ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମୟର ମୂଲ୍ୟ

ଥରେ କୌଣସି ଏକ କଲେଜ୍ ଅଧ୍ୟାପକ ଶିକ୍ଷାଦାନ ଦେଉଥାନ୍ତି । ସେ ଲକ୍ଷ୍ୟ କରୁଥିଲେ, ପାଠପଢା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣକ ପରେ ଜଣେ ଛାତ୍ର ଆସି ବିଳମ୍ବରେ ପହଁଚୁଥାନ୍ତି । ସେ ପିଲାଙ୍କର କାହିଁକି ଡେରି ହେଲା ବୋଲି ଅଧ୍ୟାପକ ଜଣଜଣ କରି ପଚାରିଲେ । ମାତ୍ର ସେମାନେ ଡେରିପାଇଁ ନାନା ବାହାନା ଦେଖାଇ ଖସି ଯିବାକୁ ଚାହିଁଲେ ।

       ହେଲେ ପ୍ରକୃତ କଥାଟି ଥିଲା, କୌଣସି ପିଲା ସମୟର ମୂଲ୍ୟ ନେଇ ସଚେତନ ନଥିଲେ । ‘ଟିକିଏ ଡେରି ହୋଇଗଲା ତ କ’ଣ ହୋଇଗଲା?’ – ଏହି ଚିନ୍ତାଧାରା ସେମାନଙ୍କ ମନରେ ଥିଲା ।

       ତହୁଁ ଅଧ୍ୟାପକ ଜଣକ ସମୟର ମୂଲ୍ୟ ବିଷୟରେ ସଚେତନ କରାଇଦେବାକୁ ଯାଇ ଗପଟିଏ କହିଲେ, –

       ଅଧ୍ୟାପକ କହିଲେ, “ପିଲାଏ, ତୁମେ ଯଦି ଗୋଟିଏ ବର୍ଷ ସମୟର ମୂଲ୍ୟ କେତେ ଜାଣିବାକୁ ଚାହଁ, ତେବେ ଶ୍ରେଣୀରେ ବର୍ଷେ ଫେଲ୍ ହୋଇ ରହିଯାଇଥିବା ପିଲାଙ୍କୁ ପଚାର । ଯଦି ତୁମେ ଏକ ମାସ କାଳ ସମୟର ମୂଲ୍ୟ ଜାଣିବାକୁ ଚାହୁଁଛ, ତେବେ ତୁମେ ଜଣେ ଏମିତି ମାଆକୁ ପଚାରିବ ଯାହାର ସନ୍ତାନ କୌଣସି କାରଣରୁ ମାସକ ଆଗରୁ ଜନ୍ମହୋଇ ଏବେ ଗୁରୁତର ଅବସ୍ଥାରେ ଅଛି । ଆଉ ତୁମେ ଯଦି ଗୋଟିଏ ସପ୍ତାହର ସମୟକାଳର ମୂଲ୍ୟ କେତେ ଜାଣିବାକୁ ଚାହଁ ତେବେ ପଚାର ଜଣେ ସାପ୍ତାହିକୀର ସଂପାଦକଙ୍କୁ । ଠିକ୍ ସେହିପରି ଗୋଟିଏ ଘଂଟାର ମୂଲ୍ୟ ଜାଣିବାକୁ ଚାହିଁଲେ ପଚାର ପରସ୍ପରକୁ ଅପେକ୍ଷା କରିଥିବା ଦୁଇପ୍ରେମୀ ଯୁଗଳଙ୍କୁ । ତୁମେ ଗୋଟିଏ ମିନିଟ୍ ସମୟର ମୂଲ୍ୟ ଜାଣିବାକୁ ଚାହିଁଲେ ଷ୍ଟେସନରେ ଟ୍ରେନ୍ ଫେଲ୍ ହୋଇଥିବା କୌଣସି ଯାତ୍ରୀକୁ ପଚାରିଲେ ସେ କହିପାରିବ । ଆଉ ଗୋଟିଏ ସେକେଣ୍ଡର ମୂଲ୍ୟ ଜାଣିହେବ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷାପାଇଯାଇଥିବା କୌଣସି ବ୍ୟକ୍ତିଠାରୁ । ଶେଷରେ ତୁମେ ଯଦି ଏକ ସେକେଣ୍ଡର ଭଗ୍ନାଂଶର ମୂଲ୍ୟବି କେତେ ଗୁରୁତ୍ୱପୂର୍ଣ୍ଣ ଜାଣିବାକୁ ଚାହିଁଲେ ଗୋଟିଏ ସେକେଣ୍ଡରୁ କମ୍ ସମୟ ସକାଶେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟପଦକ ଲାଭ କରିଥିବା କୌଣସି ଧାବକଠାରୁ ଏହାର ଉତ୍ତର ମିଳିପାରିବ ।”

       ଏହି ସବୁ ଘଟଣା ସେଦିନ ଅଧ୍ୟାପକ ଜଣକ ଶ୍ରେଣୀର ପିଲାଙ୍କୁ କହିବାରୁ ସମସ୍ତେ ସମୟର ମୂଲ୍ୟ ଯେ କେତେ ମୂଲ୍ୟବାନ ଜାଣିପାରିଲେ । ସେହିଦିନଠାରୁ କେହି ଜଣେହେଲେ କୌଣସି କାର୍ଯ୍ୟରେ ମୁହୂର୍ତେ ବିଳମ୍ବ କରିବାକୁ ଶ୍ରେୟ ମଣିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