ହିମାଳୟ ଯାତ୍ରା କରିଥିବା ପଦ୍ମାକର ସେଠାରେ ମାନସିକ ଶାନ୍ତି ପାଇଁ ତପସ୍ୟାରତ ହେଲେ । ଏହା ଦ୍ୱାରା ତାଙ୍କୁ କିଛି ଅଦ୍ଭୁତ ଶକ୍ତି ପ୍ରାପ୍ତ ହେଲା । ଏହାପରେ ତାଙ୍କ ମନରେ ପୁତ୍ରକୁ ଦେଖିବା ପାଇଁ ଲାଳସା ଜାଗ୍ରତହେଲା । ତେଣୁ ସେ ତାଙ୍କ ଗ୍ରାମକୁ ଫେରିଲେ ।
ତାଙ୍କ ମୁହଁରେ ବର୍ଦ୍ଧିତ କେଶ ଓ ଦାଢୀ ହେତୁ ରତ୍ନାକର ତାଙ୍କୁ ଚିହ୍ନି ପାରିଲେ ନାହିଁ । ପଦ୍ମାକର ମଧ୍ୟ ନିଜ ସମ୍ବନ୍ଧରେ ଭାଇଙ୍କୁ କିଛି ବି ଜଣାଇଲେ ନାହିଁ । ଜଣେ ସାଧାରଣ ସନ୍ନ୍ୟାସୀଙ୍କ ପରି ଗୃହ ସମ୍ମୁଖରେ ଠିଆହୋଇ ରହିବାରୁ ରତ୍ନାକର ତାଙ୍କୁ ଭିତରକୁ ଡାକିଲେ ।
ରତ୍ନାକର ଶ୍ରୀମୁଖକୁ ପଦ୍ମାକରଙ୍କ ସେବାର ଦାୟିତ୍ୱ ଦେଲେ । ଶ୍ରୀମୁଖ ଭକ୍ତି ଓ ଶ୍ରଦ୍ଧା ସହିତ ପଦ୍ମାକରଙ୍କ ସେବାରେ ଲାଗିପଡିଲେ । ତାଙ୍କର ଆବଶ୍ୟକତା ପୂରଣ କରିବାରେ ଲାଗିପଡିଲେ । ଅଳ୍ପ ସମୟ ମଧ୍ୟରେ ସେ ବୁଝିପାରିଲେ, ଏହି ଗୃହରେ ତାଙ୍କର ପୁତ୍ରର ସ୍ଥାନ କେଉଁଠି । ଏହା ପଦ୍ମାକରଙ୍କ ମନରେ ଅଶେଷ ଦୁଃଖ ଆଣିଦେଲା । ସେ ପୁତ୍ରକୁ କହିଲେ, “ପୁତ୍ର, ତୁମେ ଏହି ଘରର ମାଲିକ । ତୁମକୁ ଏପରି ସେବକ ରୂପେ ଖଟିବାର ଦୁର୍ଭାଗ୍ୟ, ଦୁର୍ଯୋଗ କାହିଁକି ଓ କିପରି ମିଳିଛି?
ଏକଥା ଶୁଣି ଶ୍ରୀମୁଖ ସ୍ପଷ୍ଟ ରୂପେ କହିଲା “ଏହା ମୋର ଦୁର୍ଭାଗ୍ୟ ନୁହେଁ, ସୌଭାଗ୍ୟ ।” “ତୁମର କାକା ଦୁଷ୍ଟ ପ୍ରକୃତିର ଅଟେ । ସେ ତୁମକୁ ପ୍ରତାରଣା କରିଛି ।” ପଦ୍ମାକରମନରେ ନିଜ ଭାଇ ପ୍ରତି ଘୃଣାଭାବ ପ୍ରକାଶ ପାଇଲା ।
କିନ୍ତୁ ଶ୍ରୀମୁଖ ସାଧୁଙ୍କ ପାଖରୁ ଏପରି କଥା ଶୁଣି ସିଧା ଭିତରକୁ ଦୌଡିଯାଇ ରତ୍ନାକରଙ୍କୁ କହିଲା, “ସେହି ସାଧୁ ଆପଣଙ୍କୁ ଦୁଷ୍ଟ ଓ ପ୍ରତାରକ କହି ନିନ୍ଦା ଦେଉଛନ୍ତି । ମୁଁ ତାହା ସହ୍ୟ କରିପାରିବି ନାହିଁ । ମୁଁ ତାଙ୍କର ଆଉ ସେବା କରିବି ନାହିଁ ।”
ରତ୍ନାକର, ଶ୍ରୀମୁଖକୁ ସାଙ୍ଗରେ ଧରି ପଦ୍ମାକରଙ୍କ ପାଖକୁ ଆସି କହିଲେ, “ମୁଁ ତ ଭାବିଥିଲି ଆପଣ ଜଣେ ପ୍ରକୃତ ସାଧୁ । କିନ୍ତୁ ଅନ୍ୟ ଲୋକମାନଙ୍କ ପରି ଆପଣ ମଧ୍ୟ ମୋତେ ଦୁଷ୍ଟ, ପ୍ରତାରକ କହି ନିନ୍ଦା କରୁଛନ୍ତି । ଆପଣଙ୍କ ପ୍ରତି ମୋର କାହିଁ ଟିକେ ସନ୍ଦେହ ହେଉଛି ।”
ଭାଇ କଥା ଶୁଣି ପଦ୍ମାକର କ୍ଷୋଭର ସହିତ କହିଲେ, “ପ୍ରକୃତରେ ମୁଁ ଜଣେ ସାଧୁ । ତେଣୁ ମୁଁ ତୁମର ପ୍ରତାରଣା ଠିକ୍ ବୁଝିପାରିଲି । ମୋ ଉପରେ ତୁମର ଯଦି ସନ୍ଦେହ ହେଉଛି, ତେବେ ଶ୍ରୀମୁଖକୁ ଏକ ବର ପ୍ରଦାନ କରି ମୁଁ ସେହି ସନ୍ଦେହ ଦୂର କରିବି ।” ଏହାପରେ ନିଜର ପୁତ୍ରକୁ ଚାହିଁ ସେ କହିଲେ, “ପୁତ୍ର ଏପରି ଏକ ବର ଭିକ୍ଷା କର, ଯାହାଦ୍ୱାରା କାହାରି କିଛି ବି ଅନିଷ୍ଟ ହେବ ନାହିଁ ।”
ଶ୍ରୀମୁଖ ରତ୍ନାକରଙ୍କ ଆଡକୁ ଚାହିଁଲା । ରତ୍ନାକର ବର ମାଗିବା ପାଇଁ ଇଶାରା ଦେଲେ ।