ଅଶୋକ ସନ୍ଦିଗ୍ଧ କଣ୍ଠରେ ପ୍ରଶ୍ନ କଲେ “କଳିଙ୍ଗ ବଣିକମାନେ ବାଣିଜ୍ୟ ବନ୍ଦ କରିଦେଲେ, ଆମକୁ ସେଥିରୁ କ’ଣ ବା ଲାଭ ମିଳିବ? ସେମାନେ ଆମ ଦେଶର ପ୍ରତିନିଧି ହୋଇ ପୂର୍ବବତ ଦୂର ଦୂରାନ୍ତରରେ ବାଣିଜ୍ୟ କରି ପାରିବେ । ସେମାନେ କ’ଣ ଏହା ଚାହାଁନ୍ତି ନାହିଁ?”
“ସେମାନେ, ଆପଣଙ୍କର ଦାସ ହେବାଠାରୁ ମୃତ୍ୟୁକୁ ଅଧିକ ଶ୍ରେୟସ୍କର ମଣିବେ ।” କାହାର କଣ୍ଠରୁ ଏହି ଉତ୍ତର ଆସିଲା ତାହା ଜାଣିବା ପାଇଁ ଅଶୋକ ବୁଲିପଡି ଚାହିଁଲେ । ଦେଖିଲେ ମୃତ୍ୟୁର ଶେଷପାଦରେ ଥାଇ ଜଣେ ସାମନ୍ତ ଏପରି କହୁଥିଲେ ।
“ତୁ ଏବେ ଯାଏଁ ଜୀବିତ ଅଛୁ?” ଏହା କହି ଅଶୋକଙ୍କର ପଶ୍ଚାତ୍ ଦିଗରେ ଥିବା ଜଣେ ଦଳନାୟକ ସେହି ସାମନ୍ତଙ୍କ ଶରୀରରେ ଛୁରୀଆଘାତ କଲେ । ତତ୍କ୍ଷଣାତ୍ ତାଙ୍କର ମୃତ୍ୟୁ ଘଟିଲା । ଅଶୋକ ସେ ଦୃଶ୍ୟ ଯମାରୁ ସହ୍ୟ କରି ନ ପାରି କ୍ଷୋଭରେ କହିଲେ, “ଅନାବଶ୍ୟକ ସ୍ଥଳେ ତୁମେ କାହିଁକି ତାକୁ ହତ୍ୟା କଲ?”
ଦଳନାୟକ ନିଜ କାମକୁ ସମର୍ଥନ କରି କହିଲେ “ପ୍ରଭୁ! ଆପଣ ଏଠାରେ ଉପସ୍ଥିତ ଥିବା ସମୟରେ କୌଣସି ପ୍ରକାର ଅସାବଧାନତାକୁ ଏଡେଇବାକୁ ହିଁ ପଡିବ । ସେହି ସାମନ୍ତ ହୁଏତ, ତାଙ୍କ ପାଖରେ କୌଣସି ଅସ୍ତ୍ର ଗୋପନୀୟ ଭାବେ ରଖିଥିବ । ତାହା ନିକ୍ଷେପ କରି ଆପଣଙ୍କୁ ସେ ଆଘାତ ଦେବାକୁ ଚେଷ୍ଟା କରିବ ।” ସେନାପତି ମଧ୍ୟ ଦଳନାୟକଙ୍କୁ ସମର୍ଥନ କଲେ ।
ଅଶୋକ ହତୋଚକିତ ଭାବେ ଯଶଙ୍କୁ କହିଲେ, “ଏପରି ଭୟଙ୍କର ପରିସ୍ଥିତି ହୁଏତ ଆମକୁ କ୍ରୁର, ନିଷ୍ଠୁର, ପାଷାଣ୍ଡରେ ପରିଣତ କରି ଦେଇପାରେ ।” ପୁନଶ୍ଚ ସେ ସେନାଧିପତିଙ୍କୁ ଲକ୍ଷ୍ୟ କରି କହିଲେ, “ନିଃସହାୟ, ନିରସ୍ତ୍ର ଅବଳା ସ୍ତ୍ରୀମାନଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଥିବା କଥା କ’ଣ ସତ୍ୟ ଅଟେ?”
