(ଚାଣକ୍ୟଙ୍କ ସହାୟତାରେ ନନ୍ଦବଂଶଜଙ୍କୁ ପରାଜିତ କରି ଚନ୍ଦ୍ରଗୁପ୍ତ ମଗଧର ଶାସକ ହେଲେ । ପାଟଳୀପୁତ୍ରକୁ ନିଜ ରାଜଧାନୀ କରି ମୌର୍ଯ୍ୟବଂଶର ପ୍ରତିଷ୍ଠା ସେ କଲେ । ତାଙ୍କ ଅନ୍ତେ ପୁତ୍ର ବିନ୍ଦୁସାର ମୌର୍ଯ୍ୟ ସିଂହାସନ ଆରୋହଣ କରି ଦକ୍ଷତାର ସହିତ ନିଜର ଦାୟିତ୍ୱ ତୁଲାଇଲେ । ତିନିରାଣୀଙ୍କ ବ୍ୟତୀତ ସୁଭଦ୍ରାନାମ୍ନୀ ଜଣେ କନ୍ୟାଙ୍କୁ ବି ସେ ବିବାହ କରିଥିଲେ । ତାଙ୍କରି ପୁତ୍ର ହେଉଛନ୍ତି ଅଶୋକ । ବିଦ୍ୟା-ବିବେକ ସମ୍ପନ୍ନ ଅଶୋକଙ୍କୁ ବିନ୍ଦୁସାରଙ୍କ ଜ୍ୟେଷ୍ଠପୁତ୍ର ସୁଶେମ ସଦା ସର୍ବଦା ହୀନଦୃଷ୍ଟିରେ ଦେଖୁଥିଲେ । ଫଳତଃ ଉଭୟଙ୍କ ମଧ୍ୟରେ ବିରୋଧାଭାବ କ୍ରମଶଃ ବଢିଚାଲିଥିଲା – ଏହାପରେ)
ମାତାଙ୍କ ଆଦେଶାନୁସାରେ, ଦିନେ ସୂର୍ଯ୍ୟୋଦୟ ବେଳାରେ ଅଶୋକ ଫଳପୁଷ୍ପାଦି ନୈବେଦ୍ୟ ଧାରଣ କରି ନଗର ମଧ୍ୟସ୍ଥ ଦେବାଳୟକୁ ଉପାସନା ପାଇଁ ଯାଇଥିଲେ । ପୂଜା ସମାପ୍ତ କରି ଦେବାଳୟରୁ ବାହାରି ପ୍ରଭାତର ରମଣୀୟ ଦୃଶ୍ୟ ଅବଲୋକନ କରି କରି ସେ ଆସୁଥାନ୍ତି । ବିହଙ୍ଗର କୂଜନ, ଉଦୟଭାନୁ କିରଣରେ ଉଦ୍ଭାସିତ ସ୍ୱର୍ଣ୍ଣାଭ ମେଘଖଣ୍ଡ ତାଙ୍କ ମନକୁ ପ୍ରଭାବିତ କରୁଥାଏ । ଏହି ସମୟରେ ଅକସ୍ମାତ୍ ଏକ ଅଶ୍ୱ ତାଙ୍କ ପଶ୍ଚାତ୍ଭାଗରୁ ତୀବ୍ରବେଗରେ ଆସି ତାଙ୍କୁ ଆଘାତ କରି ଧରାଶୟୀ କରିଦେଲା । ଅଶ୍ୱଚାଳକ ଯୁବରାଜ ସୁଶେମ ଥିଲେ ।
ମାତ୍ର ଅଶୋକ ତଡିତ୍ବେଗରେ ଉଠିପଡି, ଧାବମାନ ଅଶ୍ୱର ଲଗାମ୍କୁ ଲମ୍ପପ୍ରଦାନ କରି ଧରି ପକେଇଲେ ଓ ସୁଶେମ ଅଶ୍ୱରୁ ଅବତରଣ କରିବାକୁ ବାଧ୍ୟ ହେଲେ ।
ଅଶୋକ ପ୍ରଶ୍ନ କଲେ “ନୀରବରେ ମୁଁ ଚାଲିଯାଉଥିବା ସମୟରେ, ତୁମେ ମତେ ଏପରି ଆଘାତ ଦେବାର ଅଭିପ୍ରାୟ?”
