ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସର୍ବୋତ୍ତମ ଔଷଧ

ବଲ୍ଲଭପୁର ଗାଁରେ ଏକ ଦମ୍ପତ୍ତି ରହୁଥିଲେ । ସ୍ୱାମୀର ନାମ ସୁଧୀର; ସ୍ତ୍ରୀର ନାମ ସରୋଜିନୀ ।

ଥରେ ସେମାନଙ୍କ ପୁଅର ଦେହ ଭୀଷଣ ମାତ୍ରାରେ ଖରାପ ହେଲା । ପାଖ ଗାଁ ପ୍ରତାପପୁରରେ ଜଣେ ବିଶିଷ୍ଟ ବୈଦ୍ୟ ରହୁଥିଲେ । ସୁଧୀର ଓ ସରୋଜିନୀ ନିଜ ପୁଅକୁ ଶଗଡରେ ନେଇ ସେହି ବୈଦ୍ୟଙ୍କ ପାଖକୁ ଗଲେ । ବୈଦ୍ୟ ପୁଅକୁ ଔଷଧ ଦେଲେ ।

ସାତଦିନ ଔଷଧ ସେବନ ପରେ ମଧ୍ୟ ପୁଅର ଅବସ୍ଥାରେ କୌଣସି ଉନ୍ନତି ଦେଖାଗଲା ନାହିଁ । ସରୋଜିନୀ ସୁଧୀରକୁ କହିଲା, “ମୁଁ ଶୁଣୁଛି ହରିପୁର ଗାଁରେ ଜଣେ ତାନ୍ତ୍ରିକ ଅଛନ୍ତି । ସେ ପ୍ରତି ଶୁକ୍ରବାର ଦିନ ଲୋକଙ୍କୁ ଡେଉଁରିଆ ଦିଅନ୍ତି । ଆଗାମୀ କାଲି ତ ଶୁକ୍ରବାର । ତମେ ଯାଇ ପୁଅ ପାଇଁ ତାଙ୍କଠୁ ଡେଉଁରିଆ ନେଇ ଆସ ।”

ସୁଧୀର କହିଲା, “ପାଗଳ ନା କ’ଣ! ଡେଉଁରିଆରେ କ’ଣ କେବେ କୋଉ ରୋଗ ଭଲ ହୁଏ? ଔଷଧରେ ଆଜି ଗୁଣ ହୋଇନାହିଁ, କାଲିକି ହେବ । ମୁଁ ପୁଣି କାଲି ବୈଦ୍ୟଙ୍କ ପାଖକୁ ଯିବି ।”

ସରୋଜିନୀ କହିଲା “ତାନ୍ତ୍ରିକଙ୍କ ଡେଉଁରିଆର କରାମତି କଥା ମୁଁ କେତେ ଲୋକଙ୍କଠୁଁ ଶୁଣିଲିଣି ।”

ସୁଧୀର କହିଲା “ଡେଉଁରିଆ ପିନ୍ଧି କିଛି ଫଳ ହୋଇନାହିଁ ବୋଲି ମଧ୍ୟ ମୁଁ କେତେଜଣଙ୍କଠୁ ଶୁଣିଛି! ସେସବୁ କୁସଂସ୍କାର । ସେଥିରେ ପଶି କିଛିବି ଲାଭ ନାହିଁ ।” ପରଦିନ ସୁଧୀର ଯାଇ ବୈଦ୍ୟଙ୍କ ଘରେ ପହଁଚିଲା । କିନ୍ତୁ ସେଠାରେ ସେ ଯାହା ଶୁଣିଲା, ସେଥିରେ ତା’ର ବିସ୍ମୟର ଅନ୍ତ ରହିଲା ନାହିଁ । ବୈଦ୍ୟଙ୍କ ସ୍ତ୍ରୀ ବେମାର ପଡିଥିଲେ । ଔଷଧ କାମ ଦେଉ ନଥିଲା । ତେଣୁ ବୈଦ୍ୟ ଆପଣେ ତାନ୍ତ୍ରିକଙ୍କଠାରୁ ଡେଉଁରିଆ ଆଣିବା ପାଇଁ ହରିପୁର ଯାଇଛନ୍ତି!

