ତତ୍ ପରଦିନ ପ୍ରଭାତ ସମୟରେ ଅଶୋକ ସୈନ୍ୟବଳ ସହିତ ତକ୍ଷଶିଳା ଦିଗରେ ଅଗ୍ରସର ହେଲେ । ସେନାଧିପତି ଅଶୋକଙ୍କ ସହିତ କିଛି ଦୂର ଆସିବା ପରେ ତାଙ୍କୁ କହିଲେ, “ଯୁବରାଜ, ଆପଣଙ୍କ ଉଦ୍ୟମ ଶୁଭପ୍ରଦ ହେଉ । ମୋର ଦୃଢ ବିଶ୍ୱାସ, ଆପଣଙ୍କର ଏହି ଅଭିଯାନ ଅବଶ୍ୟ ସଫଳ ହେବ । ଅତି ସହଜରେ ଆପଣ ଲକ୍ଷ୍ୟ ହାସଲ କରିପାରିବେ । କିନ୍ତୁ ଗୋଟିଏ ମୁଖ୍ୟ କଥା ମନେ ରଖନ୍ତୁ । ବାରଜଣ ଦୁର୍ଦ୍ଧର୍ଷ ଯୋଦ୍ଧା ଆପଣଙ୍କର ଅଙ୍ଗରକ୍ଷକ ରହିବେ । ତେବେ ବି ଆପଣ ଆତ୍ମରକ୍ଷା ସମ୍ବନ୍ଧରେ ସର୍ବଦା ସତର୍କ ରହିଥିବେ ।” ଏପରି ଅନେକ କଥା କହି ସେ ଅଶୋକଙ୍କୁ ବିଦାୟ ଦେଲେ ।
ସେହିଦିନ ସନ୍ଧ୍ୟା ସମୟ ଉପଗତ ହେବା ପରେ, ସ୍ୱଳ୍ପ ଅନ୍ଧାର ଘନେଇ ଆସିବାବେଳକୁ ଅଶୋକ ସୈନ୍ୟବାହିନୀ ସହିତ ତକ୍ଷଶିଳା ସୀମା ନିକଟରେ ପହଁଚିସାରିଥିଲେ । ଏକ ପାହାଡ ତଳେ ସେ ସୈନିକ ଶିବିରର ବନ୍ଦବୋସ୍ତ କଲେ । ତା ପରଦିନ ଦୂତ ମାଧ୍ୟମରେ ବିଦ୍ରୋହୀମାନଙ୍କ ନିକଟକୁ ସେ ଏକ ସମ୍ବାଦ ପ୍ରେରଣ କଲେ । ବିଦ୍ରୋହୀମାନେ ସେତେବେଳକୁ ମଗଧ ରାଜପ୍ରତିନିଧିଙ୍କୁ ନଗରରୁ ବିତାଡିତ ଓ କିଛି ପ୍ରତିନିଧିଙ୍କୁ ମଧ୍ୟ ହତ୍ୟା କରିସାରିଥାନ୍ତି । ଏବେ ତକ୍ଷଶିଳା ସଂପୂର୍ଣ୍ଣରୂପେ ବିଦ୍ରୋହୀମାନଙ୍କର ଅଧୀନସ୍ଥ ହୋଇଥାଏ ।
ଅଶୋକଙ୍କ ଦୂତ ବିଦ୍ରୋହୀଙ୍କୁ ସାକ୍ଷାତ କରି କହିଲେ, “ଏବେ ମହାରାଜ ଅସୁସ୍ଥ । ସମସ୍ୟା ଯେତେ ଗମ୍ଭୀର ବା ବିବାଦାସ୍ପଦ ହେଉନା କାହିଁକି, ତାହାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଏକାନ୍ତ ଆବଶ୍ୟକ । ଆପଣମାନଙ୍କର ଦାବୀ ପ୍ରଥମେ ଉପସ୍ଥାପିତ କରନ୍ତୁ । ମହାରାଜ ଏହା ଉପରେ ଚିନ୍ତା, ବିଚାର କରି ନିଷ୍ପତି ଗ୍ରହଣ କରିବେ ।” ବିଦ୍ରୋହୀମାନେ ସେମାନଙ୍କର ଦାବୀ ବ୍ୟକ୍ତ କରିବା ପାଇଁ ସମୟ ଚାହିଁଲେ । ଦୂତ ଏହା ସ୍ୱୀକାର କରି ସେଠାରୁ ଫେରି ଆସିଲେ ।
