ବିନ୍ଦୁସାର ଆବେଗରେ କହିଉଠିଲେ “ଅମିତ ବଳ ପରାକ୍ରମ ସାହାଯ୍ୟରେ, ମୋ ପିତା ସ୍ଥାପନ କରିଥିବା ଏହି ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ମୋ ଆଖି ଆଗରେ ଖଣ୍ଡ ବିଖଣ୍ଡିତ ହୋଇଯିବ । ନା, ମୁଁ ତାହା କେବେବି ହେବାକୁ ଦେବିନାହିଁ । ଏହି ବିଦ୍ରୋହୀଙ୍କୁ ଦମନ କରିବାର ଭାର ମୁଁ ନିଜେ ବହନ କରୁଛି । ମୋର ନେତୃତ୍ୱରେ ବିଦ୍ରୋହୀମାନଙ୍କର ମୂଳୋତ୍ପାଟନ କରି ସେମାନଙ୍କର ସର୍ବନାଶ କରିବି ।”
ପ୍ରଧାନମନ୍ତ୍ରୀ ପ୍ରକାଶ କଲେ “ଯେପରି ଆପଣଙ୍କର ଇଚ୍ଛା । କିନ୍ତୁ ମୋର ଏକ ଅନୁରୋଧ ଆପଣ ଆଦେଶ ଦେଲେ, ଆପଣଙ୍କର ଛଅଜଣ ପୁତ୍ରଙ୍କ ମଧ୍ୟରେ ଯେ କେହି ଏହି ବିଦ୍ରୋହ ଦମନ ଅଭିଯାନର ନେତୃତ୍ୱ ନେଇ ପାରିବେ ।”
“କିପରି ବିଷମ ପରିସ୍ଥିତି ଆସି ପହଁଚିଲା? ସୁଶେମଙ୍କର ରାଜ୍ୟାଭିଷେକ ପାଇଁ ବିଚାର କରୁଥିବା ସମୟରେ ଏହି ବିପଦର ସମ୍ମୁଖୀନ ହେବା ପାଇଁ ପଡିଲା ।” ମହାରାଜ ଏତିକି କହି ନୀରବ ରହିଲେ । ପ୍ରଧାନମନ୍ତ୍ରୀ ପୁନଶ୍ଚକହିଲେ “ପ୍ରଭୁ, ମୋର ଏହି ଛୋଟ ଅନୁରୋଧ ରକ୍ଷା କରନ୍ତୁ । ଆମ୍ଭେ ପ୍ରଥମେ ଯୁବରାଜଙ୍କୁ ନେତୃତ୍ୱ ସମ୍ଭାଳିବା ପାଇଁ କହିବା ନାହିଁ । ମୋର ଉଦ୍ଧେଶ୍ୟ, ଛଅଜଣ ଯୁବରାଜଙ୍କୁ ପ୍ରଥମେ ଏଠାକୁ ଡକାଇ ତକ୍ଷଶିଳାର ବିଦ୍ରୋହ ସମ୍ବନ୍ଧରେ ସେମାନଙ୍କୁ ସୂଚନା ଦେବା । ଏହାଦ୍ୱାରା ସେମାନେ ଉପଲବ୍ଧି କରିପାରିବେ ଯେ, ସେଠାରେ ସୈନ୍ୟବାହିନୀକୁ ନେତୃତ୍ୱ ଦେବା ପାଇଁ, ସେମାନଙ୍କ ମଧ୍ୟରୁ ଜଣଙ୍କର ଆବଶ୍ୟକତା ଅଛି । ଜ୍ୟେଷ୍ଠପୁତ୍ର ଭାବରେ ସୁଶେମ ନିଶ୍ଚୟ ଏଥିପାଇଁ ଆଗଭର ହେବେ । କାହିଁକିନା ମଗଧର ଭାବୀ ଶାସକ ହେବା ପାଇଁ ତାଙ୍କ ମନରେ ଅନେକ ଆଶା ରହିଛି । ତେଣୁ ସେ ଅତି ଆନନ୍ଦରେ ଏହି ଭାର ଗ୍ରହଣ କରିବେ ।
