ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମୁଚିତ ଶାସ୍ତି

କିନ୍ତୁ ସେମାନଙ୍କର ଚିନ୍ତାର ଗୋଟିଏ କାରଣ ଥିଲା । ଶ୍ରୀମୁଖ ଥିଲା ସମସ୍ତ ସମ୍ପତ୍ତିର ମାଲିକ । ସେ ସାବାଳକ ହେବା ପରେ ତାକୁହିଁ ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିବାକୁ ପଡିବ । ସେମାନଙ୍କ ମନରେ ଶ୍ରୀମୁଖଠାରୁ ସମ୍ପତ୍ତି ଠକିନେବା ପାଇଁ ଖଳବୁଦ୍ଧି ଜୁଟିଲା । ସୁତରାଂ ସେମାନେ ଏକ ଯୋଜନା ତିଆରି କଲେ । ଯାହାକୁ ଧୀରେ ଧୀରେ କାମରେ ଲଗେଇ ଶ୍ରୀମୁଖକୁ ମିଠା ମିଠା କଥାରେ ପ୍ରଭାବିତ କଲେ । କ୍ରମଶଃ ଶ୍ରୀମୁଖକୁ ବୁଦ୍ଧିହୀନ ଓ ଚିନ୍ତାଶକ୍ତି ରହିତ କରିଦେଲେ ।

ଶ୍ରୀମୁଖର ପାଠପଢା ସ୍ଥଗିତ ରହିଲା । “ଏହି ଗ୍ରାମରେ ଏତେ ଲୋକ ଥାଉ ଥାଉ, ତୁମ ପିତା ତୁମକୁ ମୋ ଦାୟିତ୍ୱରେ ଛାଡିଗଲେ । ବୋଧହୁଏ ସେ ବିଶ୍ୱାସ କଲେ, ମୋ ଦ୍ୱାରା ହିଁ ତୁମର ମଙ୍ଗଳ ସାଧିତ ହେବ । ତେଣୁ ତୁମେ ସର୍ବଦା ମୋ କଥା ମାନି ଚଳିବ । ଅନ୍ୟ କେହି କିଛି କହିଲେ, ତୁମେ ତା’ଦ୍ୱାରା କେବେ ବି ପ୍ରଭାବିତ ହେବ ନାହିଁ ।” ରତ୍ନାକର ଗମ୍ଭୀର ଭାବରେ ଏପରି ପରାମର୍ଶ ଦେଲେ । ସେହିଦିନଠାରୁ ଶ୍ରୀମୁଖ ସର୍ବଦା ନିଜର କାକାଙ୍କ କଥା ମାନି ଚଳିବା ଆରମ୍ଭ କଲା ।

“ଧନ ସମ୍ପତ୍ତି ଚିରସ୍ଥାୟୀ ନୁହେଁ । ମଣିଷ ପରିଶ୍ରମ କରି ଜୀବନ ବିତେଇବା ନିହାତି ଆବଶ୍ୟକ । ତେଣୁ ଆଜିଠାରୁ ଘରର ସମସ୍ତ କାମ ତୁମେ ନିଜହାତକୁ ନିଅ ।” ଯେଉଁଦିନ ରତ୍ନାକର ଶ୍ରୀମୁଖକୁ ଏପରି କହିଲା, ସେହିଦିନଠାରୁ ଶ୍ରୀମୁଖ ସେ ଘରର ଏକ ଚାକର ପରି ସଦା ସର୍ବଦା ଖଟୁଥାଏ ।

“ବୋଧହୁଏ ତୁମେ ଭାବୁଥିବ, ତୁମଦ୍ୱାରା ଘରର ସମସ୍ତ କାମ କରାଇନେଇ ଆମେ କାହିଁକି କିଛି ପରିଶ୍ରମ କରୁନାହୁଁ । ଏପରି ଚିନ୍ତାଧାରା ମନୁଷ୍ୟ ପାଇଁ ଆଦୌ ଭଲନୁହେଁ । ଏହା ତୁମପାଇଁ କ୍ଷତିକାରକ ହୋଇପାରେ । ମାଙ୍କ ମୃତ୍ୟୁ ପରେ ତୁମର ପିତା ଏପରି ଅଯଥା ଚିନ୍ତା କରି ଘରଦ୍ୱାର ଛାଡି ଚାଲିଗଲେ । ତେଣୁ କୌଣସି ବିଷୟରେ ଅଯଥା ଚିନ୍ତା ଭାବନା କରିବା ତୁମେ ତ୍ୟାଗ କରିଦିଅ ।” ରତ୍ନାକର ଏପରି କହି ଶ୍ରୀମୁଖକୁ ଅଧିକ ପ୍ରଭାବିତ କଲେ ।

ସେ ଗ୍ରାମର ଅନ୍ୟଲୋକମାନେ, ଏପରି କଥା ଶୁଣି ଓ ଏପରି ବ୍ୟବହାର ଦେଖି ବହୁତ ଦୁଃଖ ଅନୁଭବ କରୁଥାଆନ୍ତି । ଶ୍ରୀମୁଖ ପ୍ରତି ତାଙ୍କ ମନରେ ସହାନୁଭୂତି ଓ ଦୟା ଆସୁଥାଏ । କେହି କେହି ସାହସ କରି ରତ୍ନାକରଙ୍କୁ ଏହି ଅନ୍ୟାୟ ଆଚରଣ ପାଇଁ ଚେତାବନୀ ଶୁଣାଉଥାନ୍ତି । ମାତ୍ର ରତ୍ନାକର ସେମାନଙ୍କର ଦୃଢ ବିରୋଧ କରି କହିଲେ, “ତାର ପିତା ସନ୍ନ୍ୟାସୀ । ତେଣୁ ସେ ମଧ୍ୟ ସନ୍ନ୍ୟାସୀଙ୍କ ପରି ଜୀବନଯାପନ କରିବାକୁ ପସନ୍ଦ କରୁଛି । କେତେ ପୁଣ୍ୟ କଲେ ଏପରି ଜୀବନ ମିଳେ?” ଏପରି କଥା ଶୁଣି ଶୁଣି ଶ୍ରୀମୁଖ ନିଜକୁ ବହୁତ ବଡ ଭାଗ୍ୟବାନ ମନେ କରୁଥାଏ । ଏକଥା ମଧ୍ୟ ମନରେ ବିଶ୍ୱାସ କରୁଥାଏ ଯେ, ତାର କାକାଙ୍କ ଦୟାରୁ ତାକୁ ଏପରି ସୌଭାଗ୍ୟ ମିଳିଛି । ତେଣୁ କାକା ତା ପରି ଭାଗ୍ୟବାନ ହେବା ପାଇଁ ଚେଷ୍ଟା କରି ହୋଇ ପାରୁନାହାଁନ୍ତି । ଏହା ଭାବି ତା’ମନରେ ତାଙ୍କ ପ୍ରତି ଦୟା ଆସୁଥାଏ ।

ଏହିପରି ପାଞ୍ଚବର୍ଷ ବିତିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