ବିକାଶ ଯେଉଁ ରାସ୍ତା ଦେଇ କାମ କରିବାକୁ ଯାଉଥିଲା, ସେଇ ରାସ୍ତାରେ ଏକ ଚଉମୁହାଣି ଛକରେ ବୁଢାଟିଏ ଛୋଟ ଟୋକେଇଟିରେ ଗୁଡିଏ ପକୁଡି ପିଆଜି ଧରି ବିକୁଥାଏ । ସାରା ଦିନର ଖରା ବର୍ଷା ତା’ ମୁଣ୍ଡ ଉପରେ ଯାଏ । ଏସବୁ ଦେଖି ବିକାଶର ମନ ଦୁଃଖ ଓ ଦୟାରେ ଭରିଯାଏ ।
ଥରେ ଦଶଦିନ ଧରି ସେ ବୁଢାକୁ ଆଉ ଦେଖିବାକୁ ମିଳିଲା ନାହିଁ । ବିକାଶ ଭାବିଲା ବୋଧହୁଏ ବୁଢା ମରିଗଲା । କିନ୍ତୁ ପରଦିନ ସେ ଦେଖିଲା ବୁଢା ପୁଣି ତା’ର ପକୋଡି ଓ ପିଆଜିର ପାଛିଆଟି ଧରି ବସିଛି ।
ତେଣୁ ସେ ଗାଡି ବନ୍ଦ କରି ପଚାରିଲା, “ମଉସା, ଦଶଦିନ ହେବ କୁଆଡେ ଯାଇଥିଲ କି?”
ଜଣେ ଅଜଣା ଲୋକ ଏପରି ଘନିଷ୍ଠ ବନ୍ଧୁ ପରି ପ୍ରଶ୍ନ ପଚାରୁଛି ଦେଖି ସେ ବୁଢା ଅଳ୍ପ ହସି କହିଲା, “ବାବୁ, ମୁଁ ଏଠି ବସିବାର ଆପଣ ତେବେ ପ୍ରତିଦିନ ଲକ୍ଷ୍ୟ ରଖନ୍ତି । କଥା କ’ଣ କି ମୋତେ ଭୀଷଣ ଜ୍ୱର ହୋଇ ଯାଇଥିଲା । ମୁଁ ମୃତ୍ୟୁ ମୁଖରୁ ପୁଣି ଖସି ଆସିଛି ।”
ବୁଢାର କଥା ଶୁଣି ବିକାଶ ଦୟାରେ ବିଚଳିତ ହୋଇ ପଚାରିଲା, “ଆଚ୍ଛା ଏ ସବୁ ବିକିଲେ ତୁମକୁ କେତେ ଟଙ୍କା ମିଳିବ?”
ତହୁଁ ସେ ବୁଢା କହିଲା “ଚାରିଟଙ୍କା ମିଳିବ । ମୋର ଟଙ୍କାଏ ମାତ୍ର ଲାଭ ରହିବ ।”
ବିକାଶ କହିଲା “ତମେ ଏ ସମସ୍ତ ଜିନିଷ ମୋତେ ଦେଇଦିଅ । ମୁଁ ପାଞ୍ଚଟଙ୍କା ଦେଉଛି ।”
ବୁଢା ଏପରି କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ହେଲା । ତା’ପରେ ସମସ୍ତ ଜିନିଷ ନେଇ ସେ ଗାଡିରେ ରଖିଦେଲା ଓ ଖୁସି ମନରେ ପାଞ୍ଚଟଙ୍କା ଧରି ଘରକୁ ଗଲା ।
ଆସୁ ଆସୁ ବାଟରେ ନଟ ପଚାରିଲା, “ବାବୁ, ଏସବୁ ନେଇ ଆପଣ କ’ଣ କରିବେ?”
ତା’ପରେ ବିକାଶ କହିଲା “ତମେ ନେଇଯାଅ, ନିଜେ କିଛି ଖାଇବ ଓ ଯାହା ବଳିବ ପଡୋଶୀମାନଙ୍କୁ ବାଂଟି ଦେବ ।”
ପରଦିନ ମଧ୍ୟ ଗାଡି ଛକ ପାଖକୁ ଆସିବାରୁ ବିକାଶ ପୁଣି ସେହିପରି କଲା । ତୃତୀୟ ଦିନ ଯେତେବେଳେ ବିକାଶ ଗାଡି ବନ୍ଦ କରିବାକୁ କହିଲା, ନଟ କହିଲା, “ବାବୁ, ଆପଣ ଏପରି କେତେଦିନ କରି ପାରିବେ?”
ତହୁଁ ବିକାଶ କହିଲା “ଯେତେଦିନ ବିଚାରା ବୁଢା ବଂଚି ରହିଥିବ!”