ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଭ୍ୟ ଜମିଦାର

                କନ୍ୟାଟିର ନାମ ନୟନତାରା-ଦୁଃଖପାସୋରା । ବାବୁ ଶୁଣିଥିଲେ ମଧ୍ୟ ପ୍ରତ୍ୟକ୍ଷ ଦେଖିଲେ – କନ୍ୟା ସୁନ୍ଦରୀ, ସଭ୍ୟା, ସ୍ୱାଧିନା, ଶିକ୍ଷିତା । ଏଣେ ଏ ଜମିଦାରବାବୁ ସେ କନ୍ୟାକୁ ଦେଖି ବିମୋହିତ ହୋଇଗଲେଣି । ମନେକଲେ, ଯେପରି ସ୍ୱର୍ଗରୁ ଦେବକନ୍ୟାଟିଏ ଓହ୍ଲାଇ ଆସିଛି । ଦିନରାତି ଗିଲାସ ହାତରୁ ଛାଡ ନାହିଁ । ଚାରିଦିନ ହେଲା ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ Courtship ଚାଲିଛି । ବଗି ଚଢି ସେମାନେ କେତେ ଜାଗା ବୁଲିଆସିଲେଣି । ହେଲେ ସେ କନ୍ୟା ବାପମାଆଙ୍କୁ ଏଇଟା ମୋଟେ ଭଲ ଲାଗୁ ନାହିଁ । କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେହି ଡରରେ ସେମାନେ ବି କିଛି କହିପାରୁ ନାହାଁନ୍ତି । କନ୍ୟାର ଜାତିକୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ ।

