ଅଶୋକ ଦେହରକ୍ଷୀଙ୍କୁ ଡାକିଲେ, କିନ୍ତୁ ସେମାନେ ଆସି ପହଁଚିବା ପୂର୍ବରୁ, ସେ ଏକାକୀ ସେମାନଙ୍କର ପଶ୍ଚାତ୍ଧାବନ କଲେ । ଦେଖିବାକୁ ପାଇଲେ, ତାଙ୍କ ପୂର୍ବରୁ ଆଉ କେହିଜଣେ ସେମାନଙ୍କର ପିଛା କରୁଛି, ଅଶୋକ ଜଣକୁ ଧରି ତଳେ ପକାଇ ଦେଲେ ଏବଂ ଅନ୍ୟଜଣଙ୍କୁ ଧରିବାକୁ ଯିବା ସମୟରେ, ଅପର ବ୍ୟକ୍ତି ଜଣକ ତାକୁ ଧରି ସାରିଥିଲେ । ସେ ଦୁଇଜଣଯାକ ବନ୍ଦୀ ସ୍ତ୍ରୀଲୋକ ଥିଲେ ।
ଏହି ସମୟ ମଧ୍ୟରେ ଅଙ୍ଗରକ୍ଷକମାନେ ଦୌଡି ଦୌଡି ଆସି ସେଠାରେ ପହଁଚିଲେ । ସେହି ଦୁଇଜଣ ସ୍ତ୍ରୀଲୋକଙ୍କୁ ଦେଖି ସୈନିକମାନଙ୍କର ବିସ୍ମୟର ଆଉ କୌଣସି ସୀମା ରହିଲା ନାହିଁ । ସାରାଦିନ ନୃତ୍ୟ-ଗୀତ ପରିବେଷଣ କରି ସେମାନଙ୍କର ମନୋରଞ୍ଜନ କରିଥିବା ରମଣୀ ସେହି ଦୁଇଜଣ ହିଁ ଥିଲେ । ତେବେ ଅର୍ଦ୍ଧରାତ୍ରରେ କିଳିକିଳା ସ୍ୱରରେ ଚିତ୍କାର କରି ଅଶୋକଙ୍କର ନିଦ୍ରାଭଗ୍ନ କିଏ କରିଥିଲା? ତାଙ୍କ ଠାରୁ ଅଧିକ କ୍ଷୀପ୍ରଗତିରେ ଯାଇ, ଦ୍ୱିତୀୟ ବ୍ୟକ୍ତିକୁ ଧରିଥିବା, ସେହି ବ୍ୟକ୍ତିକୁ ଅଶୋକ ଧ୍ୟାନପୂର୍ବକ ଦେଖିଲେ । ସେ ଆଉ ଅନ୍ୟ କେହି ନୁହଁନ୍ତି, ସେ ଥିଲେ ବିଦିଶା । ଅଶୋକ ଆଶ୍ଚର୍ଯ୍ୟାନ୍ୱିତ ହୋଇ ବିଦିଶାଙ୍କୁ ଦେଖିବାରୁ ସେ କହିଲେ, “ସାରାଦିନ ଆପଣଙ୍କ ସୈନିକଗଣ ଏହି ନର୍ତ୍ତକୀମାନଙ୍କର ନୃତ୍ୟଗୀତରେ ମଜ୍ଜି ରହିଥିଲେ । ଏମାନଙ୍କୁ ଦେଖିବାକ୍ଷଣି ମୋ ମନରେ କାହିଁ କେଜାଣି ଟିକେ ସନ୍ଦେହ ଜାତ ହୋଇଥିଲା । ସେମାନଙ୍କର ସତର୍କତା, ସନ୍ଦେହଜନକ ଆଚରଣରୁ ମୁଁ ମନେକଲି ଏମାନେ କଦାପି ସାଧାରଣ ନର୍ତ୍ତକୀ ନୁହଁନ୍ତି । ବୌଦ୍ଧଭିକ୍ଷୁଙ୍କ ପରିଚର୍ଯ୍ୟା ସାରି ଫେରୁଥିବା ସମୟରେ ମୁଁ ଦେଖିଲି ଯେ ଆପଣଙ୍କ ସୈନିକମାନେ ସେମାନଙ୍କୁ ସଙ୍ଗରେ ଧରି ତମ୍ବୁ ଆଡକୁ ଯାଉଛନ୍ତି । ସେହି ସମୟରେ ମୁଁ ତାଙ୍କୁ ଅଟକାଇଥିଲେ, ହୁଏତ ସେମାନେ ମୋତେ ମାରିବା ପାଇଁ ଚେଷ୍ଟା କରିଥାଆନ୍ତେ । ଭାଗ୍ୟବଶତଃ ଠିକ୍ ସେତିକିବେଳକୁ ମୋର ମୋ ଭାଇ ଯଶଙ୍କ ସହିତ ଭେଟ ହେଲା । ତାଙ୍କୁ ଏହି ପାହାଡ କଡରେ ଆତ୍ମଗୋପନ କରି ରହିବା ପାଇଁ କହି, ମୁଁ ସେମାନଙ୍କର ଅନୁଧାବନ କଲି । ସେହି ଦୁଇଜଣଙ୍କ ମଧ୍ୟରୁ ଜଣେ ସ୍ତ୍ରୀଲୋକ ଠିକ୍ ତମ୍ବୁ ସମ୍ମୁଖରେ ଏକ ତରବାରୀ ଉନ୍ମୁକ୍ତକରି ହାତରେ ଧରିଲା । ଭାବିଲି, ଆଉ ଅଧିକ ବିଳମ୍ୱ କରିବା ଉଚିତ୍ ହେବନାହିଁ । ତେଣୁ ମୁଁ ଖୁବ୍ ଜୋର୍ରେ ଚିତ୍କାର କରି ଉଠିଲି ।”