ବିନ୍ଦୁସାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଉଚିତ୍ ବୋଧ ହେଲା । ସେହି ଦିନ ଛଅଜଣ ରାଜକୁମାର ମହାରାଜଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲେ । ସେମାନଙ୍କୁ ସମ୍ବୋଧିତ କରି ମହାରାଜ କହିଲେ, “ଏବେ ତୁମ୍ଭେମାନେ କିଶୋର ବୟସ ଅତିକ୍ରମ କରି ନବଯୌବନରେ ପାଦ ଦେଇଛ । ଶାସନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଜ୍ଞାତ ହେବା ପରି ସମୟ ତୁମମାନଙ୍କର ଏବେ ଆସିଯାଇଛି । ଶାସନର ସୁପରିଚାଳନା ପାଇଁ କେଉଁ ସବୁ ଦାୟିତ୍ୱ ବହନ କରିବା ପାଇଁ ପଡିବ, ତାହା ତୁମ୍ଭମାନଙ୍କର ଜାଣିବା ନିହାତି ଆବଶ୍ୟକ । ରାଜ୍ୟର ଗତିବିଧି ସହିତ ଭଲଭାବେ ପରିଚିତ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ ଅଟେ । ସଦ୍ୟ ପ୍ରାପ୍ତ ସମାଚାର ଅନୁଯାୟୀ ତକ୍ଷଶିଳାରେ ବିଦ୍ରୋହର ବାତାବରଣ ସୃଷ୍ଟି ହେଇଛି । ହିଂସା ଓ ଅଶାନ୍ତିର ପ୍ରଭାବରେ ସର୍ବସାଧାରଣ ପ୍ରଜାଗଣ ଶାନ୍ତିରେ ଜୀବନଯାପନ ପାଇଁ ଆଉ ସକ୍ଷମ ହେଉନାହାଁନ୍ତି । ସେମାନେ ନିଜକୁ ଅସହାୟ ମଣୁଛନ୍ତି । ଏହି ବିଦ୍ରୋହ ଦମନ କରିବା ଅତି ଜରୁରୀ । ତୁମମାନଙ୍କ ମଧ୍ୟରୁ କାହାକୁ ସୈନ୍ୟବାହିନୀର ନେତୃତ୍ୱ ନେଇ ବିଦ୍ରୋହ ଦମନ କରି ସେହି ପ୍ରାନ୍ତରେ ପୁନଃ ଶାନ୍ତି ଓ ସୁରକ୍ଷା ସ୍ଥାପନା କରିବାକୁ ପଡିବ । ଏହି କାର୍ଯ୍ୟ କରିବା ପାଇଁ ତୁମମାନଙ୍କ ମଧ୍ୟରୁ କିଏ ଆଗ୍ରହୀ ଓ ପ୍ରସ୍ତୁତ ତାହା ଅବିଳମ୍ବେ ପ୍ରକାଶ କର ।”