                ଗଳ୍ପ ଲେଖକମାନଙ୍କୁ ସମସ୍ତ ବିଷୟ ସନ୍ଧାନ କରି ନିଚ୍ଛକ ସତ୍ୟକଥାଗୁଡିକ ଲେଖିବାକୁ ହୁଏ । ଆମ୍ଭେମାନେ ବହୁତ ଅନୁସନ୍ଧାନ ଯୋଗରେ ଏହିପରି ପରିଚୟ ପାଇଅଛୁ । ଆସାମ ଚା’ ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବବୁର୍ଚ୍ଚି କାମରେ ବାହାଲ କରିଥିଲେ, ତା ନାମ ମକ୍ରା ମଳିକ । ସେ ବଢି ବଢି ପଦୋନ୍ନତିରେ ହେଲା ଖାନସମା । ସେହି ବଗିଚାରେ ୩୦/୪୦ ବର୍ଷ ହେଲା ସାହେବମାନଙ୍କ ପାଖରେ ସେ ଅଛି । ଗ୍ରାମ, ଘର, ଜାତି, କୁଳ କିଛି ବି ଜଣା ନାହିଁ – କୁଆଡେ ବା ସେ ଯିବ? ସେହିଠାରେ ଗୋଟିଏ କୁଲିଆଣୀକୁ ସେ ବାହାହେଲା । ବାହାହେଲା ସିନା, ହେଲେ ଢେର୍ ଦିନଯାଏଁ ସେମାନେ ସନ୍ତାନମୁଖ ଦେଖି ପାରିଲେ ନାହିଁ । ତେଣୁ ତ୍ରିନାଥ ମେଳା, ସୁକୁଚୁନି ପୂଜା, ଗ୍ରାମଦେବତୀ ମାଜଣା, ଏହିଭଳି ଭାବେ ସେ ଦୁଇଜଣଯାକ ଢେର୍ ଢେର୍ ଧର୍ମକାର୍ଯ୍ୟ କଲେ । ଶେଷରେ ଦରବୁଢା ବୟସରେ ସେମାନଙ୍କର ଗୋଟିଏ କନ୍ୟା ଜାତ ହେଲା, ତେଣୁ ସେ ବୁଢାବୁଢୀ ଭାରି ଖୁସି । ମା’ ଝିଅର ନାମ ଦେଲେ, ନୟନତାରା – ବାପା ଡାକିଲେ ଦୁଃଖପାସୋରା – ଶେଷରେ ତାର ନାମ ହେଲା ନୟନତାରା–ଦୁଃଖପାସୋରା । କନ୍ୟାଟି ଦିନକୁଦିନ ବଢିଗଲା । ସେହି ଚା’ ବଗିଚା ପାଖରେ ଗୋଟିଏ ସ୍କଟିସ୍ ବ୍ୟାପ୍ଟିଷ୍ଟ ଅର୍ଫେନ ବାଳିକା ସ୍କୁଲ୍ ଥିଲା । ମିସ୍ ଡଗ୍ଲାସ ଥିଲେ ସେଠାକାର ମିଷ୍ଟ୍ରେସ୍ । ମା ବାପ ଭାରି ଶ୍ରଦ୍ଧା, ଭାରି ଖୁସିରେ କନ୍ୟାଟିକୁ ମୋଜା ଜୋତା ସେମିଜ୍ ଜାକେଟ୍ ପିନ୍ଧାଇଦେଇ ସ୍କୁଲ୍ରେ ଛାଡିଲେ । କନ୍ୟାଟି ବଢି ବଢି ପାଠ ପଢି ପଢି ତେର ବା ଚଉଦ ବର୍ଷ ହେଲାଣି । କନ୍ୟାଟି ସ୍କୁଲରୁ ଆସି ମା ବାପ ପାଖରେ ଢେର୍ ଇଂରାଜୀ କଥା କହେ, ମୋଜା ବୁଣା ଦେଖାଏ, ଗୀତ ଗାଏ, ନାଚେ । ଖୁବ୍ ସ୍ୱାଧୀନା ସେ । ପୁରୁଷଗୁଡାଙ୍କୁ ସେ ମୋଟେ ଖାତର କରେ ନାହିଁ । ଏଣେ ତା’ ମା ବାପାଙ୍କ ମୁଣ୍ଡରେ ଉକୁଣି କାମୁଡିଲେଣି, କିମିତି ତାଙ୍କ ଝିଅକୁ ସେମାନେ ବାହା ଦେବେ । ତେଣୁ ସେମାନେ ଛୁଟି ନେଇ କଲିକତା ଆସିଲେ । ଢେର୍ ଖୋଜାଖୋଜି କଲେ, ମା’ର ଜାତିକୁଳ, ଦେଶର ପତା ନ ଲାଗିବାରୁ ବର ଜୁଟିଲା ନାହିଁ । ପ୍ରଜାପତି ଘଟସୂତ୍ର ଜଣେ ଦଲାଲ୍ ଠିକଣା ଲଗାଇଦେଲା । ସେହି ଦଲାଲ୍ ରାଜୀବବାବୁଙ୍କୁ ଜଣାଇଲା, “ଆପଣ ଜମିଦାର । କଲିକତା ସହରରେ ତ ଆପଣଙ୍କର ଭାରି ନାମ ଡାକ । ସେହିପରି ମର୍ଯ୍ୟାଦାର ବିଭାଘର ହେବ ।” ଦଲାଲ୍ର ଏପରି କଥାରେ ବାବୁ ଝୁଙ୍କି ଝୁଙ୍କି କହିଲେ, ‘ଅବଶ୍ୟ, ଅବଶ୍ୟ ନିଶ୍ଚୟ ।’ ମେନେଜରବାବୁ କହିଲେ, “ଟଙ୍କା ନାହିଁ ଯେ!” ଦଲାଲ୍ କହିଲା, “ଏ କଣ ଗୋଟାଏ କଥା? ବାବୁଙ୍କର ପୁଣି ଟଙ୍କାର ଅଭାବ? ବାବୁ ଖାଲି ଥରେ ଆଜ୍ଞା କରନ୍ତୁ, ଏଇଲାଗେ ଦଶହଜାର ଟଙ୍କା ମୁଁ ଆଣିଦେବି ।” ଟଙ୍କା ନାମ ଶୁଣି ବାବୁଙ୍କର ଟିକେ ହୋସ୍ ହେଲା । ଏକଥା ଶୁଣି ମନ ଖୁସି କରି ସେ ସଳଖି ବସିଲେ । କଲିକତାରେ ମହାଜନଙ୍କର ଅଭାବ କ’ଣ? ଖୁବ୍ କାଏଦା କଟକଣାରେ ଜମିଦାରୀ ଲେଖିନେଇ ଦଶହଜାର ଟଙ୍କା ଦେବାକୁ କହିଲା । ଦଲାଲ ରେଜିଷ୍ଟରୀ କରିବାକୁ ତର ସହୁ ନାହିଁ, ଜଲ୍ଦି ଟଙ୍କା ଆଣ! କଲିକତାରେ ଅନେକ ବାବୁ ଅର୍ଥାତ୍ ପୂର୍ବ ସଭାର ସଭ୍ୟମାନେ, ଆଉ ଖିଦିରପୁର ବଜାରର ଛୁଟିକୁରିଆ ବଢିଆ ସମସ୍ତ ଦୋକାନୀ ନିମନ୍ତ୍ରିତ ହୋଇଗଲେ । ନାନାପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନ୍ତଖୁଂଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର । ତିନି ଦିନ ଯାଏଁ ନାଚତାମସା, ଖିଆପିଆର ଖୁବ୍ ଧୁମ୍ ଲାଗିଛି ।

କରଜ ଦଶହଜାର ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା, ଆମ୍ଭେମାନେ ସେଥିର ହିସାବ ଦେଇପାରିବୁ ନାହିଁ, କାହିଁକିନା ସେଥିରେ କିଛି ଲେଖା ହିଁ ନାହିଁ । ମେନେଜର ହରିବୋଲବାବୁଙ୍କ ହାତରେ ତହବିଲ । ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସଭ୍ୟଦେଶ ନିୟମାନୁସାରେ ପାନର ମାତ୍ରା କିଛି ବଳି ପଡିଥିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖିବାକୁ ସେ ଆଉ ବେଳ ପାଇ ନାହାଁନ୍ତି ।

