ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମ୍ରାଟ ଅଶୋକ

                ଏହି ସମୟରେ ରାଜାଙ୍କ ଶିବିର ସମ୍ମୁଖରେ କାହାଳୀ ଧ୍ୱନି ଶ୍ରୁତିଗୋଚର ହେଲା । ଏହି ସଙ୍କେତର ଅର୍ଥ କେହି ସୈନିକ ବା ଗୁପ୍ତଚର ରାଜାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବାପାଇଁ ଇଚ୍ଛା କରୁଛନ୍ତି ।

                ଯଶ ତୀର ବେଗରେ ବାହାରକୁ ଆସିଲେ ଓ ସଙ୍ଗରେ ଜଣେ ଦଳନାୟକଙ୍କୁ ଘେନି ଫେରିଲେ ।

                ସେହି ଦଳନାୟକ ସମାଚାର ଦେଲେ “ତୋଷାଳୀ ଦୁର୍ଗ ସମୀପରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ଆମର ପାଞ୍ଚ ହଜାର ସୈନିକ ନିହତ ହେଲେଣି । ଏହାର ଦୁଇଗୁଣ କଳିଙ୍ଗ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ଆମ ସୈନ୍ୟଙ୍କ ସହିତ ମୁକାବିଲା କରୁଥିବା କଳିଙ୍ଗ ପକ୍ଷ ପ୍ରଶିକ୍ଷଣପ୍ରାପ୍ତ ସୈନିକ ନୁହଁନ୍ତି, ଯୁଦ୍ଧ ଶିଖି ନ ଥିବା ସାଧାରଣ ନାଗରିକ । ପ୍ରକୃତ ସୈନ୍ୟମାନେ ଦୁର୍ଗ ମଧ୍ୟରେ ରହିଛନ୍ତି ।”

                ଅଶୋକ ଆଜ୍ଞା ଦେଲେ “ତେବେ ପ୍ରକୃତ ସୈନ୍ୟ ଆକ୍ରମଣ କରିବା ପୂର୍ବରୁ ଆମକୁ ବଳହୀନ କରିବା ପାଇଁ କଳିଙ୍ଗ ଏପରି ବ୍ୟୁହ ରଚନା କରିଛି । ଏବେ ଆଉ ଅଧିକ ବିଳମ୍ବ କରିବା ଅନୁଚିତ୍ ଓ ଅନର୍ଥଦାୟକ ମଧ୍ୟ । ଯଶ, ମୁଁ ନିଜେ ମଗଧ ସେନାର ନେତୃତ୍ୱ ସମ୍ଭାଳିବି । ଏବେ ଆଗେଇ ଚାଲ ।”

                ସମସ୍ତେ ଶିବିର ବାହାରକୁ ଆସିଲେ ।

ଗୁପ୍ତଚର ସୂଚନା ଦେଲେ ଯେ, ଯୁଦ୍ଧକ୍ଷେତ୍ରର ସମୀପବର୍ତ୍ତୀ ଏକ ଗ୍ରାମରେ ହଜାର ହଜାର କଳିଙ୍ଗ ନାରୀ ଦିବସ ସମୟରେ ଖାଦ୍ୟ ରନ୍ଧନ କରୁଛନ୍ତି ଓ ସନ୍ଧ୍ୟାକାଳରେ ଭୋଜନ ଧରି ସୈନିକଙ୍କ ପାଖରେ ଯାଇ ଉପସ୍ଥିତ ହେଉଛନ୍ତି । ଏଥି ସହିତ ସେମାନେ ଆହତ ସୈନିକଙ୍କର ଚିକିତ୍ସା ମଧ୍ୟ କରୁଛନ୍ତି । ତତ୍କ୍ଷଣାତ୍ ସେନାଧିପତି, କେତେକ ସୈନ୍ୟଙ୍କୁ ସଙ୍ଗରେ ନେଇ ସେହି ଗ୍ରାମରେ ପହଁଚିଲେ । ପ୍ରଥମେ ମଗଧ ସୈନିକ ସାରା ଗ୍ରାମରେ ଅଗ୍ନି ସଂଯୋଗ କରିଦେଲେ ।

