“ବିତିଯାଇଥିବା ଘଟଣାକୁ ଦୋହରେଇବା ଅନୁଚିତ୍ । ଯାହା ହେବାର ଥିଲା, ତାହା ତ ହୋଇଯାଇଛି । ଏବେ ବି କିଛି କ୍ଷତି ହୋଇନାହିଁ । ମୁଁ ସୈନ୍ୟବାହିନୀର ନେତୃତ୍ୱ ନେବା ପାଇଁ ଇଚ୍ଛା କରୁଛି । କେବଳ ତୁମର ସହାୟତା ଲୋଡା । ମୋ କଥା ପାଳନ କଲେ ଓ ମୋ ଆଜ୍ଞାନୁସାରେ କାମ କଲେ, ମୁଁ ରାଜା ହେବା ପରେ ତୁମ୍ଭର ସକଳ ଇଚ୍ଛା ପୂର୍ଣ୍ଣ କରିବି । ଏଥିପାଇଁ ତୁମକୁ ଗୋଟିଏ କାମ କରିବାକୁ ପଡିବ । ଏହି ସୈନିକ ଚର୍ଯ୍ୟାରେ ଅଶୋକ ଯେମିତି ପରାଜିତ ହେବେ । ତା ପରେ ମୋର ନେତୃତ୍ୱରେ ସେନା ତକ୍ଷଶିଳା ଯାତ୍ରା କରିବେ, ଏବଂ ଆମର ମିଳିତ ସହଯୋଗରେ ଲକ୍ଷ୍ୟ ହାସଲ କରିବା । ମୁଁ ବିଜୟୀ ହୋଇ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ, ସେହି ଦାସୀପୁତ୍ର ଅଶୋକର ଗର୍ବ ଚୂର୍ଣ୍ଣ ହେବ । ତେଣୁ ତୁମକୁ ଅଶୋକଙ୍କ ସହିତ ବଳହୀନ ସୈନ୍ୟବାହିନୀ ପ୍ରେରଣ କରିବାକୁ ହେବ । ଦୁଇଜଣ ଅକର୍ମଣ୍ୟ ଅସମର୍ଥ ସେନାପତିଙ୍କୁ ତା ସହିତ ପଠେଇଦେବ । ଆମର ଯୋଜନା ସଫଳ ହେବା ପାଇଁ ଏତିକି ମାତ୍ର ଲୋଡା । ଏହି ରହସ୍ୟ ଆମ କେବଳ ଆମ ଦୁଇଜଣଙ୍କ ମଧ୍ୟରେ ହିଁ ଗୋପନ ରହିବ । ମୁଁ ତୁମ ଉପରେ ସଂପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରୁଛି ।” ସୁଶେମ ଏହିପରି ଭାବେ ଷଡଯନ୍ତ୍ରର ମାର୍ଗ ବତେଇଲେ ।
ତାଙ୍କର ଏପରି କଥା ଶୁଣି ସେନାଧିପତି ଆତଙ୍କିତ ହୋଇ ପଡିଲେ । ତାଙ୍କ ମୁହଁରୁ କଥା ସ୍ଫୁରିଲା ନାହିଁ । ସୁଶେମ ତାଙ୍କର ମାନସିକ ସ୍ଥିତିକୁ ବୁଝିପାରି କହିଲେ, “ତୁମେ ଏହି କାମ କଲେ, ମୁଁ ତୁମକୁ ଯଥାଯୋଗ୍ୟ ପୁରସ୍କାର ଦେବି ।”
ଏହା ଶୁଣି ସନ୍ଦିଗ୍ଧ ସ୍ୱରରେ ସେନାଧିପତି କହିଲେ “ଯୁବରାଜ, ସମ୍ଭବତଃ ଆପଣ ମୋର ରାଜଭକ୍ତି ଓ ସାଧୁତାପଣର ପରୀକ୍ଷା ନେଉଛନ୍ତି ।”
ତା’ପରେ ସୁଶେମ ଦୃଢ ସ୍ୱରରେ କହିଲେ, “ନା, ନା, ତୁମର ଧାରଣା ଭୁଲ୍ । ଅଶୋକର ଗର୍ବ ଧୂଳିସାତ କରିବା ପାଇଁ, ଏହା ମୋର ଲକ୍ଷ୍ୟ ଏବଂ ଆଶ୍ରୟ ମଧ୍ୟ । ମୁଁ ଯାହା ସବୁ କହିଲି, ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଏଥିରେ ଅଣୁମାତ୍ର ବି ସନ୍ଦେହ ନାହିଁ ।” ଏବେ ସେନାଧିପତି ନିଜ ମନ୍ତବ୍ୟ ଦେବାକୁ ଯାଇ କହିଲେ, “ଆପଣ ସିନା ନିଜ ମନକଥା ଖୋଲି କହିଦେଲେ । ଏବେ ମୋ ମନକଥା ଶୁଣିବା ହୁଅନ୍ତୁ । ଆପଣଙ୍କର ଏପରି କୁତ୍ସିତ ଇଚ୍ଛା ମୋର ମନ, ମସ୍ତିଷ୍କକୁ ଧିକ୍କାର କରୁଛି । ପୃଷ୍ଠଦେଶରୁ ଛୁରୀକାଘାତ କରିବା ଓ ଦେଶ ଦ୍ରୋହ କରିବାଠାରୁ ବଡ ଅପରାଧ ଆଉ କିଛି ବି ନାହିଁ । କୌଣସି ପରିସ୍ଥିତିରେ ମଧ୍ୟ ମୁଁ ଏହା କରିବି ନାହିଁ ।”
ଏକଥା ଶୁଣି ସୁଶେମଙ୍କର ଚେହେରା ହଠାତ୍ ମଳିନ ପଡିଗଲା । ତେଣୁ ସେ ଧମକ ଦେଇ କହିଲେ, “ତେବେ ତୁମେ ମୋର ଆଜ୍ଞା ପାଳନ କରିବ ନାହିଁ?”
ସବୁ ଶୁଣି ଆକ୍ରୋଶ ଓ ଗମ୍ଭୀରତାର ସହ ସେନାଧିପତି କହିଲେ, “କେବେ ନୁହେଁ । ଯଦି ରାଜପରିବାରରେ ଏପରି ଷଡଯନ୍ତ୍ର ରଚନା ଜାରୀ ରୁହେ, ତେବେ ରାଜସିଂହାସନ କେତେଦିନଯାଏଁ ସୁସ୍ଥିର ରହିପାରୁଛି, ତାହା ହିଁ ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯୁବରାଜ, କୃପାପୂର୍ବକ ଆପଣ ମୋର ପରାମର୍ଶ…” ଅଧିକ କିଛି କହିବା ପାଇଁ ସେନାଧିପତି ଯାଉଥିଲେ । “ତୁମର ପରାମର୍ଶ ମୋର ଲୋଡା ନାହିଁ । ତାହା ତୁମ ପାଖରେ ରଖିଥାଅ ।” ଏପରି କହି ଝଡବେଗରେ ସେଠାରୁ ସୁଶେମ ବାହାରିଗଲେ ।
ସୁଶେମଙ୍କର କୁତ୍ସିତ ଚିନ୍ତାଧାରା ଓ ଦୁଷ୍ଟବୁଦ୍ଧି ସେନାଧିପତିଙ୍କ ମନରେ ଗଭୀର ଦୁଃଖ ଆଣି ଦେଲା । କିନ୍ତୁ ସେ ନିଜକୁ ସମ୍ଭାଳି ନେଇ କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ସୈନ୍ୟବାହିନୀର ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣରେ ଲାଗି ପଡିଲେ ।