“ତୁମକୁ କିଏ ଆଘାତ ଦେଇଛି, ମୁଁ ନା ମୋର ଅଶ୍ୱ?” ସୁଶେମ ତାତ୍ସଲ୍ୟରେ ଏପରି କହି ପୁନଃ ଅଶ୍ୱାରୋହଣ ପାଇଁ ଚେଷ୍ଟା କଲେ ।
କିନ୍ତୁ ଅଶୋକ ତାଙ୍କ ହାତକୁ ସଜୋରେ ଧରି ରଖି କହିଲେ, “ଏତେ ବିଶାଳ ରାଜପଥ, ମନୁଷ୍ୟଙ୍କର ଆତଯାତ ଆରମ୍ଭ ହୋଇନାହିଁ । ତେବେ ବି ସିଧା ନିଜ ରାସ୍ତାରେ ଯିବାପାଇଁ ସମର୍ଥ ହେଉନାହଁ? ଏପରି ଅଯୋଗ୍ୟ ବ୍ୟକ୍ତିକୁ ଅଶ୍ୱାରୋହଣ କରିବାର ଅଧିକାର କିଏ କେଜାଣି ପ୍ରଦାନ କରିଛି?” ଅଶୋକ ଅତ୍ୟନ୍ତ କଠୋର ସ୍ୱରରେ ଏହା କହିଲେ ।
ସୁଶେମ ଗର୍ଜିଉଠିଲେ “ମୋର ଅଧିକାର ସମ୍ବନ୍ଧରେ ପ୍ରଶ୍ନ ଉଠେଇବା ପାଇଁ ତୁମେ କିଏ? ଜାଣିଛ ତ, ମୁଁ କିଏ ଓ ମୋର କ୍ଷମତା କ’ଣ?”
ଅଶୋକ ବ୍ୟଙ୍ଗ କରି କହିଲେ “ଢେର୍ ଜାଣିଛି, ମୁର୍ଖ, ଉଦ୍ଧତ ଅବିବେକୀ । ତୁମେ ମୋର ଅଗ୍ରଜ । ତେଣୁ ମୁଁ ଆଜି ତୁମକୁ ଛାଡି ଦେଉଛି । ନଚେତ୍ ବଂଚିଥିବା ଯାଏଁ ମନେରହିବା ପରି ମୁଁ ତମକୁ ଉଚିତ୍ ଶିକ୍ଷାପ୍ରଦାନ କରିଥାନ୍ତି ।”
ତାଙ୍କ କଥାରେ ସୁଶେମ କ୍ରୋଧରେ କହିଉଠିଲେ “ଭାବୀ ମହାରାଜଙ୍କୁ ତୁମେ ଧମକ ଦେଉଛ ।” ଅଶୋକ କହିଲେ “ଏ ପର୍ଯ୍ୟନ୍ତ ନିର୍ଣ୍ଣୟ ହୋଇନାହିଁ । ଏ ଦେଶର ଭାବୀ ମହାରାଜ କିଏ ହେବେ?” ସୁଶେମ ଅତ୍ୟନ୍ତ ଗର୍ବରେ ଫାଟିପଡି ହସି ହସି କହିଲେ “କିଛି ନଜାଣି କାହିଁକି ଏପରି ମୁର୍ଖଙ୍କ ପରି ବକୁଛ? ମହାରାଜ ଓ ପାରିଷଦବର୍ଗଙ୍କ ନିର୍ଣ୍ଣୟ ସମ୍ବନ୍ଧରେ ମୁଁ ଜ୍ଞାତ । ମୁଁ ହେଉଛି ଭାବୀ-ମହାରାଜ ।”