ଏସବୁ ଦେଖି ଜ୍ୟେଷ୍ଠ ରାଜକୁମାର ସୁଶେମଙ୍କ ମନରେ ଭୟଙ୍କର ଈର୍ଷା ଜାତ ହେଉଥାଏ । ସେ ଗୁପ୍ତ ଭାବରେ ସେନାଧିପତିଙ୍କୁ ସାକ୍ଷାତ କରି କହିଲେ, “ଏ ସବୁର କଣ ବା ଆବଶ୍ୟକତା ରହିଛି? ସାମ୍ରାଜ୍ୟର ଗୋଟିଏ କୋଣରେ ଏକ କ୍ଷୁଦ୍ର ଆନ୍ଦୋଳନ ସୃଷ୍ଟି ହୋଇଛି । ତାକୁ ଦମନ ପାଇଁ ଏକ ମହାଯୁଦ୍ଧ ସ୍ତରର ଆୟୋଜନ ଆପଣ କାହିଁକି କରୁଛନ୍ତି?”
ତାଙ୍କର ଏପରି ପ୍ରଶ୍ନରେ ଚକିତ ହୋଇ ସେନାଧିପତି କହିଲେ, “ଯୁବରାଜ, ଶତ୍ରୁବଳକୁ କୌଣସି ଦୃଷ୍ଟିରୁ ସାଧାରଣ ଭାବିବା ଆଦୌ ବାଂଛନୀୟ ନୁହେଁ । ସର୍ପ ଆକୃତିରେ କ୍ଷୁଦ୍ର ହେଲେ ମଧ୍ୟ ତାକୁ ପ୍ରହାର କରିବା ପାଇଁ ବୃହତ୍ ଲାଠିର ଆବଶ୍ୟକତା ରହିଛି । ଏହି ବିଦ୍ରୋହର ଅନ୍ତରାଳରେ ରହିଛି ଗ୍ରୀକ୍ ବଳ । ଏହା ବ୍ୟତୀତ ଯୁବରାଜ ଅଶୋକ ଜୀବନରେ ପ୍ରଥମଥର ପାଇଁ ସୈନ୍ୟବାହିନୀର ନେତୃତ୍ୱ ପାଇଁ ଅଗ୍ରସର ହୋଇଛନ୍ତି । ତାଙ୍କର ବିଜୟଶ୍ରୀ ପ୍ରାପ୍ତ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ମୋର ପରମ ଦାୟିତ୍ୱ ଅଟେ । ଏହା ସହିତ ରାଜପରିବାରର ଗର୍ବ ଓ ଗୌରବ ସମ୍ବନ୍ଧିତ ଅଟେ ।”
ସବୁ ଶୁଣି ସୁଶେମ ତୀବ୍ର ସ୍ୱରରେ ବ୍ୟଙ୍ଗୋକ୍ତି କଲେ “କାହାର ଗୌରବ ସମ୍ବନ୍ଧରେ ତୁମେ କହୁଛ? ମଗଧ-ସାମ୍ରାଜ୍ୟର ଭାବୀ ନରପତି ଅଶୋକଙ୍କ ଗୌରବ ସମ୍ବନ୍ଧରେ ।”
ତା’ପରେ ସେନାଧିପତି କହିଲେ “ମୁଁ ଯାହା ଶୁଣିବାକୁ ପାଉଛି, ଅଶୋକ ନୁହଁନ୍ତି, ବରଂ ଆପଣ ଏହି ରାଜ୍ୟର ମହାରାଜ ହେବାକୁ ଯାଉଛନ୍ତି । ତେବେ ଆପଣ ସୈନ୍ୟବଳ ସହିତ ତକ୍ଷଶିଳା ଯାତ୍ରା କରିଥିଲେ ତ ଖୁବ୍ ଶୋଭା ଦିଶିଥାନ୍ତା । ନିଜର ଭାବୀ ମହାରାଜଙ୍କ ବିଜୟରେ ମଗଧର ପ୍ରଜାକୁଳ ଅପାର ଆନନ୍ଦ ଲାଭ କରିଥାନ୍ତେ । ଏହି ବିଜୟ ଆପଣଙ୍କୁ ପ୍ରଜାମାନଙ୍କ ହୃଦୟରେ ଏକ ଶ୍ରଦ୍ଧାର ଆସନ ପ୍ରଦାନ କରିଥାନ୍ତା । ଆପଣ ଏପରି ଏକ ସୁଅବସର ହରେଇ ବସିଲେ ।
ସୁଶେମ ନିମ୍ନ ସ୍ୱରରେ କହିଲେ “ସେନାପତି, ତୁମେ ମୋ ସହିତ ତକ୍ଷଶିଳା ଯାତ୍ରା କଲେ, ମୁଁ ଅବଶ୍ୟ ବିଜୟ ଲାଭ କରିବି ।”
ତହୁଁ ସେନାଧିପତି କହିଲେ, “ଯୁବରାଜ, ଆପଣ କଣ କହିବାକୁ ଚାହୁଁଛନ୍ତି ସ୍ପଷ୍ଟଭାବେ ପ୍ରକାଶ କରନ୍ତୁ ।”
ତା’ପରେ ସୁଶେମ ପ୍ରକାଶ କଲେ “ସେନାଧିପତି, ତୁମେ ଖୁବ୍ ଭଲଭାବେ ଜାଣିଛ ଯେ, ପିତାଶ୍ରୀଙ୍କ ମୃତ୍ୟୁ ଅନ୍ତେ ମୁଁ ଏହି ରାଜସିଂହାସନରେ ଅଭିଷିକ୍ତ ହେବି । ପିତାଙ୍କର ମଧ୍ୟ ଅନୁରୂପ ଇଚ୍ଛା ରହିଛି । ମୋ ପ୍ରତି ସାଧାରଣ ପ୍ରଜାଙ୍କର ଆଦର ଓ ଶ୍ରଦ୍ଧାମୂଳକ ଭାବନା ସୃଷ୍ଟି ହେବା, ମୁଁ ସେମାନଙ୍କର ପ୍ରିୟପାତ୍ର ହେବା, ଏହା କେବଳ ତୁମର ସହଯୋଗରେ ହିଁ ସମ୍ଭବ ଅଟେ ।”
“ଏବେ ମଧ୍ୟ ମୁଁ ଆପଣଙ୍କ କଥା ବୁଝିପାରୁ ନାହିଁ । ମୁଁ ଆପଣଙ୍କୁ ଏକ ପ୍ରଶ୍ନ କରିପାରେ କି? ସୁଶେମଙ୍କ ଅନୁମତି ପାଇବା ପରେ ସେନାଧିପତି ପ୍ରଶ୍ନ କଲେ ମୋତେ କହିବେ କି, କେଉଁ କାରଣରୁ ଏହି ସେନାର ନେତୃତ୍ୱ ଦାୟିତ୍ୱ ନେବା ପାଇଁ ଆପଣ ପଛଘୁଂଚା ଦେଲେ?