ପ୍ରଧାନ ମନ୍ତ୍ରୀ ରାଜାଙ୍କୁ କହିଲେ, “କ୍ଷମା ମହାରାଜ, ଏଡେ ବଡ ସମସ୍ୟାର ସମାଧାନ ଏତେ ଶୀଘ୍ର ହୋଇପାରେ ନାହିଁ । ଆମକୁ ଦୁଇଘଂଟା ସମୟ ଦିଅନ୍ତୁ ତା’ପରେ ଆମେ ଆପଣଙ୍କୁ ନିଜର ମତ ଜଣାଇବୁ ।” ଏତିକି କହି ପ୍ରଧାନ ମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କୁ ଡାକିନେଇ ଅନ୍ୟ ଏକ କକ୍ଷକୁ ଚାଲିଗଲେ ।
“ଠିକ୍ ଅଛି, ଯେପରି ହେଉ ପଛେ କିଛି ଗୋଟାଏ ସମାଧାନ ଯଥାଶୀଘ୍ର କରିବାକୁ ହେବ ।”
ଆଲୋଚନା ବେଳେ ଜଣେ ମନ୍ତ୍ରୀ କହିଲେ, “ଆଜ୍ଞା, ଯୁଦ୍ଧ ପରି ସନ୍ଧି ମଧ୍ୟ ଏକ ରାଜଧର୍ମ ସେକଥା ଆମ ମହାରାଜ ବୁଝିପାରୁ ନାହାଁନ୍ତି । ଆପଣ ଏଇ କଥାଟି ନାନା ଦୃଷ୍ଟାନ୍ତ ଦେଇ ମହାରାଜାଙ୍କୁ ଭଲ ଭାବରେ ବୁଝାଇ ଦିଅନ୍ତୁ ।”
ପ୍ରଧାନ ମନ୍ତ୍ରୀ କହିଲେ “ହଁ ମୁଁ ତ ଯତ୍ପରୋନାସ୍ତି ଚେଷ୍ଟା କରୁଛି ହେଲେ ସିଏ ଶୁଣିଲେ ତ?”
“ଏବେ ଚାଲନ୍ତୁ ମହାରାଜଙ୍କୁ କହିବା ଯେ ଏତେ କମ୍ ସମୟ ଭିତରେ ଆମେ ଆଉ କିଛି ନିଷ୍ପତି କରିପାରି ନାହୁଁ । ତେଣୁ କାଲି ଆମେ ତାଙ୍କୁ ଭେଟି ଯାହା କହିବା । କାରଣ ହାତରେ ସମୟ ପାଇଲେ ଆମେ ମଧ୍ୟ କିଛି ସମୟ ପାଇଁ ସମାଧାନ ଖୋଜନ୍ତେ ଓ ମହାରାଜଙ୍କର ଯୁଦ୍ଧ ଲିପ୍ସା ମଧ୍ୟ କିଂଚିତ କମ୍ ହୋଇଯା’ନ୍ତା ।”
ବିଦୁଷକ କହିଲେ, “ଜଣେ ରାଜାର ଜୀବନରେ ଯୁଦ୍ଧ ତ ନିଶ୍ଚୟହିଁ ଆସିବ ଓ ଯୁଦ୍ଧ କରିବାରେହିଁ ରାଜାର ବୀରତ୍ୱ ନିହିତ । ଯୁଦ୍ଧକୁ ଦେଖି ପଳାଇବା ଆଦୌ ଉଚିତ୍ ନୁହେଁ, କିନ୍ତୁ ଆମକୁ ଦେଖିବାକୁ ହେବ ଯୁଦ୍ଧ ଅପେକ୍ଷା ଅନ୍ୟ ଏକ ଭୟଙ୍କର ସମସ୍ୟା – ଦୁର୍ଭିକ୍ଷ – ମଧ୍ୟ ଆମ ସାମନାରେ ଅଛି ।”
ରାଜା କହିଲେ “ଅବଶ୍ୟ; ତେବେ ଦୁର୍ଭିକ୍ଷର ଦ୍ୱାହି ଦେଇ ସନ୍ଧି କଲେ ହୁଏତ ଅନ୍ୟ ରାଜାମାନେ କହିପାରନ୍ତି ଯେ ଯୁଦ୍ଧର ଆହ୍ୱାନକୁ ଜଣେ କ୍ଷତ୍ରିୟ ହୋଇ ରକ୍ଷା କଲାନାହିଁ । ତାହା ମଧ୍ୟ ଏକ ଲଜ୍ଜାର ବିଷୟ ।”