ସେଠାରେ ଥିବା କଳିଙ୍ଗ-ନାରୀମାନେ ମଧ୍ୟ ଆଦୌ ଭୟ ନ କରି ହାତରେ ଜ୍ୱଳନ୍ତ କାଷ୍ଠମାନ ଧରି ସେନାଙ୍କର ମୁକାବିଲା କଲେ । ସେମାନଙ୍କ କଣ୍ଠରୁ କ୍ରୋଧଭରା ଚିତ୍କାର ଶୁଭୁଥାଏ । “ଆମେ ତୁମର କ’ଣ କ୍ଷତି କରିଛୁ? ଆମ ଦେଶର ତୁମ ସହିତ କ’ଣ ଶତ୍ରୁତା ରହିଛି? ଆମ ଦେଶକୁ କାହିଁକି ଆକ୍ରମଣ କରୁଛ? ଲୋଭରେ ପଡି ଆମ ଦେଶର ଧନସମ୍ପଦ ଲୁଣ୍ଠନ କରିବା ପାଇଁ ଆସିଛ? ଆମେ ଏହା ହେବାକୁ କଦାପି ମଧ୍ୟ ସୁଯୋଗ ଦେବା ନାହିଁ । ରକ୍ତରନଦୀ ପଛେ ବହିଯାଉ । ଆମ ସମସ୍ତଙ୍କର ପ୍ରାଣ ଚାଲିଯାଉ । ତେବେ ସୁଦ୍ଧା ଆମେ ତୁମର ଦାସତ୍ୱ କେବେବି ସ୍ୱୀକାର କରିବୁ ନାହିଁ ।” କିନ୍ତୁ ମଗଧ ସୈନିକଙ୍କର ବର୍ବରତା ଆଗରେ ସେମାନେ ଆଉ ବେଶୀ ସମୟ ତିଷ୍ଠି ରହି ପାରିଲେ ନାହିଁ । ଅତି ନିର୍ଦ୍ଦୟପୂର୍ବକ ସମସ୍ତଙ୍କୁ ହତ୍ୟା କରାଗଲା ।

ସାରାଦିନ ଦୁର୍ଗ ସମୀପରେ ଘମାଘୋଟ ଯୁଦ୍ଧ ଲାଗି ରହିଲା । ଉତ୍ତର ପକ୍ଷରୁ ହଜାର ହଜାର ସୈନ୍ୟ ନିହତ ହେଲେ । ତତ୍ ପରଦିନ ଯଶ ଅଶୋକଙ୍କୁ ନମସ୍କାର ଜଣାଇ କହିଲେ, “ଏକ ଶୁଭ ସମାଚାର ଆଣିଛି । ଦୁର୍ଗର ଏକ ପାଶ୍ୱର୍ର ପ୍ରାଚୀର ସାମାନ୍ୟ ଭାଙ୍ଗି ଯାଇଛି । ଆଜ୍ଞା ଦେଲେ ଆମର କିଛି ଚତୁର ସୈନିକ ସେହି ଛିଦ୍ର ମଧ୍ୟଦେଇ ଭିତରକୁ ଯିବେ ଓ ସେଠାରେ ଥିବା ରାଜପ୍ରତିନିଧିଙ୍କୁ ହତ୍ୟା କରିବେ । ଏହି ଯୋଜନା ସଫଳ ହେଲେ ଦୁର୍ଗ ନିଶ୍ଚୟ ଆମ ଅଧୀନକୁ ଆସିବ । ଆମର ଆକ୍ରମଣ ମଧ୍ୟ ସଫଳ ହେବ ।”

ଅଶୋକ ଗଭୀର ଉତ୍ସାହରେ କହିଲେ “ମିତ୍ର, ତୁମେ ଏକ ଅତ୍ୟନ୍ତ ଶୁଭ ସମାଚାର ଜଣାଇଲ । ମୁଁ ବଡ ଆତୁରତାର ସହିତ ସେହି ଶୁଭକ୍ଷଣର ପ୍ରତୀକ୍ଷା କରିଛି, ଯେତେବେଳେ କି ମୁଁ ଘୋଷଣା କରିବି ଯେ, ଏହି କଳିଙ୍ଗ ଦେଶର ମଗଧ ରାଜ ପ୍ରତିନିଧି ରୂପେ ଯଶଙ୍କୁ ନିଯୁକ୍ତି ଦିଆଗଲା ।” ଏହା ଶୁଣି ଯଶଙ୍କର ଆନନ୍ଦର ଆଉ କୌଣସି ସୀମା ରହିଲା ନାହିଁ ।

ଯଶଙ୍କ ଆଜ୍ଞାନୁସାରେ ମଗଧ ସେନାଧିପତି ଓ ସୈନିକଗଣ ତୋଷାଳୀ ଦୁର୍ଗର ସାମନ୍ତ ଓ ରାଜପ୍ରତିନିଧିଙ୍କ ଭବନକୁ ଘେରାଉ କଲେ । ସେଠାରେ ସର୍ବମୋଟ ଏକୋଇଶ ଜଣ ରାଜପ୍ରତିନିଧି ଥିଲେ । ତନ୍ମଧ୍ୟରୁ କେତେଜଣ ବୃଦ୍ଧ ଥିଲେ । ସେମାନେ ଶତୃର ମୁକାବିଲା କରି ନିଜର ପ୍ରାଣ ଉତ୍ସର୍ଗ କଲେ ।

