ଏଥର ତାଙ୍କୁ ଆଉ କେହି ବାଧା ଦେବାକୁ ନାହିଁ, କେହି କିଛି କହିବାକୁ ବି ନାହିଁ, ସ୍ୱାଧୀନ ଭାବରେ କୁସଂସ୍କାର ନିବାରଣ ଆଉ ଦେଶ ଉଦ୍ଧାର ବିଷୟରେ ଲାଗି ପଡିଛନ୍ତି । ରାତିସାରା ସଭା, ବକ୍ତୃତା ଓ ପାନାହାରରେ କଟିଯାଏ, ଶୋଇବା ବେଳ କାହିଁ? ମିସେସ୍ ମହାପାତ୍ର ବି ସଭାରେ ଛିଡା ହୋଇ କେତେଥର ବକ୍ତୃତା ଦେଲେଣି । ତେଣୁ ସେ ଦିନଯାକ ଶୋଇଥାନ୍ତି; ପ୍ରଜାପାଟକ କେହି ଗୁହାରିଆ ଆସିଲେ ଭେଟ ନାହିଁ । ଯଦି ବା ଭେଟ ମିଳେ, ଏକ ଜବାବ୍, “ମେନେଜର ପାଖକୁ ଯାଅ ।”
କେହି ବୋହୂସାଆନ୍ତାଣୀ ବୋଲି କହିଲେ ଜମିଦାରବାବୁ ଭାରି ଖପା ହୋଇଯାଆନ୍ତି । ତେଣୁ, ତାଙ୍କ ନାମ ହୋଇଛି, ମିସେସ୍ ମହାପାତ୍ର । ମାତ୍ର ଏ ପୋଇଲୀମାନେ ଆଉ ମୂର୍ଖ ଚାକରଗୁଡାକ ଠିକ୍ ନାମ ଧରି କଦାପି ଡାକିପାରନ୍ତି ନାହିଁ । କେହି କହେ କିସ୍ମିସ୍ ମହାପାତ୍ର – କେହି କହେ, ମିସ୍ତ୍ରୀ ମହାପାତ୍ର – କେହି ଡାକେ, ଫିସ୍ଫିସ୍ ମହାପାତ୍ର; କିନ୍ତୁ ସେଥିରେ ମନା ନାହିଁ, ବରଂ ମିସେସ୍ ମହାପାତ୍ର ହସିପକାଇ ବଡ ଖୁସି ହୁଅନ୍ତି ।
ମିସେସ୍ ମହାପାତ୍ର ପ୍ରାତଃକାଳରେ ଚା’ ଖାଇଲା ବାଦ ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗ ଦାଣ୍ଡରେ ପ୍ରାତଃଭ୍ରମଣ କରି ଆସନ୍ତି । ଦିନେ ବବୁର୍ଚ୍ଚିଖାନା ତଦାରଖ କରିବାକୁ ସେ ଚାଲିଗଲେ । ସେତେବେଳେ ପୋଇଲୀ ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡକରେ ଚୁଲି ଲିପୁଥିଲା । ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯିମିତି ସେ ତା’ର ମୁହଁ ବଙ୍କାଇ ପଛକୁ ଚାହିଁଦେଇଛି, ଭାରି ପାଟିଟିଏ ସେ କଲା, “ଆଲୋ ମୋ ମାଲୋ! ଆଲୋ ବାପାଲୋ! ଜୋତା ମାଡି ହାଣ୍ଡିଶାଳରେ ପଶିଲାଲୋ! ହାଣ୍ଡିପାଗ ମାରୁ ଗଲାଲୋ!” କନାଖଣ୍ଡ ଫୋପାଡିଦେଇ ଏକା ମୁହାଁ ସେ ଧାଇଁଛି । ସେହିଦିନଠାରୁ ଆଉ ସେ ଉଆସରେ ତାକୁ କେହି କେବେବି ଦେଖି ନାହିଁ । ଏଣେ ମିସେସ୍ ମହାପାତ୍ର ‘ଉଆ, ଉଆ, ଉଆ’ କହି ଅନ୍ୟଆଡକୁ ଧାଇଁଛନ୍ତି । ସେତେବେଳେ ମୁହଁରେ ରୁମାଲ ଜାକି ନ ଥିଲେ, କେଜାଣି ସେ ବାନ୍ତି କରି ପକାଇଥାନ୍ତେ । ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳିଦେବାରୁ ସାଷ୍ଟମ ହେଲେ ସେ । ଗୋରୁଗୁହ ବବୁର୍ଚ୍ଚିଖାନାରେ ଢଳାଯାଇଛି, ଜମିଦାର ଏକଥା ଶୁଣି ଭାରି ଖପା; ମୂର୍ଖତା, ଅସଭ୍ୟତା, କୁସଂସ୍କାର । ସେ ଘରେ ରୋଷେଇ ହେଲେ ଲେଡିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରି ପକାଇବେ ସେ । ତେଣୁ ଚାରିବୋତଲ ଫେନାଇଲ୍ ସେ ଘରସାରା ଢଳାଗଲା ।
