ଅଶୋକ ଗମ୍ଭୀର କଣ୍ଠରେ କହିଲେ “ପ୍ରକୃତରେ ଏହା ଯଦି ସତ୍ୟ, ତେବେ ତୁମକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ । ମୁଁ ଅବଶ୍ୟ ସଠିକ୍ ଭାବେ ଜାଣିଛି, ତୁମର ଏହି ପ୍ରଳାପ ମିଥ୍ୟା ଅଟେ । କିନ୍ତୁ ଯଦିବା ଏପରି ନିଷ୍ପତି ନିଆଯାଇ ସାରିଥାଏ, ତେବେ ମୁଁ ଏହାର ଦୃଢ ବିରୋଧ କରିବି ।” “ତୁମେ ମହାରାଜଙ୍କ ନିଷ୍ପତିକୁ ବିରୋଧ କରିବ? ଏତେ ଦୁଃସାହସ! ଏବେ ମୁଁ ତୁମକୁ ଉଚିତ୍ ଶିକ୍ଷା ଦେଉଛି ।” ଏପରି କହି ସୁଶେମ ଅଶୋକଙ୍କୁ ପ୍ରହାର କରିବା ପାଇଁ ଉଦ୍ୟତ ହେଲେ ।
ଅଶୋକ ପୁନଶ୍ଚ ତାଙ୍କ ହସ୍ତ ଧରିପକାଇଲେ । ସୁଶେମ ତାଙ୍କର ହସ୍ତକୁ ମୁକୁଳେଇବା ପାଇଁ ଯେତେ ପ୍ରଯତ୍ନ କଲେ ମଧ୍ୟ ସେଥିରେ ସେ ଯମାରୁ ସଫଳ ହେଲେନାହିଁ । ଦୁହିଁଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହେଇଗଲା । ସେମାନଙ୍କର ଚିତ୍କାରରେ ଦେବାଳୟର ଗମ୍ଭୀର ପ୍ରଭାତ ପରିବେଶ ପ୍ରତିଧ୍ୱନିତ ହୋଇ ଉଠିଲା । ଇତଃସ୍ତତ ପଦଚାରଣ କରୁଥିବା ସାଧାରଣ ଲୋକ ଏହିସବୁ ଦୃଶ୍ୟ ଦେଖି ସେଠାରେ ଏକତ୍ରିତ ହୋଇଗଲେ ।
ସେ ଦୁଇ ରାଜକୁମାର ଏବେ ଆଉ ଦୁଗ୍ଧପୋଷ୍ୟ ଶିଶୁ ନୁହଁନ୍ତି । କିଛି ବର୍ଷ ପୂର୍ବେ ଚାଣକ୍ୟ ସେମାନଙ୍କର ବୁଦ୍ଧି ପରୀକ୍ଷା କରିଥିଲେ । ଏବେ ସେ ଜୀବିତ ନାହାଁନ୍ତି । ରାଜା ବିନ୍ଦୁସାର ବାର୍ଦ୍ଧକ୍ୟରେ ଉପନୀତ । ସାରା ନଗରୀର ଜନତା ଜାଣିଥିଲେ ଦୁଇ ରାଜକୁମାରଙ୍କ ମଧ୍ୟରେ ଶତ୍ରୁତା ରହିଆସିଛି । କିନ୍ତୁ ଏବେ ଏହି ଶତ୍ରୁତା ଚରମ ସୀମାରେ ପହଁଚି ସାରିଛି । କେହି କଳ୍ପନା ମଧ୍ୟ କରି ନ ଥିଲେ ଯେ, ମୌର୍ଯ୍ୟ ବଂଶ ସ୍ଥାପକ ଚନ୍ଦ୍ରଗୁପ୍ତଙ୍କ ପୌତ୍ର, ଯୋଗ୍ୟ ଉତ୍ତରାଧିକାରୀ ବିଖ୍ୟାତ ବିନ୍ଦୁସାରଙ୍କ ପୁତ୍ର ସୁଶେମ ଓ ଅଶୋକ, ଏପରି ସର୍ବ ସମ୍ମୁଖରେ ପରସ୍ପର ସଂଗ୍ରାମରତ ହେବେ । ସେମାନଙ୍କର ଏଭଳି ଚିତ୍କାରରେ ପ୍ରଜାସମାଗମ ବଢିଚାଲିଥାଏ । କିନ୍ତୁ ସେମାନଙ୍କ ନିକଟକୁ ଯିବା ପାଇଁ କୌଣସି ବ୍ୟକ୍ତି ମୋଟେ ସାହସ କରିପାରୁ ନ ଥାନ୍ତି । ଆଶ୍ଚର୍ଯ୍ୟ ଓ ଭୟରେ ସେମାନେ କେବଳ ଦୂରରେ ଠିଆହୋଇଥାନ୍ତି ।