ବିଦୁଷକ କହିଲେ “ମହାରାଜ, ରାଜାର ପ୍ରଥମ କର୍ତ୍ତବ୍ୟ ହେଲା ରାଜ୍ୟର ଓ ପ୍ରଜାମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବା । ଆପଣ ଆଜି ପର୍ଯ୍ୟନ୍ତ ନିଜର ଆହାର ନିଦ୍ରା ଭୁଲି ପ୍ରଜାମାନଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଯୁଦ୍ଧହେଲେ ଏହି ଦୁର୍ଭିକ୍ଷ ପ୍ରପୀଡିତ ପ୍ରଜାମାନେ କି ଯୁଦ୍ଧ କରିବେ? କେବଳ ରକ୍ତପାତ ଓ ଗୁଡିଏ ସରଳ, ନିଷ୍ପାପ ପ୍ରଜାଙ୍କର ଜୀବନ ନଷ୍ଟ, ଆଉ ତାହା ପୁଣି ବିନାକାରଣରେ । ଏହାର ଅର୍ଥ ଆପଣ ଯେଉଁମାନଙ୍କୁ ଆଜିଯାଏଁ ପ୍ରାକୃତିକ ଦୁର୍ଘଟଣାଠାରୁ ନାନା ଦୈବିକ ଓ ମାନୁଷୀ ଦୁର୍ଘଟଣା ପର୍ଯ୍ୟନ୍ତ ନିଜ ପିଲା ପରି ରକ୍ଷା କରି ଆସିଛନ୍ତି, ସେମାନେ ଆପଣଙ୍କ ଆଖି ଆଗରେ ପଶୁମାନଙ୍କ ପରି ଅଯଥାରେ ପ୍ରାଣ ହରାଇବେ । ଆମେ ଜିତିବା ବା ନ ଜିତିବା ସେଥିରେ କିଛି ନାହିଁ । ଲୋକକ୍ଷୟ ନିଶ୍ଚୟ ହେବ । ପୁଣି ହାରିବାର ସମ୍ଭାବନା ଅଧିକ ଅଛି । ଏଣିକି ଆପଣ ଚିନ୍ତା କରନ୍ତୁ ।”
ରାଜା କହିଲେ “ତୁମେ ଯାହା କହୁଛ ସତ ବିଶାରଦ । କିନ୍ତୁ ଯୁଦ୍ଧର ଆହ୍ୱାନକୁ ସ୍ୱୀକାର ନ କରିବା ଭୀରୁତାର ପରିଚୟ ଦିଏ ଓ ତାହା କ୍ଷତ୍ରିୟ ଧର୍ମର ବିରୁଦ୍ଧରେ ଯାଏ । ସେଥିପାଇଁ ଏ ବିଷୟରେ ମୁଁ ଦ୍ୱିଧାବୋଧ କରୁଛି ।”
ବିଶାରଦ କହିଲେ “ପ୍ରଭୁ, ଆପଣ ପ୍ରଜାଙ୍କର ମଙ୍ଗଳ ଚାହାଁନ୍ତି । ତାଙ୍କୁ ସର୍ବଦା ରକ୍ଷା କରିବା ଆପଣଙ୍କର ଧର୍ମ । ତାହାହିଁ ରାଜାର ଧର୍ମ । ଯଦି ପ୍ରାକୃତିକ ବିପର୍ଯ୍ୟୟରୁ ଦୁର୍ଭିକ୍ଷ ପଡିଲା ଓ ଆପଣ ରାଜକୋଷର ଧନର ବିନିମୟରେ ପଡୋଶୀ ରାଜ୍ୟରୁ ଶସ୍ୟ ଆଣି ସେମାନଙ୍କ ଜୀବନ ରକ୍ଷା କରୁଛନ୍ତି ତେବେ ସନ୍ଧି ନ କରି କାହିଁକି ସେମାନଙ୍କ ଜୀବନ ବିପନ୍ନ କରିବେ?”