ବିବାହ ଶେଷ । ଜମିଦାର ଜମିଦାରିଣୀ ଦେଶସ୍ଥ ସଭ୍ୟମାନଙ୍କୁ ଧରି ନିଜ ଦେଶକୁ ବାହୁଡିଲେ । ବରକନ୍ୟା ଉଆସ ମଧ୍ୟକୁ ପ୍ରବେଶ ବେଳେ ଉଆସର ପୋଇଲୀ ପଞ୍ଝା ଗ୍ରାମର ଭଲ ଭଲ ଲୋକ ଘର ବୋହୂଝିଅମାନେ ଗୋଟିଏ ନୂଆ କୁଲାରେ ସେରେ ଅରୁଆଚାଉଳ, ଦୂବ, ବରକୋଳିପତ୍ର ନେଇ ତାହା ଉପରେ ଘିଅଦୀପଟାଏ ଥୋଇ ବରକନ୍ୟା ବନ୍ଦାଇ ନେବାକୁ ଆସିଲେ । ଶଙ୍ଖ ହୁଳହୁଳି ଶୁଣି ଜମିଦାର ଭାରି ରାଗିଯାଇ ‘କୁସଂସ୍କାର, କୁସଂସ୍କାର, ଅସଭ୍ୟତା’ କହି ଭାରି ଗୋଟାଏ ପାଟି କଲେ । ସ୍ୱାମୀଙ୍କ ଦେଖାଦେଖି କନ୍ୟାମାନେ “ଏହା ନିତାନ୍ତ ବଡ କୁସଂସ୍କାର ଅଛି, ଏହା ଅସଭ୍ୟତା” କହି ଠୋ ଠୋ କରି ହସିଉଠିଲେ । ଗାଁ ଭୁଆସୁଣୀଗୁଡାକ ଏସବୁ ଦେଖି ଶୁଣି ଛାନିଆରେ, ଡରରେ, ଘୃଣାରେ କୁଲାଟା ତଳେ ଥୋଇଦେଇ ଯେ ଯାହା ଘରକୁ ପଳାଇଲେ ।

ପୁଅବୋହୂ ଦୁହେଁ ହାତ ଧରାଧରି ହୋଇ ମା-ସାଆନ୍ତାଣୀଙ୍କ ସହିତ ସାକ୍ଷାତ୍ କରିବାକୁ ବାହାରିଲେ । ମା’ ସେତେବେଳେ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଖି ବୁଜି ଫୁସ୍ଫୁସ୍ ‘ହରେକୃଷ୍ଣ’ ନାମ ଜପୁଛନ୍ତି । ବୋହୂର ଗୋଡର ଲେଡି ଜୋତା ଏଡିର ଠକ୍ଠକ୍ ଶବ୍ଦ ଶୁଣି, ହଠାତ୍ ମା-ସାଆନ୍ତାଣୀ ଚମକିପଡି ଠିଆ ହୋଇଗଲେ । ବୋହୂ ଟିକିଏ ହସି ହସି କହିଲା ଓ ଆମ୍ଭର ପ୍ରିୟ ଶାଶୁ! ନମସ୍କାର – ନମସ୍କାର! ‘କେମନ୍ତ କର ଆପଣ କର’ କହି ହାତ ବଢାଇ ସେ ଯେମନ୍ତ ଶାଶୁ ପାଖକୁ ଚାଲିଯିବେ, ବୁଢୀ ତ ‘ଛୁଁ – ନା – ଛୁଁ – ନା – ଛୁଁ – ନା; ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ଏହାକୁ ବାହାର କରି ଦିଅରେ, ବାହାର କରି ଦିଅରେ’ ବୋଲି ରଡି ଛାଡିଲେ । ଏହା ଶୁଣି ଜମିଦାରବାବୁ ମିସେସ୍ ମହାପାତ୍ରଙ୍କ ହାତ ଧରି ଭିଡିନେଲେ । ତା’ପରେ ଭାରୀ ଖପାଟାଏ ହୋଇ ଜମିଦାରବାବୁ କହିଲେ, “ଅସଭ୍ୟତା, ଭାରି ମୂର୍ଖତା, କୁସଂସ୍କାର । ଓହୋ! ଏସବୁ ଲେଡିକୁ ଭାରି ଇନସଲ୍ଟ!” ସେହି ମୁହୂର୍ତ୍ତରେ ମା-ସାଆନ୍ତଣୀ ଆଉ ତାଙ୍କ ବିଶ୍ୱାସୀ ପୋଇଲୀ ରାଧୀ ଗୋଟିଏ ପୁଟୁଳି ଧରି ସେ ଘରୁ ବାହାରିଗଲେ – ପୁରୀ ମାତାମଠରେ ରହିବାର ଆଠ ଦିନ ବାଦ ଏହି ସମ୍ବାଦ ଆସିଲା ।   


ଗପ ସାରଣୀ

ତାଲିକାଭୁକ୍ତ ଗପ