ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟି ମାନ ।
କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣପୂର୍ବକ ଓହ୍ଲାଇ ଆଣିଲେ ସେ ଶବଟିକୁ । ତେବେ, ତାକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍! ଅର୍ଦ୍ଧରାତ୍ରର ଏହି ଘୋର ଅନ୍ଧକାର । ଶ୍ମଶାନର ଭୟାବହ ପରିବେଶ । କିନ୍ତୁ ଏହାକୁ ଖାତିର୍ ନ କରି ତୁମର ଏହି ଉଦ୍ୟମ ଓ ନିଷ୍ଠା ମୋ ମନରେ ବିସ୍ମୟ ସୃଷ୍ଟି କରୁଛି । ଏପରି କଠୋର ପରିଶ୍ରମ ହେତୁ ମୁଁ ଜାଣିପାରେ କି? କେଉଁ ଲକ୍ଷ୍ୟ ହାସଲ କରିବା ପାଇଁ ତୁମେ ଏସବୁ କରୁଛ? କୌଣସି ଅଦ୍ଭୁତ ଶକ୍ତି ହାସଲ ପାଇଁ ନୁହେଁ ତ? ଏଥିପାଇଁ ତ ଅନେକ ମାର୍ଗ ରହିଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ତପସ୍ୟା । ତପୋସଂପନ୍ନ ତପସ୍ୱୀ ଅଦ୍ଭୁତ ଶକ୍ତି ପ୍ରାପ୍ତି କରନ୍ତି । ସ୍ୱପ୍ରୟୋଜନ ପାଇଁ ଏପରି ଶକ୍ତିର ପ୍ରାୟାଗ ନିଷ୍ଫଳ ହୁଏ । ଏହା ଅପରର ଅଭୀଷ୍ଟ ସାଧନ ପାଇଁ ଉଦ୍ଦିଷ୍ଟ ରହେ । କିନ୍ତୁ ଏହି ସାର୍ବଜନୀନ ସତ୍ୟର ବିରୁଦ୍ଧାଚରଣ କରି ଜଣେ ସାଧୁ ନିଜର ସ୍ୱାର୍ଥ ହାସଲ ପାଇଁ ନିଜର ଅଦ୍ଭୁତଶକ୍ତିର କିପରି ପ୍ରୟୋଗ କରିଥିଲେ, ତାର ଏକ କାହାଣୀ ମୁଁ ତୁମକୁ ଶୁଣାଉଛି । ଏହା ତୁମର ମାର୍ଗଦର୍ଶକ ହେବା ସହିତ ପଥଶ୍ରମ ଲାଘବ କରିବ ।” ତା’ପରେ ବେତାଳ ତା କାହାଣୀ କହିବା ଆରମ୍ଭ କଲା ।