ରାଜା କହିଲେ “ଅବଶ୍ୟ; ତେବେ ଗୋଟିଏ ରାଜ୍ୟ ଯୁଦ୍ଧ ଘୋଷଣ କରିବା ପରେ ଆମେ ଯୁଦ୍ଧ କରିବାଟା ସମସ୍ୟାକୁ ସମାଧାନ କରିବା ନୁହେଁ ବରଂ ସମସ୍ୟାରୁ ପଳାୟନ କରିବା ପରି ଲାଗୁଛି ।”
ବିଶାରଦ କହିଲେ “ମହାରାଜ, ଯୁଦ୍ଧ ପାଇଁ ଯୁଦ୍ଧ ଯେପରି ଏକ ସମାଧାନ, ଯୁଦ୍ଧ ପାଇଁ ସନ୍ଧି ମଧ୍ୟ ଅନ୍ୟ ଏକ ସମାଧାନ । ରାଜା ମଧ୍ୟ ଦୁଇପ୍ରକାର ଅଛନ୍ତି । ଯୁଦ୍ଧଖୋର୍ ରାଜାମାନେ ବିନା କାରଣରେ ଯୁଦ୍ଧ କରନ୍ତି; ଯୁଦ୍ଧ କ୍ଷେତ୍ରର ରକ୍ତପାତ ଓ ବିଭତ୍ସ ଘଟଣା ସବୁ ଦେଖି ସେମାନେ ଅତ୍ୟନ୍ତ ଖୁସି ହୁଅନ୍ତି । ଆପଣଙ୍କ ପଡୋଶୀ ରାଜା ଏହି ପ୍ରକାରର ବ୍ୟକ୍ତି । ଆପଣ ତା’ର ଆହ୍ୱାନକୁ ସ୍ୱୀକାର କରିବା ଅର୍ଥ ତା’ର ଆସୁରୀ ପ୍ରକୃତିକୁ ଉତ୍ସାହ ଦେବା । ଏ କ୍ଷେତ୍ରରେ ସନ୍ଧିର ପ୍ରସ୍ତାବ ହେଉଛି ଶାନ୍ତିର ପ୍ରସ୍ତାବ । କାରଣ ଆପଣ ଜଣେ ଯୁଦ୍ଧଖୋର୍ ରାଜା ନୁହଁନ୍ତି, ଆପଣ ହେଉଛନ୍ତି ଶାନ୍ତିପ୍ରିୟ ରାଜା । ଏଠାରେ ସନ୍ଧି ଶାନ୍ତି ପାଇଁ, ପ୍ରଜାଙ୍କ ମଙ୍ଗଳ ପାଇଁ । ଆପଣ କାହିଁକି ଏଥିରେ ରାଜି ହେଉ ନାହାଁନ୍ତି?”
ରାଜା କହିଲେ “ତମେ ଯାହା ଯାହା କହିଲ, ସେଗୁଡିକ ସବୁ ମୋର ମନର କଥା । ତଥାପି ମଧ୍ୟ ଯୁଦ୍ଧ ନ କରିବାଟା ସମସ୍ୟାରୁ ପଳାୟନ କରିବା ପରି ମନେ ହେଉଛି ସମାଧାନ କରିବା ପରି ନୁହେଁ ।”
ବିଦୁଷକ କହିଲେ “ଆଜ୍ଞା ମଣିମା, ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ୍ୟ । ତଥାପି ସମସ୍ୟାର ନାନା ପ୍ରକାର ସମାଧାନ ମଧ୍ୟରୁ ସନ୍ଧିକୁ ଯଦି ପଳାୟନର ରୂପ ଦିଆଯାଏ ତେବେ ସେହି ପଳାୟନହିଁ ଏଠାରେ ଯଥାର୍ଥ ସମାଧାନ ।”
“ସାବାସ୍ ବିଶାରଦ । ଆଜି ତୁମ ଚତୁରତାରେ ଓ ବିଚାରରେ ମୁଁ ଅତ୍ୟନ୍ତ ମୁଗ୍ଧ । ଏଇ ନିଅ ତୁମର ପୁରସ୍କାର ।” ଏତିକି କହି ରାଜା ତାଙ୍କୁ ଏକ ରତ୍ନହାର ପୁରସ୍କାର ଦେଲେ ।
ପରଦିନ ରାଜା ତାଙ୍କ ମନ୍ତ୍ରୀମାନଙ୍କୁ କହିଲେ ଯେ ସେ ସନ୍ଧି କରିବା ପାଇଁ ହିଁ ସ୍ଥିର କରିଛନ୍ତି ।