ଦୁଇଭାଇ ଥିଲେ । ସେମାନଙ୍କ ନାମ ପଦ୍ମାକର, ରତ୍ନାକର । ପଦ୍ମାକର ତାଙ୍କର ବ୍ୟବସାୟରେ ସଫଳତା ଅର୍ଜନ କରିଥିଲେ । ସେ ତାଙ୍କ ଭାଇଙ୍କୁ ବ୍ୟବସାୟରେ ଅଂଶୀଦାର ହେବାପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ରତ୍ନାକର ଭାଇଙ୍କର ଏହି ପ୍ରସ୍ତାବକୁ ଅସ୍ୱୀକାର କରି କହିଲେ, “ମୋର ସମ୍ପତ୍ତିରେ ଥିବା ଅଂଶ ମତେ ପ୍ରଦାନ କରନ୍ତୁ । ମୁଁ ଦୂର ବିଦେଶକୁ ଯାଇ ଅଧିକ ବିଦ୍ୟାର୍ଜନ ପାଇଁ ଇଚ୍ଛା କରୁଛି ।”
ସେ ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ତ ପୈତୃକ ସମ୍ପତ୍ତି ଦୁଇଭାଗ କରି ବାଂଟିଦିଆଗଲା । ରତ୍ନାକର ନିଜ ଭାଗର ସମସ୍ତ ସମ୍ପତ୍ତି ନେଇ ସେଠାରୁ ଚାଲିଗଲେ । ଦେଶ ବିଦେଶ ବୁଲି ସେ ସମସ୍ତ ପ୍ରକାରର ବିଳାସ ବ୍ୟସନ ଉପଭୋଗ କରିବାରେ ଲାଗିଲେ । ନିଜର ସମସ୍ତ ସଂପଦ ବ୍ୟୟ ହୋଇଯିବା ପରେ ସେ ପୁନଶ୍ଚ ସ୍ୱଗ୍ରାମକୁ ଫେରିଆସିଲେ । ଭାଇଙ୍କୁ ମିଥ୍ୟା କଥାରେ ଭୁଲାଇ ଦେଲେ ଯେ, ତାଙ୍କର ସମସ୍ତ ଅର୍ଥ ଡକାୟତମାନଙ୍କ ଦ୍ୱାରା ଲୁଣ୍ଠିତ ହୋଇଯାଇଛି ।
ପଦ୍ମାକର ଭାଇର କଥାକୁ ବିଶ୍ୱାସ କଲେ ଓ ନିଜ ସହିତ ରହିବା ପାଇଁ ଅନୁମତି ଦେଲେ । ହେଲେ ସେ ଚତୁର ରତ୍ନାକର ଭାଇଙ୍କ ସାଦର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି କହିଲେ, “ମୁଁ ଜଣେ ଆତ୍ମାଭିମାନୀ ବ୍ୟକ୍ତି । ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛି । ତେଣୁ ମୋ ଉପରେ ଯଦି ତୁମର ବିଶ୍ୱାସ ଥାଏ, ତେବେ ଆଉ କିଛି ଅର୍ଥ ମତେ ଋଣ ଆକାରରେ ପ୍ରଦାନ କରନ୍ତୁ । ତାହା ବ୍ୟବସାୟରେ ନିୟୋଜିତ କରି ମୁଁ ମୋର ସ୍ଥିତି ସୁଧାରିନେବି ।”
ରତ୍ନାକରଙ୍କ ଏପରି କଥାରେ ପଦ୍ମାକର ହସି ହସି କହିଲେ, “ଆତ୍ମାଭିମାନୀ ବ୍ୟକ୍ତି କେବେହେଲେ କାହାଠାରୁ ଋଣ ମାଗେ ନାହିଁ । ତୁମକୁ ଆତ୍ମବଳ ଉପରେ ନିର୍ଭର କରିବା ପାଇଁ ହିଁ ପଡିବ । ନିଜେ ନିଜର ଦାୟିତ୍ୱ ନେଲେ, ନିଜର ସାମର୍ଥ୍ୟ ଉପରେ ଅଧିକ ଆସ୍ଥା ଓ ବିଶ୍ୱାସ ପ୍ରକଟିତ ହୁଏ । ତେଣୁ ତୁମେ ବିବାହ କର । ବିବାହ ପରେ ପତ୍ନୀଙ୍କର ଅଳଙ୍କାର ବିକ୍ରୟ କରି ବ୍ୟବସାୟ ଆରମ୍ଭ କରିବ । କାରଣ ବିବାହ ପରେ ପତି ଓ ପତ୍ନୀଙ୍କ ମଧ୍ୟରେ ନିଜ, ପରର କୌଣସି ପ୍ରଭେଦ ନ ଥାଏ । ତେଣୁ ସେହି ଧନ ତୁମର ଆତ୍ମାଭିମାନକୁ ହାନୀ କରିବ ନାହିଁ ।” ଏକମାସ ଅନ୍ତରରେ ରତ୍ନାକରଙ୍କ ସହିତ ହେମାବତୀଙ୍କର ବିବାହ ଅନୁଷ୍ଠିତ ହେଲା । ବ୍ୟବସାୟରେ ଯଦିଓ ବିଶେଷ ଉନ୍ନତି ପରିଲକ୍ଷିତ ହେଲା ନାହିଁ, ତେବେ ବି ବଡମଉଜରେ ରତ୍ନାକର ଦିନ କାଟୁଥିଲେ । ସମୟକ୍ରମେ ସେ ହେଲେ ତିନି ପୁତ୍ରର ଜନକ ।
ପଦ୍ମାକରଙ୍କର ଗୋଟିଏ ବୋଲି ପୁତ୍ର । ତା’ର ନାମ ଶ୍ରୀମୁଖ । ଶ୍ରୀମୁଖକୁ ଦଶବର୍ଷ ବୟସ ହୋଇଥିବା ସମୟରେ ତା ମା’ଙ୍କର ଦେହାନ୍ତ ଘଟିଲା । ପଦ୍ମାକର ତାଙ୍କ ପତ୍ନୀଙ୍କୁ ପ୍ରାଣଠାରୁ ବି ଅଧିକ ଭଲପାଉଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ସଂସାର ପ୍ରତି ତାଙ୍କର ମୋହ ତୁଟିଗଲା । ସମସ୍ତ ସମ୍ପତ୍ତି ଓ ପୁତ୍ର ଶ୍ରୀମୁଖକୁ ଭାଇ ରତ୍ନାକରଙ୍କ ଦାୟିତ୍ୱରେ ରଖି ସେ ହିମାଳୟ ଅଭିମୁଖେ ଚାଲିଗଲେ । ରତ୍ନାକର ଓ ହେମାବତୀ ବଡ ଆଗ୍ରହରେ ସେହି ଦାୟିତ୍ୱ ଗ୍ରହଣ କଲେ ।