛନ୍ତି, ଲୁଗା ଖଣ୍ଡେ ବି ଠିକ୍ ସେ ସେମାନେ ପିନ୍ଧିଜାଣନ୍ତି ନାହିଁ, ତେଣୁ ଅଧଲଙ୍ଗଳୀ ହୋଇଥାନ୍ତି ସେମାନେ, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥାନ୍ତି । କଲିକତାରେ ପରା କନ୍ୟା ଠିକ୍ ହେଲାଣି ।” ପଟ୍ଟନାୟକଙ୍କ କଥା ଶୁଣି ମାସାଆନ୍ତାଣୀ ପାଟିକରି ‘ରାଧେକୃଷ୍ଣ ରାଧେକୃଷ୍ଣ’ କହି ତୁନି ହେଲେ । ହାତ ଯୋଡି ଠାକୁରଙ୍କୁ ସେ ଅନାଇଥାନ୍ତି, ଦୁଇ ଆଖିରୁ ଯୋଡାଏ ଧାର ତାଙ୍କର ବହିଯାଉଛି । ପଟ୍ଟନାୟକେ ପୁନର୍ବାର କହିଲେ, “କଲିକତାକୁ ବରଯାତ୍ରୀ କିଏ କିଏ ଯିବେ, କି କି ରୋଶନି କେତେ ପ୍ରକାର ହେବ, ବୋଲି ପଚାରିଥିଲି । ବାବୁ ମୋ କଥା ଶୁଣି ଖାଲି ଠୋ ଠୋ ହସିଉଠି କହିଲେ, ଅସଭ୍ୟତା, ଅସଭ୍ୟତା, କୁସଂସ୍କାର! ତୁମେ ଆଉ ତ ଇଂରେଜୀ ଜାଣନା, ଦେଖି ବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ? ରୋଶନି ଆଉ ଖରଚ କଥା ଯେ କହିଲ, ତୁମ୍ଭମାନଙ୍କ ପରି ଅଶିକ୍ଷିତ ଲୋକେ କେତେ ଜମିଦାର ଘର ବୁଡାଇଲେଣି । ବିହାର-ବିବାହ ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରେଜୀ ଅଫିସିଏଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ଠିକ୍ ସେହିପରି ବିଭା ହେବ । ତାଙ୍କ କଥା ଶୁଣି ମୁଁ ଆଉ କିଛି ବି କହିଲି ନାହିଁ, ସବୁବେଳେ ତାଙ୍କ ମିଜାଜ୍ଟା ଚଢି ରହିଛି, କାଚକୁମ୍ଫାଗୁଡାକ । ଓଳି ତଳେ ଗଣ୍ଡା ଗଣ୍ଡା ଗଡୁଛି ।”
ସଭାର ସଭ୍ୟମାନଙ୍କୁ ସାଙ୍ଗରେ ଧରି ବାବୁ କଲିକତା ଚାଲିଗଲେଣି । କଲିକତା ଗୋଟିଏ ବିଚିତ୍ର ଜାଗା । ଟଙ୍କା କାଢ, ତ ମା ବାପା ଛଡା ଆଉ ସବୁ କିଛି ସେଠାରେ ମିଳିବ । ଖିଦିରପୁର ଗାର୍ଡନରିଚ୍ରେ ଗୋଟାଏ ବଡ ଦୋତାଲା ଘରେ ଝାଡଲଣ୍ଠନ ଦେବାଲଗିରେ ଶହେଖଣ୍ଡ ଦିନ ଆଲୁଅ ପରି ଜଳୁଛି, ତଳେ ଗାଲିଚା ଶତରଞ୍ଜି ବିଛଣା । ରାତିରେ ଦୁଇ ତାଇଫା । ଖେମଟା ନାଚ । ଦୀୟତଂ-ପୀୟତଂ ଲାଗିଛି । ଆଖପାଖ ବଜାର ଲୋକେ ଜାଣିଲେ, ଓଡିଶାର ଗୋଟାଏ ରଜାପୁଅର ବିଭାଘର ।