ସବୁକଥା ଶୁଣି ଅଶୋକ ଗଦ୍ଗଦ୍ ହୋଇ କହିଉଠିଲେ “ତେବେ, ଦ୍ୱିତୀୟ ଥର ପାଇଁ ବିଦିଶା ହିଁ ମୋର ପ୍ରାଣ-ରକ୍ଷା କଲେ ।”
ବିଦିଶା କହିଲା “ନା’ ନା’ ମୋର ଅନୁରୋଧ ଆପଣ ଦୟାକରି ଏପରି କହନ୍ତୁ ନାହିଁ, କେବଳ ବୁଦ୍ଧଙ୍କର ଅପାର କରୁଣା ହିଁ ଆପଣଙ୍କୁ ରକ୍ଷା କରୁଛି ।”
ଏହାପରେ ଅଶୋକ ମୌନତାପୂର୍ବକ ଶିର ହଲାଇଲେ । ତା’ପରେ ସେ ତାଙ୍କୁ ମାରିବା ପାଇଁ ଆସିଥିବା ସେହି ସ୍ତ୍ରୀଲୋକଙ୍କୁ ନୀରିକ୍ଷଣ କଲେ ଓ ତମ୍ବୁ ଆଡକୁ ଅଗ୍ରସର ହେଲେ । ସେହି ସ୍ତ୍ରୀ ଲୋକଙ୍କ ସହିତ ଆସିଥିବା ପୁରୁଷ ମାନଙ୍କୁ ଖୋଜିବାରେ ଦେହରକ୍ଷୀଗଣ ଲାଗି ପଡିଥିଲେ । କିନ୍ତୁ ସେମାନେ କାହାକୁ ମଧ୍ୟ ପାଇଲେ ନାହିଁ । ପାହାଡ ପାଶ୍ୱର୍ରେ ପ୍ରତୀକ୍ଷା କରିଥିବା ବିଦିଶାଙ୍କ ଭାଇ ଯଶ ଜଣେ ଲୋକଙ୍କୁ ଆତ୍ମଗୋପନ କରିଥିବାର ଦେଖିଲେ । ସେ ଯଶଙ୍କୁ ଦେଖିବା କ୍ଷଣି ନଦୀରେ ଡେଇଁ ପଡି ସେଠାରୁ ପଳାୟନ କରିବା ପାଇଁ ଉଦ୍ୟତ ହେଲା । କିନ୍ତୁ ତାହା ପୂର୍ବରୁ ଯଶ ତୁରନ୍ତ ଯାଇ ତାକୁ ଧରି ପକାଇଲେ ।
ସେହି ଦୁଇଜଣ ସ୍ତ୍ରୀଲୋକ ଓ ଧରା ପଡିଥିବା ଲୋକଙ୍କର ହାତକୁ ପଛପଟେ ବାନ୍ଧିଦେଇ, ଦେହରକ୍ଷୀମାନେ ସେମାନଙ୍କୁ ଅଶୋକଙ୍କ ସମ୍ମୁଖକୁ ଆଣିଲେ । ଇତ୍ୟବସରରେ ବିଦିଶାଙ୍କ ପିତା ଶାକ୍ୟନାୟକ ଓ ତାଙ୍କ ସହିତ ଗ୍ରାମର ଆଉ କେତେଜଣ ପ୍ରମୁଖ ବ୍ୟକ୍ତି ସେଠାରେ ଆସି ପହଁଚି ସାରିଥିଲେ । ନର୍ତ୍ତକୀମାନଙ୍କୁ ଜେରା କରିବାରୁ ଜଣାପଡିଲା ଯେ ସେମାନେ ଖାଦ୍ୟପଦାର୍ଥରେ ନିଶାଦ୍ରବ୍ୟ ମିଶ୍ରଣ କରି ଥିଲେ । ତେଣୁ ଏତେ ଜୋର୍ରେ ଚିତ୍କାର ଶୁଣିବା ପରେ ମଧ୍ୟ ଅଶୋକଙ୍କ ସଦାଜାଗ୍ରତ ଅନୁଚର ମାନଙ୍କର ନିଦ୍ରାଭଗ୍ନ ହୋଇ ନଥିଲା । ସବୁ ଶୁଣିସାରିବା ପରେ ବିଦିଶାଙ୍କ ପିତା କହିଲେ, “ଏବେ ସେମାନଙ୍କର ସମସ୍ତ ପ୍ରକାର ଷଡଯନ୍ତ୍ର ପଦାରେ ପଡି ସାରିଛି । ଏବେ ଆମକୁ ଜାଣିବାକୁ ପଡିବ ଯେ, ଏହି ଅପରାଧ, ସେମାନେ କାହାର ପ୍ରରୋଚନାରେ ପଡି କରିଛନ୍ତି?”
ଏଭଳି କଥା ଶୁଣି ଯଶ କହିଲେ, “ହଁ, ଏହା ଜାଣିବା ତ ନିହାତି ଜରୁରୀ ।”