ସେନାଧିପତି ତାଙ୍କ ଶିର ତଳକୁ କରି କହିଲେ, “ଏହା ସତ୍ୟ ଯେ, ସେହି ସ୍ତ୍ରୀଲୋକମାନେ ନିରସ୍ତ୍ର ଥିଲେ । କିନ୍ତୁ ସେମାନେ ସେନାବାହିନୀ ପାଇଁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରୁଥିଲେ । ଆହତ ସୈନିକମାନଙ୍କର ସେବାଶୁଶ୍ରୁଷା କରୁଥିଲେ । ଏହା କଳିଙ୍ଗ ସୈନ୍ୟମାନଙ୍କର ଆତ୍ମ-ଶକ୍ତିକୁ ବହୁଗୁଣିତ କରୁଥିଲା । କଳିଙ୍ଗ ସେନାବାହିନୀର ଧୈର୍ଯ୍ୟଭଙ୍ଗ କରିବା ପାଇଁ, ସେମାନଙ୍କର ସର୍ବନାଶ ଅତ୍ୟନ୍ତ ଆବଶ୍ୟକ ଥିଲା ।”
ଅଶୋକ ପ୍ରଶ୍ନ କଲେ “ସେହି ଅବଳାମାନେ କେଉଁ ସ୍ଥାନର ଅଧିବାସୀ?” ସେନାଧିପତି ଜଣାଇଲେ “ସେମାନେ ସାରା କଳିଙ୍ଗର ବିଭିନ୍ନ କୋଣରୁ ଆସିଥିଲେ । ଏଠାରେ, ନିକଟସ୍ଥ ଏକ ଗ୍ରାମରେ ସେମାନେ ସମ୍ମିଳିତ ହୋଇ ରହୁଥିଲେ ।”
ଅଶୋକ ନିର୍ବାକ୍ ଭାବେ ସେଠାରୁ ଚାଲିଗଲେ । ଯଶ ଓ ସେନାଧିପତି ତାଙ୍କର ଅନୁସରଣ କଲେ ।
ଦୁର୍ଗ ବାହାରେ ଦଣ୍ଡାୟମାନ ଉପ-ସେନାଧିପତି ମହାରାଜ ଅଶୋକଙ୍କୁ ନମସ୍କାର କରି କହିଲେ, “ମହାରାଜ, ଲକ୍ଷାଧିକ କଳିଙ୍ଗ-ପ୍ରଜାଙ୍କର ମୃତ୍ୟୁ ଘଟିଛି । ଏହାଠାରୁ ଅଧିକ ସଂଖ୍ୟାରେ ବି ବନ୍ଦୀ ହୋଇଛନ୍ତି । ମନେ ହେଉଛି, ଯୁଦ୍ଧର ସମାପ୍ତି ଘଟିଛି ।”
ଅଶୋକ ମୌନତା ଧାରଣ କରି ଅଶ୍ୱ ଉପରେ ଉପବେଶନ କରି ସେଠାରୁ ବାହାରିଗଲେ । ତାଙ୍କ ପଛରେ ଯଶ ଓ ସେନାଧିପତି ଥିଲେ ।
ଅଶୋକ ନଗରର ସୀମାବର୍ତ୍ତୀ ଏକ ଗ୍ରାମ ନିକଟରେ ଯାଇ ପହଁଚିଲେ । ଗ୍ରାମର ଚତୁଃପାଶ୍ୱର୍ରେ କୁକୁର, ବିଲୁଆ ମହା ଆନନ୍ଦରେ ଶବମାନ ଭକ୍ଷଣ କରି ଚାଲିଥିଲେ । ଚତୁଃପାଶ୍ୱର୍ରେ ଶ୍ମଶାନର ନୀରବତା ଓ ନିର୍ଜନ ପରିବେଶ ବିରାଜୁଥିଲା । ଏପରି ଶୋକାବହ ଦୃଶ୍ୟରେ ଅଶୋକଙ୍କର ହୃଦୟ ଯେପରି ବିଦାରିତ ହୋଇ ଯାଉଥିଲା! ସେ ଏପରି ବିଜୟରେ ଗର୍ବିତ ହେବେ ନା ଦୁଃଖିତ ହେବେ, ତାହା ନିର୍ଣ୍ଣୟ କରିବାର ବୋଧଶକ୍ତି ଲୋପ ପାଇ ଆସୁଥିଲା । କୋହଭରା କଣ୍ଠରେ ସେ କହିଲେ :
“ଯଶ, କଳିଙ୍ଗ ଉପରେ ଆମେ ବିଜୟ ଲାଭ କଲେ । ଏବେଠାରୁ ତୁମେହିଁ ଏହି ରାଜ୍ୟର ଶାସକ……..” ଅଶୋକଙ୍କର ବାକ୍ୟ ଶେଷ ହେବା ପୂର୍ବରୁ, ହଠାତ୍ କେଉଁ ଦିଗରୁ ଏକ ନାରୀର ଅଟ୍ଟହାସ୍ୟ ଶ୍ରୁତିଗୋଚର ହେଲା । ପରକ୍ଷଣରେ ଯଶ ତାଙ୍କ ନିଜ ବକ୍ଷକୁ ଚାପିଧରି ଆର୍ତ୍ତନାଦ କରି ଅଶ୍ୱପୃଷ୍ଠରୁ ଟଳି ପଡିଲେ । ସେତେବେଳକୁ ଏକ ତୀର ତାଙ୍କର ବକ୍ଷଭେଦ କରି ସାରିଥିଲା ।
ଅଶୋକ, ସେନାଧିପତି ଅଶ୍ୱପୃଷ୍ଠରୁ ତୁରନ୍ତ ଲମ୍ପମାରି ଯଶଙ୍କ ନିକଟକୁ ଚାଲି ଆସିଲେ । ତା’ପରେ ଅଙ୍ଗରକ୍ଷକମାନେ ସେ ତୀର ନିକ୍ଷେପକାରୀକୁ ଧରିବା ପାଇଁ ଉଦ୍ୟତ ହେଲେ ।
“ମୋତେ ଖୋଜି ଆଣିବା କିଛି ଦରକାର ନାହିଁ । ସ୍ୱୟଂ ଏଠାରେ ଆସି ମୁଁ ଉପସ୍ଥିତ ହେଉଛି ।” ଏପରି କହି ହସ୍ତରେ ଧନୁର୍ବାଣ ସହ ଜଣେ ସୁନ୍ଦରୀ ରମଣୀ ସମ୍ମୁଖକୁ ଆସିଲେ । ସ୍ତବ୍ଧ ଅଶୋକ ନିଜର ପ୍ରିୟମିତ୍ର ଯଶଙ୍କୁ କୋଳରେ ଧରି ସେହି ରମଣୀଙ୍କୁ ପ୍ରଶ୍ନ କଲେ, “ଏତେ ବଡ ପାପ ତୁମେ କଲ କାହିଁକି?”
