ଅଳ୍ପକ୍ଷଣ ପରେ ଅଶ୍ୱାରୋହଣ କରି ଅଶୋକ ସେଠାରେ ଆସି ପହଁଚିଲେ । ତା’ପରେ ମଥାନତ କରି ଦଣ୍ଡାୟମାନ ହୋଇଥିବା ବିଦ୍ରୋହୀମାନଙ୍କୁ ସମ୍ବୋଧନ କରି ସେ କହିଲେ, “ଯଦି ତୁମମାନଙ୍କର କୌଣସି କ୍ଳେଶ ବା ଅନିଷ୍ଟ ଘଟିଥିଲା, ତେବେ ତାହା ରାଜକର୍ମଚାରୀଙ୍କୁ ଜଣେଇବା ଉଚିତ୍ ହୋଇଥାନ୍ତା । କିନ୍ତୁ ତାହା ନ କରି ବିଦ୍ରୋହ କରିବା ଓ ମଗଧର ରାଜପ୍ରତିନିଧିଙ୍କୁ ହତ୍ୟାକରି ସମ୍ପତ୍ତି ଲୁଣ୍ଠନ କରିବା ପରି ଦୁର୍ବୁଦ୍ଧି ତୁମମାନଙ୍କ ମନକୁ ଆସିଲା କିପରି?”
କିଛି ସମୟ ମୌନ ରହିବା ପରେ ଜଣେ ବନ୍ଦୀ କହିଲା, “ଆମେ ଏହିସ୍ଥାନର ରାଜପ୍ରତିନିଧିଙ୍କୁ ନିଜର ଦୁର୍ଦ୍ଦଶାର ବିବରଣୀ ଦେଲୁ । କିନ୍ତୁ ସେ ଏହା ପ୍ରତି ଆଦୌ ଗୁରୁତ୍ୱ ଦେଲେ ନାହିଁ କି କୌଣସି ପ୍ରତିକାର ବି କଲେ ନାହିଁ ।” ସବୁଶୁଣି ଅଶୋକ ପୁଣି ପ୍ରଶ୍ନ କଲେ, “ରାଜପ୍ରତିନିଧି ତୁମମାନଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଲେ, ତୁମେ ରାଜଧାନୀ ଆସି ସ୍ୱୟଂ ରାଜାଙ୍କୁ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଥାଆନ୍ତ । କିନ୍ତୁ ଏପରି କଲ ନାହିଁ କାହିଁକି?”
ଏକଥା ଶୁଣି ବନ୍ଦୀମାନେ ନିରୁତ୍ତର ରହିଲେ । “ଠିକ୍ ଅଛି, ତୁମମାନଙ୍କର କଷ୍ଟ ସମ୍ବନ୍ଧରେ ମହାରାଜାଙ୍କୁ କିଛି ଜଣାଇ ପାରିଲ ନାହିଁ । ଏହା ଏବେ ଭୁଲିଯାଅ । ଏବେ ପ୍ରକାଶ କର ଯେ, ଏ ସମ୍ବନ୍ଧରେ ତୁମେ ବିଦେଶୀମାନଙ୍କ ସହିତ କାହିଁକି ହାତ ମିଳେଇଲ? ସେମାନଙ୍କ ସହିତ ମିତ୍ରତା ହେତୁ କଣ? ଆମ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ସେମାନଙ୍କର ହସ୍ତକ୍ଷେପ କାହିଁକି?” ଅଶୋକ ତାଙ୍କର ଏହି ପ୍ରଶ୍ନର କୌଣସି ଉତ୍ତର ମଧ୍ୟ ସେ ବନ୍ଦୀ ମାନଙ୍କଠାରୁ ପାଇଲେ ନାହିଁ ।
ଅଶୋକ ତା’ପରେ ଗମ୍ଭୀର କଣ୍ଠରେ କହିଲେ, “ଏବେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଗ୍ରୀକ୍ ଓ କିଛି ନୀଚ, ସ୍ୱାର୍ଥପର ସ୍ଥାନୀୟ ଦଳପତି ଏକାଠି ମିଳିମିଶି ଏହି ବିଦ୍ରୋହର ଷଡଯନ୍ତ୍ର ରଚନା କରିଛନ୍ତି । ଏକ ସମୟରେ ସାମ୍ରାଜ୍ୟର ଏହି ପ୍ରାନ୍ତ ଗ୍ରୀକ୍ ମାନଙ୍କର ଅଧୀନସ୍ଥ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ ଚନ୍ଦ୍ରଗୁପ୍ତ, ଏଠାରୁ ଗ୍ରୀକ୍ ମାନଙ୍କୁ ବିତାଡିତ କରି ମଗଧରାଜ୍ୟର ସୀମା ବିସ୍ତାରିତ କରିଥିଲେ । ଏହି ଅପମାନର ଦାଗ ଏପର୍ଯ୍ୟନ୍ତ ଗ୍ରୀକ୍ମାନଙ୍କ ମନରୁ ଲିଭିନାହିଁ । ସେମାନଙ୍କର ଏହି ପ୍ରଚେଷ୍ଟାରୁ ଏହା ସ୍ପଷ୍ଟ ହୋଇଯାଉଛି । କିନ୍ତୁ ଯେଉଁମାନେ ଗ୍ରୀକ୍ମାନଙ୍କ ସହିତ ହାତ ମିଳାଇ ଏହି ଆନ୍ଦୋଳନ ସୃଷ୍ଟି କରିଛନ୍ତି, ସେମାନଙ୍କର ଏହି ହୀନ ଉଦ୍ୟମକୁ ଆମେ ସମର୍ଥନ କରିପାରିବା କି? ନିଜ ଦେଶକୁ ବିଦେଶୀ ହାତରେ ସମର୍ପଣ କରିବାର ନିକୃଷ୍ଟ ମନୋବୃତି ପାଇଁ ସେମାନଙ୍କୁ ଆଦୌ କ୍ଷମା ମିଳିବ ନାହିଁ । ସେମାନେ କଠୋରତମ ଶାସ୍ତି ପାଇବାକୁ ହିଁ ଯୋଗ୍ୟ ।”
ବିଦ୍ରୋହୀମାନଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିବ, ତାହା ଜାଣିବା ପାଇଁ ଜନତା ଉତ୍ସୁକ ହୋଇ ଉଠିଲେ । ନୀରବତା ଭଙ୍ଗ କରି ଅଶୋକ ଘୋଷଣା କଲେ, “ଆମ ରାଜ୍ୟରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଯେଉଁ ବିଦେଶୀମାନେ ପ୍ରରୋଚନା ଦେଇଛନ୍ତି, ସେମାନଙ୍କୁ ଫାଶୀଦଣ୍ଡ ମିଳିବ । ସେମାନଙ୍କୁ ସହଯୋଗ କରିଥିବା ରାଜଦ୍ରୋହୀ, ସେଶଦ୍ରୋହୀମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ।” ଘୋଷଣାର ସମାପ୍ତି ପରେ ଅଶୋକ ମୁହଁ ବୁଲାଇନେଲେ । “କ୍ଷମା କରନ୍ତୁ, ଯୁବରାଜ, ଅଜାଣତରେ ଆମେ ଏପରି ଭୁଲ୍ କରିଛୁ । ଭବିଷ୍ୟତରେ ଏପରି ଆଦୌ ଘଟିବ ନାହିଁ । ଆମକୁ ଦୟାକରି ପ୍ରାଣ ଭିକ୍ଷା ଦିଅନ୍ତୁ । ଏଣିକି ଆମେ ଏ ବିଷୟରେ ସାବଧାନ ରହିବୁ ।” ଏପରି କହି ଜଣେ ବନ୍ଦୀ କାନ୍ଦି ଉଠିଲା ।
ଅଶୋକ ପୁଣିଥରେ ବୁଲିପଡି କହିଲେ, “ଦେଶଦ୍ରୋହୀଙ୍କୁ କ୍ଷମା ପ୍ରଦାନ ଏକ ଉଚିତ୍ କାର୍ଯ୍ୟ ନୁହେଁ । ଏହି ଦଣ୍ଡ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବ । ସେମାନଙ୍କ ପ୍ରତି ଏହା ଏକ ଚେତାବନୀ ହୋଇ ରହିବ ।” ଏପରି କହି କର୍ମଚାରୀମାନଙ୍କ ଆଡକୁ ଥରେ ଦୃଷ୍ଟି ନିକ୍ଷେପ କରି ଅଶୋକ ଅଶ୍ୱାରୋହଣ କରି ଶିବିର ଦିଗରେ ଅଗ୍ରଶର ହେଲେ । ସେଇ ମୁହୂର୍ତ୍ତରେ ସମସ୍ତ ବନ୍ଦୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ସେଠିକାର ବାତାବରଣରେ ଘୋଟିଆସିଲା ଭୟାନକ ମୃତ୍ୟୁର କରାଳ ଛାୟା ।