ବିନ୍ଦୁସାର ଭାବୁଥିଲେ, ସୁଶେମ ତୁରନ୍ତ ଦାୟିତ୍ୱ ନେବାପାଇଁ ଆଗଭର ହୋଇ ବାହାରିବେ । କିନ୍ତୁ ସେ ନୀରବରେ ଦଣ୍ଡାୟମାନ ଥିଲେ । ଅନ୍ୟ ଚାରି ପୁତ୍ର ମଧ୍ୟ ନିରୁତ୍ତର ରହି ମୁଣ୍ଡ ତଳକୁ କରିଦେଲେ । ଶେଷରେ ଅଶୋକ ଆଗେଇ ଆସି ଘୋଷଣା କଲେ, “ପ୍ରଭୁ, ଆପଣଙ୍କର ଆଜ୍ଞା ପାଳନ କରିବା ପାଇଁ ମୁଁ ପ୍ରସ୍ତୁତ । ମତେ ଆଦେଶ ପ୍ରଦାନ କରନ୍ତୁ । ମୋର ବିଶ୍ୱାସ ଏହି ଦାୟିତ୍ୱ ମୁଁ ସୁଚାରୁ ରୂପେ ପାଳନ କରିପାରିବି । ଏପରି କୌଣସି ବିଶୃଙ୍ଖଳାକୁ ସହ୍ୟ କରିବା ଅନୁଚିତ୍ ହେବ । ବିଦ୍ରୋହ ଦମନ କରି, ଶାନ୍ତି ଓ ସୁରକ୍ଷା ସ୍ଥାପନ ପାଇଁ, ଏବେ ଏହି ମୁହୂର୍ତ୍ତରେ ସୈନ୍ୟଙ୍କୁ ନେଇ ଯାତ୍ରା ଆରମ୍ଭ ପାଇଁ ମୋତେ ଅନୁମତି ପ୍ରଦାନ କରନ୍ତୁ ।”
“ପୁତ୍ର, ମୁଁ ଖୁବ୍ ଆନନ୍ଦିତ । ତୁମର ସାହସ ଓ ଆତ୍ମବିଶ୍ୱାସର ମୁଁ ପ୍ରଶଂସା କରୁଛି । ତୁମେ ପ୍ରକୃତରେ ଜଣେ ବୀରପୁରୁଷ । ତୁମ କଥା ଓ କାର୍ଯ୍ୟରେ ବିରତ୍ୱର ଅପୂର୍ବ ସମାହାର ଘଟିପାରିଛି । ଯଥାଶୀଘ୍ର ଏହି ବିଜୟ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଅ ।” ଏପରି କହି ବିନ୍ଦୁସାର ସ୍ନେହରେ ଅଶୋକଙ୍କ ପିଠି ଆଉଁଷି ଦେଲେ । ଅନ୍ୟପୁତ୍ରମାନଙ୍କୁ ଝିଂଘାସି କରି ସେ କହିଲେ, “କାପୁରୁଷ ଗଣ ଆଉ କାହିଁକି ମୋ ସମ୍ମୁଖରେ ଠିଆ ହୋଇଛ । ତୁମ ମାନଙ୍କ ପାଇଁ ମୋର ସମ୍ମାନ ନଷ୍ଟ ହୋଇସାରିଛି । ଏଥର ନିଜ ନିଜ ବାସଗୃହକୁ ଫେରିଯାଇ ଲୁଚକାଳୀ ଖେଳ ଖେଳିବା ଆରମ୍ଭ କରିଦିଅ । ମୋ ଆଗରେ ମୁହଁ ଦେଖାଇବା ଅନୁଚିତ୍ ।”
ପାଂଚ ରାଜକୁମାର ବିରସମନରେ ସେ ସ୍ଥାନ ପରିତ୍ୟାଗ କଲେ । ଅଶୋକ ପିତାଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲେ ଓ ଆର୍ଶୀବାଦ ଘେନି ସେଠାରୁ ଚାଲି ଆସିଲେ ।
ମହାରାଜ ଏକାନ୍ତରେ ଭାବିଲେ “ପୂଜ୍ୟ ଗୁରୁଦେବ ଚାଣକ୍ୟଙ୍କ ବାଣୀ ସତ୍ୟ ପ୍ରମାଣିତ ହେଲା । ସେ ସେହି ପରୀକ୍ଷା ଦିନହିଁ ନିର୍ଣ୍ଣୟ କରିସାରିଥିଲେ ଯେ ମୋ ପୁତ୍ରମାନଙ୍କ ମଧ୍ୟରେ କେବଳ ଅଶୋକ ହିଁ ଯୋଗ୍ୟତମ ।”