ଯେଉଁ ସମୟରେ ବିଦ୍ରୋହୀଙ୍କୁ ଭେଟିବା ପାଇଁ ଦୂତ ଯାଇଥିଲେ, ସେହି ସମୟରେ ଅଶୋକଙ୍କ ଆଦେଶ ଅନୁସାରେ ସୈନିକଗଣ ଯାତ୍ରୀ ବ୍ୟବସାୟୀ, ଭିକାରୀ ବେଶରେ ଗୋପନରେ ନଗରରେ ପ୍ରବେଶ କରି ସାରିଥିଲେ । ସେମାନେ ବିଦ୍ରୋହୀଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଥାନ୍ତି ।
ପ୍ରତ୍ୟେକ ଦିନ ରାତ୍ରିର ଘୋର ଅନ୍ଧକାର ସମୟରେ ବିଦ୍ରୋହୀମାନେ ସେମାନଙ୍କର ପୃଷ୍ଠପୋଷକତା କରୁଥିବା ଗ୍ରୀକ୍ ମାନଙ୍କ ସହିତ ଏକ ଭବନରେ ଏକାଠି ହୁଅନ୍ତି । ସେଠାରେ ଭବିଷ୍ୟ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବା ସେମାନଙ୍କର ପଦ୍ଧତି ଥିଲା । ସେହିଦିନ ଯଥାବତ୍ ଦୁଇପକ୍ଷ ସେହି ଭବନରେ ଏକାଠି ହେବାକୁ ଯାଉଥିବା ଖବର ଅଶୋକ ଜାଣିପାରିଲେ । ତାଙ୍କର ପରାମର୍ଶ ଅନୁସାରେ ଛଦ୍ମବେଶଧାରୀ ସୈନିକମାନେ ସେହି ଭବନକୁ ଫେରିଗଲେ । ଏହାପରେ ନଗର ବାହାରେ ଥିବା ଅବଶିଷ୍ଟ ମଗଧ ସୈନ୍ୟ ଝଡବେଗରେ ନଗର ଭିତରକୁ ପ୍ରବେଶ କଲେ ।
ବିଦ୍ରୋହୀ ଓ ଗ୍ରୀକ୍ମାନେ ଭବନରୁ ବାହାରି ଆସିବା ପାଇଁ ସବୁପ୍ରକାର କୌଶଳ କରି ମଧ୍ୟ ବିଫଳ ହେଲେ । ଅଳ୍ପ ସମୟ ମଧ୍ୟରେ ସାମାନ୍ୟ ଲଢେଇ ପରେ ସେମାନେ ଅଶୋକଙ୍କ ସେନାଙ୍କ ବଶ୍ୟତା ସ୍ୱୀକାର କଲେ । ବିଦ୍ରୋହୀମାନଙ୍କର ନେତା ଓ ସେମାନଙ୍କର ଅନେକ ସହଯୋଗୀଙ୍କୁ ବନ୍ଦୀ କରି, ସେମାନଙ୍କର ହାତ ପିଠି ପଟେ ବାନ୍ଧି ନଗର ମଧ୍ୟ ଭାଗକୁ ଅଣାଗଲା । ସେଠାରେ ଏକ ପ୍ରଶସ୍ତ ମଣ୍ଡପ ଥାଏ । ତକ୍ଷଶିଳାବାସୀଙ୍କୁ ଡିଣ୍ଡିମ ବଜାଇ ଜଣାଇଦିଆଗଲା ଯେ, ସମସ୍ତେ ସେଠାରେ ଏକତ୍ରିତ ହୁଅନ୍ତୁ । ତକ୍ଷଶିଳାର ପ୍ରଜାଗଣ ଉତ୍କଣ୍ଠିତ ହୋଇ ସେଠାରେ କଣ ଘଟୁଛି ତାହା ଜାଣିବା ପାଇଁ ବହୁ ସଂଖ୍ୟାରେ ରୁଣ୍ଡ ହେଲେ ।