ବିକାଶର ଶିକ୍ଷା ସମାପ୍ତ ହେବା ପରେ ବିନା କଷ୍ଟରେ ସେ ସହରରେ ଭଲ ଚାକିରୀଟିଏ ପାଇଲା । ତେଣୁ ଗ୍ରାମରୁ ସେ ତା’ ପରିବାରଙ୍କୁ ନେଇ ସହରରେ ଘର ଭଡା ନେଇ ରହିଲା । ପ୍ରତିଦିନ ସେ ଗାଡିଟିଏ ଭଡା କରି କାର୍ଯ୍ୟାଳୟକୁ ଯାଏ ।
ବୁଢାବୁଢୀମାନଙ୍କ ପ୍ରତି ବିକାଶ ହୃଦୟରେ ସର୍ବଦା ସହାନୁଭୂତି ଥାଏ । ଯେଉଁ ଗାଡିରେ ପ୍ରତିଦିନ ସେ ଯାଏ ସେଇ ଗାଡିର ଚାଳକ ନଟକୁ ସେ ମାସକୁ ପଚାଶ ଟଙ୍କା ଦିଏ । ଗାଡିରେ ଯିବାବେଳେ ସେ ନଟକୁ ପଚାରେ, “ଆଚ୍ଛା ନଟ, ତୁମର ଦୁଇ ପୁଅ ତ ଯୋଗ୍ୟ । ତାହେଲେ ତମେ ପୁଣି କାହିଁକି କଷ୍ଟକରି ଗାଡି ଚଳାଉଛ?”
ବିକାଶ କଥା ଶୁଣି ନଟ ହସି ହସି କହେ, “ବାବୁ, ମୋ ପୁଅମାନଙ୍କର ଅର୍ଜ୍ଜିତ ଧନ ମୋତେ ପରର ଧନ ପରି ଲାଗେ । ଯେତେଦିନ ମୋ ଶରୀରରେ ଶକ୍ତି ଅଛି ସେତେଦିନ ପର୍ଯ୍ୟନ୍ତ ନିଜ ଖର୍ଚ୍ଚ ନିଜେ ରୋଜଗାର କରିବା ଦ୍ୱାରା ମୋତେ ଆତ୍ମସନ୍ତୋଷ ମିଳୁଛି ।”
ବିକାଶର ପିତା ନିଜେ କଷ୍ଟ ସହି ବିକାଶକୁ ସହରରେ ପଢାଇଥିଲେ । ସେ କେବେ କେବେ ଏକଥା କହି ମନଦୁଃଖ କଲେ ତା’ର ପିତା ବରାବର କହୁଥା’ନ୍ତି, “ପୁଅ, ତୁ ଯେବେ ପଢିସାରି ଚାକିରୀ କରିବୁ ତେବେ ଯାଇ ମୁଁ ସବୁ କାମ ଛାଡି ଘରେ ଆରାମରେ ବସିବି ।”
ବିକାଶର ପାଠପଢା ଶେଷ ହେଲା । ସେ ଚାକିରୀ ପାଇବା ଅଳ୍ପଦିନ ପୂର୍ବରୁ ତା’ର ପିତାଙ୍କର ହଠାତ୍ ଦେହ ଖରାପ ହୋଇ ସେ ବିଛଣା ଧରିଲେ ଓ ଦୁଇ ଚାରିଦିନ ପରେ ତାଙ୍କର ମୃତ୍ୟୁ ହେଲା । ବିକାଶ ମନରେ ଦୁଃଖ ରହିଗଲା ଯେ ସେ ତା’ ପିତାଙ୍କୁ କିଛିଦିନ ପାଇଁ ସୁଦ୍ଧା ଆରାମରେ ରଖି ପାରିଲା ନାହିଁ ।