ଏହିପରି ଆଠ ଦଶ ମାସ ଗଲା ବାଦେ ଦିନେ କରଣମାନେ ମେଳିବାନ୍ଧି ଆସି ମେନେଜରଙ୍କ ପାଖରେ ଜଣାଇଲେ, “ଖମାର ସବୁ ଖାଲି ପଡିଛି, ଗୋରୁ ମଇଁଷି ପଲରେ ଲାଙ୍ଗୁଡ ଖଣ୍ଡେ ବି ନାହିଁ, ପାଂଚବାଟି ହାତଚାଷ ପ୍ରଜା ଲଗାଇ ଦେଇ ଯେଉଁ ସଲାମି ମିଳିଥିଲା ତାହା ଆସି ସରିବାକୁ ବସିଲାଣି, ଆଉ ଏବେ କାହୁଁ ଖରଚ ଯୋଗାଇବୁଁ?” ମେନେଜର ତୁରନ୍ତ ଜବାବ ଦେଲେ, “ମାରିପିଟି ପ୍ରଜାଙ୍କଠାରୁ ଆଗତୁରା ବର୍ଷକର ଖଜଣା ଅସୁଲ କର ।” ‘କୁମ୍ଭୀର ଖୋଜେ ଗୋଳିଆ ପାଣି’, ଅମଲାମାନେ ଆନନ୍ଦରେ ‘ଆଜ୍ଞା’ କହି ଦଣ୍ଡବତ ହୋଇ ସେଠାରୁ ଚାଲିଗଲେ ।
ଆଉ ଦୁଇମାସ ବାଦେ କାର୍ତ୍ତିକ କିସ୍ତି ଟଙ୍କା ଦାଖଲ ନ ହେବାରୁ ତାଲୁକ ନିଲାମରେ ଚଢିବାର କଟକରୁ ଜବାବ ଆସିଲା । ଠିକ୍ ସେହିଦିନ କଲିକତା ମହାଜନ ଦଶହଜାର ଟଙ୍କା ମୂଳକୁ କଳନ୍ତର ଖର୍ଚ୍ଚା ଓଗେର ଭିଡି କୋଡିଏହଜାର ଟଙ୍କାପାଇଁ ଡିକ୍ରୀଜାରି ପିଆଦା କଲିକତା ହାଇକୋର୍ଟରୁ ଆଣି ଚଳନ୍ତି ଅଚଳନ୍ତି ଯାନାସନ ସମସ୍ତ କ୍ରୋକ୍ କରି ପକାଇଲା ।
ସକାଳୁ ଉଠି ମିଷ୍ଟର ଓ ମିସେସ୍ ମହାପାତ୍ର ବଗଲା – ବଗୁଲୀ ପରି ବସିଛନ୍ତି, ଜନପ୍ରାଣୀ କେହି ହେଲେ ବି ତାଙ୍କ ପାଖରେ ନାହିଁ । ସଭାର ସଭ୍ୟମାନେ ତ ବହୁ ଆଗରୁ ଏକଘରିଆ ହୋଇଥିଲେ, ଗୋବରପାଣି ପିଇ ଜାତିରେ ଉଠିଛନ୍ତି । ଆଉ କି ସେମାନେ ଆସିବେ? ବେଳ ବୁଡିବାକୁ ବସିଲାଣି, ଏଣେ ଏ ମିଷ୍ଟର ଓ ମିସେସ୍ ଦୁଇଜଣ ଭୋକରେ ଖାଲି ଛଟପଟ ହେଉଛନ୍ତି । ସଞ୍ଜ ଲାଗିଲା ବେଳକୁ ମିସେସ୍ ମହାପାତ୍ର ବହୁ କଷ୍ଟରେ ଖଣ୍ଡେ ଅଳଙ୍କାର କାଢିଦେଲେ, ବିକିବାକୁ ଯାଇ ଦେଖିଲେ ସେଇଟା ପିତଳ, ଗିଲ୍ଟି । ଖଣ୍ଡିଏ, ଆଉ ଖଣ୍ଡିଏ ଦେଖାଗଲା, ହେଲେ କ’ଣ ହେବ ସବୁଗୁଡାକ ଗିଲ୍ଟି । ବିଭାଘର ସମୟରେ ଅଢେଇହଜାର ଟଙ୍କାର ଗହଣା କିଣାଯାଇଥିଲା; ସେ ସବୁଗୁଡାକ ଗିଲ୍ଟି । ଏତେବେଳେ ଯାଇ ସେ ଦୁଇଜଣଙ୍କ ଚେତା ପସିଲା । ଆଉ ଡିକ୍ରୀଜାରି ପିଆଦା ଜୁଲମରେ ଘରେ ସେମାନେ ରହିପାରିଲେ ନାହିଁ, ସେହି ରାତି ଅନ୍ଧକାରରେ କାହିଁ ଅନ୍ତର୍ଦ୍ଧାନ ।
ପାଂଚ ଛ’ ବର୍ଷ ବାଦେ ଜମିଦାରବାବୁ ତାଙ୍କ ଶ୍ୱଶୁର କାମରେ ଆସାମରେ ଖାନସମାଗିରି କାମ କରୁଥିବାର ଦେଶରେ ଶୁଣାଗଲା ।
ଗାଳ୍ପିକ – ଫକୀରମୋହନ ସେନାପତି