ଭାଗ୍ୟବଶତଃ ସେହି ସମୟରେ ଭଲ୍ଲାଟକ ଅଶ୍ୱପୃଷ୍ଠରେ ସେହି ମାର୍ଗ ଅତିକ୍ରମ କରୁଥିଲେ । ଚାଣକ୍ୟଙ୍କ ପରେ ସେହିଁ ହେଉଛନ୍ତି ମଗଧ ରାଜ୍ୟର ପ୍ରଧାନମନ୍ତ୍ରୀ । ତାଙ୍କୁ ଦେଖିବା ମାତ୍ରେ ସେ ଦୁଇ ରାଜକୁମାର ଲଢେଇ ବନ୍ଦ କରିଦେଇ ଦୁଇ ପାଶ୍ୱର୍ରେ ଠିଆହୋଇ ପଡିଲେ । ପ୍ରଧାନମନ୍ତ୍ରୀ ବିଚଳିତ ହୋଇ କହିଲେ “ସର୍ବସାଧାରଣ ପଥରେ, ସାଧାରଣ ଜନତାଙ୍କ ସମ୍ମୁଖରେ ଆପଣ ଦୁହେଁ ଏପରି ଶକ୍ତି ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଅଟେ । ଏହି ସମାଚାର ଆପଣଙ୍କ ପିତାଶ୍ରୀଙ୍କ କର୍ଣ୍ଣଗୋଚର ହେଲେ ତାହା ତାଙ୍କ ମନରେ କିପରି କ୍ଷୋଭ ସୃଷ୍ଟି କରିବ, ତାହା କଳ୍ପନା କରିପାରୁଛନ୍ତି ତ?”
ଅଶୋକ ମୌନ ରହିଲେ । ସୁଶେମ କହିଉଠିଲେ, “କାହାକୁ ଭୟକରି ପଳାୟନ କରିବା ମୋ ଦ୍ୱାରା ହେବନାହିଁ । ଆପଣ ହିଁ କହିଲେ, ମୁଁ ଭାବୀ ମହାରାଜ କି ନୁହେଁ?”
ପ୍ରଧାନମନ୍ତ୍ରୀ ପ୍ରଶ୍ନ କଲେ “ଯୁବରାଜ, ମୋତେ ଏତିକି ଜଣାଅଛି ଯେ, ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ସିଦ୍ଧାନ୍ତ ଗ୍ରହଣ କରାଯାଇ ନାହିଁ । ଆପଣ ମହାରାଜଙ୍କ ଜ୍ୟେଷ୍ଠ ପୁତ୍ର । ସେହି ଦୃଷ୍ଟିରୁ ଉଦାରପୂର୍ଣ୍ଣ ଆଚରଣ କରିବା ଆପଣଙ୍କର ଧର୍ମ ନୁହେଁ କି?” ମାତ୍ର ସୁଶେମ ଓଲଟି ପ୍ରଶ୍ନ କଲେ “ତାକୁ ମୋ ପ୍ରତି ଉଚିତ୍ ବ୍ୟବହାର କରିବା ପାଇଁ ବାଧ୍ୟ କରିବା ପାଇଁ ଏପରି ବଳପ୍ରୟୋଗ କରୁଥିଲି । ଏହା କଣ ଦୋଷାବହ?”
ପ୍ରଧାନମନ୍ତ୍ରୀ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଲେ “ଅନ୍ୟପ୍ରତି ବଳପ୍ରୟୋଗ କରିବା, ଅପମାନ କରିବା ଦ୍ୱାରା ଆପଣଙ୍କର ସମ୍ମାନ ବଢିଯିବ ନାହିଁ । ଆପଣ ନିଜର ସଦ୍ବ୍ୟବହାର, ସଦାଚାର ମାଧ୍ୟମରେ ଅନ୍ୟ ଦ୍ୱାରା ଆଦରଣୀୟ ହେବା ପାଇଁ ଚେଷ୍ଟିତ ହେବା ଆବଶ୍ୟକ । ସହନଶକ୍ତି ବୃଦ୍ଧି କରିବା ଆବଶ୍ୟକ । ଛୋଟ ଛୋଟ କଥାରେ ଝଗଡା କରିବା, ସଦ୍ବ୍ୟବହାର ନୁହେଁ । ବରଂ ଏହା ଦୁର୍ବ୍ୟବହାର ଅଟେ ।”