ଏକ ସହରରେ ଜଣେ ମନ୍ଦ ସ୍ୱଭାବର ବ୍ୟକ୍ତି ରହୁଥିଲେ । ଧନ-ସମ୍ପତ୍ତି-କ୍ଷମତା ସବୁକିଛି ତାଙ୍କ ପାଖରେ ଥିଲା । ତେଣୁ ଅତି ଗର୍ବରେ ସେ ଧରାକୁ ସରା ମଣୁଥିଲେ । ଅନ୍ୟକୁ ତାତ୍ସଲ୍ୟ ଓ ଥଟ୍ଟା କରିବାକୁ ସେ ଭାରି ଭଲ ପାଉଥିଲେ ।
ଦିନେ ରାସ୍ତାରେ ଯାଉଥିବା ଜଣେ ମହାତ୍ମାଙ୍କୁ ଏ ମନ୍ଦ ବ୍ୟକ୍ତିଜଣକ ନିଜ ଘରକୁ ଖାଇବା ପାଇଁ ଡାକିଲେ । ତହୁଁ ସେ ସାଧୁ ଜଣକ ମନ୍ଦ ବ୍ୟକ୍ତିଙ୍କ ଘରକୁ ପ୍ରବେଶ କଲା ମାତ୍ରେ, ଅତି ତାତ୍ସଲ୍ୟ କରି ସେ ବ୍ୟକ୍ତି ସାଧୁ ଜଣକୁ ଗାଳି ଦେଲେ । କହିଲେ ମୁର୍ଖ ତୋ ବାପାର ସମ୍ପତ୍ତି ଏଠି ରଖା ହୋଇଛି ନା କ’ଣ, ଖାଇବା ପାଇଁ ଧାଇଁ ଆସିଛୁ । ଅତି ଶୀଘ୍ର ମୋ ଘର ଆଗରୁ ପଳା ।
ଏପରି କଥା ଶୁଣି ସେ ସାଧୁ ଜଣକ ଯେପରି ପ୍ରସନ୍ନ ହୋଇ ଘରକୁ ଆସିଥିଲେ, ଠିକ୍ ସେହିଭଳି ଚିତ୍ତରେ ସେଠାରୁ ଫେରିବାକୁ ମଧ୍ୟ ଲାଗିଲେ । ଏତିକିବେଳେ ସେ ମନ୍ଦବ୍ୟକ୍ତି ପୁଣି ସାଧୁ ମହାତ୍ମାଙ୍କୁ ଡାକ ପକାଇଲେ । ହସ ହସ ମୁହଁରେ ସାଧୁ ମହାତ୍ମା ପୁଣି ଫେରି ଆସିଲେ । ଫେରୁଥିବା ସାଧୁଙ୍କୁ ଦେଖି ମନ୍ଦବ୍ୟକ୍ତି ଜଣକ ପୁଣି କହିବାକୁ ଲାଗିଲେ, ଆରେ ନିର୍ଲ୍ଲଜ ତୋତେ ଟିକେ ଲାଜ ଲାଗୁ ନାହିଁ, ଡାକିଲା ମାତ୍ରେ କୁକୁର ଭଳି ଚାଲି ଆସୁଛୁ । ଏସବୁ ଶୁଣି ସେ ସାଧୁ ଜଣକ କିଛି ବି ନକହି ସେଠାରୁ ଫେରିଗଲେ ।
ଏହିପରି ଭାବରେ ଦଶ ବାର ଥର ସାଧୁ ମହାତ୍ମାଙ୍କୁ ସେ ମନ୍ଦବ୍ୟକ୍ତି ଜଣକ ଡାକି ଅପମାନ ପରେ ଅପମାନ ଦେଲେ । କିନ୍ତୁ ପ୍ରତିଥର କେବଳ ନୀରବ ରହୁଥିଲେ ସାଧୁ । ସାଧୁଙ୍କର କୌଣସି ପ୍ରତିକ୍ରିୟା ନଦେଖି ଏଥର ଖୁବ୍ ଲଜ୍ଜିତ ହେଲେ ସେ ମନ୍ଦବ୍ୟକ୍ତି । ତାପରେ ସେ କେବଳ ଅନୁତାପର ଅଗ୍ନିରେ ନିଜେ ଦଗ୍ଧ ହେଲେ । ସେ ମନ୍ଦବ୍ୟକ୍ତି ଜଣକ ମହାତ୍ମାଙ୍କ ପାଦ ତଳେ ପଡି, ଅପମାନ ଦେଇ ଥିବାରୁ କ୍ଷମା ମାଗିଲେ । ଏଥର ସାଧୁ ମହାତ୍ମା କହିଲେ, କୁକୁରର ମଧ୍ୟ ଠିକ୍ ଏହି ସ୍ୱଭାବ । ତାକୁ ହୁସ୍ କଲେ ସେ ପଳାଇ ଥାଏ ଓ ଆଦର କରି ଡାକିଲେ ପୁଣି ପାଖକୁ ଫେରି ଲାଞ୍ଜ ହଲାଏ । ମୁଁ କୁକୁରଠାରୁ ଏହି ସହନଶୀଳତା ହିଁ ଶିଖିଛି, ତେଣୁ ମୋର ମନ ସର୍ବଦା ପ୍ରସନ୍ନ ଥାଏ ।