ସେହି ବୀରା ରମଣୀ ଦୃପ୍ତ କଣ୍ଠରେ କହିଲେ “ନିଜର ପାପକୁ ଲୁଚାଇବା ପାଇଁ ମୋ ଉପରେ ପାପର ଆରୋପ କରୁଛ? ମୁଁ ଏହା ପ୍ରମାଣ କରି ଦେଇଛି ଯେ, କଳିଙ୍ଗକୁ କେହିବି ଜିତି ପାରିବେ ନାହିଁ । ଯିଏ ଏହି ଲାଳସାରେ ଆମର ଜନ୍ମଭୂମିରେ ପାଦ ରଖିବ, ତା’ର ଦଶା ଠିକ୍ ଏହାହିଁ ହେବ ।”
ଦଳନାୟକ ବିନତି ପୂର୍ବକ କହିଲେ “ପ୍ରଭୁ, ଏହି ସ୍ତ୍ରୀ କ୍ଷମାର ଆଦୌ ଯୋଗ୍ୟ ନୁହେଁ । ଏହାକୁ ବଧ କରିବା ପାଇଁ ତୁରନ୍ତ ଆଦେଶ ପ୍ରଦାନ କରନ୍ତୁ ।”
“ନା, ଦଳପତି, ନା, ତାହା କର ନାହିଁ । ସେ ଇଚ୍ଛା କରିଥିଲେ ଏହାଠାରୁ ଆମର ବଳି ଅଧିକ କ୍ଷତି ମଧ୍ୟ କରିପାରେ ଥାଆନ୍ତେ । ମୋତେ ଲକ୍ଷ୍ୟ କରି ନିକ୍ଷେପିତ ଶର ଯଦି ମହାରାଜଙ୍କୁ ଲକ୍ଷ୍ୟ କରି ପ୍ରୟୋଗ କରାଯାଇ ଥାଆନ୍ତା, ତେବେ ଆମର ଏହି ଆକ୍ରମଣ ନିଷ୍ପ୍ରୟୋଜନ ଅର୍ଥହୀନ ହୋଇ ଥାଆନ୍ତା ତାଙ୍କୁ ଯିବାକୁ ଦିଅ ।” ଯଶ ଅତି କଷ୍ଟରେ ଏତିକି ମାତ୍ର କହି ଟଳି ପଡିଲେ ।
ଅନ୍ତରଙ୍ଗ ମିତ୍ରର ଅନ୍ତିମ କଥା କେତେ ପଦକୁ ଆପଣା ଭିତରେ ମନ୍ଥନ କରି, ଯଶଙ୍କର ଭୌତିକ ଶରୀର ପାଖରେ ଅଶୋକ ମୌନ ହୋଇ ବସି ରହିଥିଲେ । “ମୋତେ ଲକ୍ଷ୍ୟ କରି ଏହି ଯୁବତୀ ତୀର ନିକ୍ଷେପ କରିଥିଲେ, ଏହି ଭୟଙ୍କର ଯୁଦ୍ଧ, ବିଜୟର ଅର୍ଥ କ’ଣ ହୋଇ ଥାଆନ୍ତା? ମୁଁ ବିଜୟ ହାସଲ କରିଛି ସତ, କିନ୍ତୁ ଏହି ବିଜୟରୁ ମୋତେ କ’ଣ ପ୍ରାପ୍ତ ହୋଇଛି? ମୋ ପାଇଁ ଏବେ ଆଉ ଏହାର କ’ଣ ପ୍ରୟୋଜନ?” ଏହିପରି ଭାବେ ଗଭୀର ମାନସିକ ଉଦ୍ବେଳନରେ ମ୍ରିୟମାଣ ଅଶୋକ ନିଜକୁ ପ୍ରଶ୍ନ କରୁଥିଲେ ।