ଏକଦା ରାଜେଶ୍ୱର ବାଲିଦ୍ୱୀପ ଠାରେ ପହଁଚିଲେ । ସେ ସେଠାରେ ବାଣିଜ୍ୟ କରି ଫେରିବା ସମୟରେ ଜଣେ ଋଷିଙ୍କ ସହିତ ତାଙ୍କର ଭେଟ ହେଲା । ସେ ରାଜେଶ୍ୱରଙ୍କୁ କହିଲେ ତୁମେ ଧନେଶ୍ୱରଙ୍କର ଉପଯୁକ୍ତ ପୁତ୍ର । ତୁମ ଲାଗି ବାଲିଦ୍ୱୀପର ଅଶେଷ ଉପକାର ସାଧିତ ହୋଇଛି । ତେଣୁ ମୁଁ ତୁମକୁ ଖୁସି ହୋଇ ଗୋଟିଏ ଚକି ପ୍ରଦାନ କରୁଛି । ଯାହାକୁ ତୁମେ ଚକେଶ୍ୱର ବୁଲ୍… ବୁଲ୍… ବୁଲ୍ ଯା… କହିଲେ ସେ ଚକିଟି ଆପେ ଆପେ ବୁଲିବ ଓ ଚକେଶ୍ୱର… ଚକେଶ୍ୱର ରୁକଯା… ରୁକଯା… ବୋଲି କହିଲେ ବନ୍ଦ ହୋଇଯିବ ଚକିକୁ ଯାହା ମାଗିବ ସେ ତାହା ଦେବ । ସେତେବେଳେ ଲୁଣ ଅଭାବ ଥିବାରୁ ଓ ଜଳଦସ୍ୟୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସୁନା, ରୂପା, ହୀରା, ମୋତି ପରିବର୍ତ୍ତେ ପଖାଳ ଭାତରେ ଲୁଣ ଗଣ୍ଡେ ଦେବା ପାଇଁ ସେ କୌଣସି ମୂଲ୍ୟବାନ୍ ଧାତୁ ନଆଣି ସେହି ଚକିଟିକୁ ଆଣିଲେ । ଏହାଦ୍ୱାରା ଭାବିଲେ ଜଳଦସ୍ୟୁ ମାନଙ୍କ ଠାରୁ ରକ୍ଷା ପାଇ ଯିବେ ।
ବଣିଜ ସାରି ଫେରିବା ବାଟରେ ରାଜେଶ୍ୱର ମନେମନେ ଚିନ୍ତାକଲେ ଲୁଣ ନିହାତି ଦରକାର । ତେଣୁ ସେ ତାନ୍ତ୍ରିକଙ୍କ କଥା ଅନୁସାରେ କହିଲେ – ଚକେଶ୍ୱର ବୁଲ୍… ବୁଲ୍… ବୁଲ୍ ଯା… ଲୁଣ ଦେଇଯା । ଚକିଟି ଆପେ ଆପେ ଘୂରିବାକୁ ଲାଗିଲା ଓ ସେଥିରୁ ପ୍ରଚୁର ଲୁଣ ବାହାରି ବୋଇତ ଭିତରେ ଭର୍ତ୍ତି ହୋଇଗଲା ।
ବୋଇତ ବାଲିଦ୍ୱୀପ ଛାଡି ସମୁଦ୍ର ମଧ୍ୟ ଭାଗରେ ଆସି ପହଁଚି ଯାଇଥାଏ । ଜଳଦସ୍ୟୁମାନେ ଏଥିରେ ହୀରା, ନୀଳା, ମୋତି ଥିବ ଭାବି ପୂର୍ବପରି ବୋଇତ ଉପରେ ଆକ୍ରମଣ କଲେ । ସେମାନେ ରାଜେଶ୍ୱରଙ୍କ ସହିତ ସମସ୍ତ ସାତ ଭାଇମାନଙ୍କୁ ହତ୍ୟା କଲେ ଓ ଜାହାଜରୁ ସୁନା, ରୂପା, ମୋତି, ମାଣିକ୍ୟ, ହୀରା, ନୀଳା ନପାଇ ନିରାଶ ହେଲେ । ସେତେବେଳକୁ ବୋଇତରେ ଲୁଣ ବୋଝେଇ ହୋଇ ଯାଇଥାଏ । ବୋଇତଟି ଲୁଣ ଭାରରେ ଆପେ ଆପେ ଭାରୀ ହୋଇ ବୁଡିଗଲା । ଏହାଦ୍ୱାରା ଜଳଦସ୍ୟୁମାନେ ବୁଡି ମରିଗଲେ । ବୋଇତଟିରେ ଥିବା ସେଇ ଚକିରୁ ଏଯାଏଁ ଲୁଣ ବାହାରି ସମୁଦ୍ର ପାଣିକୁ ଲୁଣିଆ କରି ଦେଇଛି । ସେହି ଚକିଟିକୁ ବନ୍ଦ କରିବାର ଉପାୟ କେହି ଜାଣି ନଥିବାରୁ ସେହି ଚକିଟି ସମୁଦ୍ର ମଧ୍ୟରେ ଥାଇ ଘୂରୁଛି ଓ ସେଥିରୁ ଲୁଣ ନିର୍ଗତ ହୋଇ ସମୁଦ୍ର ପାଣିକୁ ଲୁଣିଆ କରିଦେଉଛି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।