ସୁଧୀର ସିଧା ହରିପୁର ଚାଲିଲା । ଦେଖିଲା ସତରେ ବୈଦ୍ୟ ତାନ୍ତ୍ରିକଙ୍କ ଘର ଭିତରୁ ବାହାରି ଆସୁଛନ୍ତି । ସେ ବୈଦ୍ୟଙ୍କୁ ନମସ୍କାର କରିବା ମାତ୍ରେ ବୈଦ୍ୟ ତା’ ପୁଅର ହାଲ୍ଚାଲ୍ ବିଷୟରେ ପଚାରିଲେ । ରୋଗ ଭଲ ହୋଇନାହିଁ ବୋଲି ସୁଧୀର କହିଲା । ବୈଦ୍ୟ କିଛି ଲକ୍ଷଣ ପଚାରି ତା’ପରେ ନିଜ ଥଳିରୁ ଗୋଟାଏ ଔଷଧ ବାହାର କରି ଦେଲେ ଓ ଆଉ ସାତ ଦିନରେ ପିଲା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବ ବୋଲି କହିଲେ ।

ସୁଧୀର ପଚାରିଲା, “ବୈଦ୍ୟରାଜ! ଆପଣ ତ ଏ ଅଂଚଳରେ ସବୁଠାରୁ ଜଣାଶୁଣା ଚିକିତ୍ସକ । ଆପଣ ପୁଣି ଡେଉଁରିଆ ନେବା ପାଇଁ କିପରି ଆସିଲେ?”

ତା’କଥା ଶୁଣି ବୈଦ୍ୟ ହସିଲେ ଓ କହିଲେ, “ମୋ ସ୍ତ୍ରୀ ଚିକିତ୍ସା ଶାସ୍ତ୍ର ବୁଝନ୍ତି ନାହିଁ, କିନ୍ତୁ ଯେଉଁ ଗଛଲତାରୁ ଔଷଧ ତିଆରି କରେ, ସେସବୁ ଗଛଲତା ସେ ଚିହ୍ନନ୍ତି । ଯେଉଁସବୁ ଗଛଲତାକୁ ସେ ସବୁଦିନେ ଦେଖୁଛନ୍ତି, ଯାହା ବଣବୁଦାରେ ଆପଣାଛାଏଁ ବଢିଥାଏ, ତା’ର ଏମିତି କ’ଣ ଗୁଣ ଥାଇପାରେ ଯେ ସେଥିରେ ରୋଗ ଭଲ ହେବ? ତାଙ୍କ ମନରେ ଏଇ ପ୍ରଶ୍ନ ଅଛି ବୋଲି ମୁଁ ଜାଣେ । ଯେ କୌଣସି ବିଷୟରେ ଅଳ୍ପ ଜ୍ଞାନ ବଡ ବିଷମ । ଡେଉଁରିଆ ବିଷୟରେ ସେ ପୁରା ଅଜ୍ଞ । ତେଣୁ ଡେଉଁରିଆ ଉପରେ ତାଙ୍କର ଅଗାଧ ବିଶ୍ୱାସ । ରୋଗର ଉପଶମ ପାଇଁ ବିଶ୍ୱାସଠାରୁ ବଳି ଔଷଧ ଆଉ କିଛିବି ନାହିଁ । ତେଣୁ ମୁଁ ତାଙ୍କ କଥା ମାନି ଡେଉଁରିଆ ନେଇ ଯାଉଛି ।”

ସୁଧୀର ଘରକୁ ଆସି ଦେଖିଲା, ସରୋଜିନୀ ଏଣେ ଆଉ କାହାକୁ ପଠାଇ ଡେଉଁରିଆ ନେଇ ଆସିଲାଣି । ସାତଦିନ ପରେ ପୁଅ ଭଲ ହୋଇଗଲା । ସରୋଜିନୀ କହିଲା “ଦେଖିଲଟି ଡେଉଁରିଆର କରାମତି?” “ଆରେ, ମୁଁ ତ କହିଥିଲି ଆଉ ସାତଦିନ ଔଷଧ ଖାଇଲେ ପୁଅ ସୁସ୍ଥ ହେବ, ତାହାହିଁ ହେଲା!”

ଏହିପରି ଭାବେ ସେ ଦୁହେଁ ଦୁହିଁଙ୍କ ବିଶ୍ୱାସରେ ଅଟଳ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