ଏହି ଘଟଣା ପରେ ଯଶ ଓ ଅଶୋକ ସେହି ଦୁର୍ଗ ଭିତରକୁ ଗଲେ । ଅଶୋକଙ୍କୁ ଦେଖିବାକ୍ଷଣି ଜଣେ ରକ୍ତସିକ୍ତ ବୃଦ୍ଧ କହି ଉଠିଲେ, “ତୁମେ ଆମକୁ ହତ୍ୟା କରିବା ସତ୍ୟ, କିନ୍ତୁ ଆମର ଆତ୍ମାରୁ ଦେଶ ଭକ୍ତିର ଭାବନା କେହିବି ପୋଛି ଦେଇ ପାରିବେ ନାହିଁ । ଆମର ଏହି ଜାତିପ୍ରେମ ସଦା ସର୍ବଦା ଜାଗି ରହିଥିବ । ତୁମମାନଙ୍କୁ ସମୂଳେ ବିନାଶ ନ କରିବା ଯାଏଁ ଆମର ଆତ୍ମାକୁ କଦାପି ବି ଶାନ୍ତି ମିଳିବ ନାହିଁ । ଯେପରି ଆମର ଅସହାୟ ସ୍ତ୍ରୀମାନଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ହତ୍ୟା କରିଛ, ସେହିପରି ତୁମକୁ ସବଂଶେ ହତ୍ୟା କଲେ ଯାଇ ଆମକୁ ଟିକେ ଶାନ୍ତି ମିଳିବ ।” ସେହି ବୃଦ୍ଧ ଜଣକ ଦୁଃଖଭରା କଣ୍ଠରେ ପ୍ରତିଜ୍ଞା କରି ଏପରି କହୁଥିଲେ ।

ଅଶୋକ ଚକିତ ହୋଇ ପ୍ରଶ୍ନ କଲେ, “କିଏ ତୁମର ନିରସ୍ତ୍ର ମହିଳାମାନଙ୍କୁ ହତ୍ୟା କରିଛି?” ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ବୃଦ୍ଧ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

ଯଶ କହିଲେ, “ଅତିପ୍ରସିଦ୍ଧ ତୋଷାଳୀ ଦୁର୍ଗ ଆମର ଅଧୀନସ୍ଥ ହେଲା ।” ଅଶୋକ ଆଶ୍ଚର୍ଯ୍ୟଭରା ସ୍ୱରରେ କହିଲେ, “ଦୁର୍ଗ ତ ଆମର ହୋଇଗଲା ସତ, କିନ୍ତୁ ଏଠାରେ କେହି ଥିବା ପରି ଲାଗୁନାହିଁ?”

“ରାଜ-ପ୍ରତିନିଧିଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଜୀବିତ ଥିଲେ, ଆମର ଦୁର୍ଗ-ପ୍ରବେଶ ଦୁଃସାଧ୍ୟ ହୋଇ ପଡି ଥାଆନ୍ତା । ତେଣୁ ସୈନିକଗଣ ସମସ୍ତଙ୍କୁ ହତ୍ୟା କରିଛନ୍ତି । ପ୍ରଜାମାନଙ୍କ ମଧ୍ୟରୁ କେତେକ ମୃତ, ଅଥବା ଆହତ, ଅନ୍ୟ କେତେକଙ୍କୁ ବନ୍ଦୀ କରି ଦୟାନଦୀ ତଟକୁ ପଠାଇ ଦିଆ ଯାଇଛି ।”

ଅଶୋକ ନିରୁତ୍ସାହିତ ହୋଇ କହିଲେ “ତେବେ ଆମେ ଏକ ଜନମାନବ ଶୂନ୍ୟ ଦୁର୍ଗ ଉପରେ ବିଜୟ ହାସଲ କରିଛୁ ।”

ଯଶ କହିଲେ “ହଁ, ମନୁଷ୍ୟ କେହି ନାହାଁନ୍ତି ସିନା, ହେଲେ କଳିଙ୍ଗ ବଣିକମାନେ ସୁନ୍ଦର ଦ୍ୱୀପରୁ ବୋହି ଆଣିଥିବା ଅମାପ ଧନରାଶି ଏଠାରେ ସୁରକ୍ଷିତ ଅଛି । ଏବେଠାରୁ କଳିଙ୍ଗ ନୌ-ବାଣିଜ୍ୟର ସମାପ୍ତି ଘଟିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