ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସହାନୁଭୂତି

ବିକାଶ ଗାଡିରୁ ଓହ୍ଲାଇ ବୁଢା ପାଖକୁ ଯିବା ମାତ୍ରେ ସେ ବୁଢା ହାତ ଯୋଡି କହିଲା, “ବାବୁ ମୋର ସବୁ ଜିନିଷ ଆପଣ ନେଇ ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ । ଆପଣଙ୍କର ଅନୁଗ୍ରହ ମୁଁ କେବେ ମଧ୍ୟ ଭୁଲି ପାରିବି ନାହିଁ । କିନ୍ତୁ ମୁଁ ଶୀଘ୍ର ଘରକୁ ଫେରିଯାଇ ଆରାମ କରିବା ଦେଖି ମୋ ପୁଅ ମୋତେ କିଛି ନା କିଛି ଅଧିକା କାମ ଦେଉଛି । କାଲି ସାରାଦିନ ମୁଁ କାଠ ଚିରିଛି ।”

ବୁଢାର ଉତ୍ତର ଶୁଣି ବିକାଶର ମନଟା ଅତ୍ୟନ୍ତ ଦୁଃଖରେ ଭରି ଉଠିଲା ।

ସଙ୍ଗେ ସଙ୍ଗେ ବିକାଶ ତା’ ମନ ମଧ୍ୟରେ ଠିକ୍ କରି ନେଲା କି ବୁଢାକୁ ଘରକୁ ନେଇଯିବ । ତାହେଲେ ବୁଢାର ପୁଅର ଅନ୍ତତଃ କିଛି ଶିକ୍ଷା ହେବ । ତେଣୁ ସେ ବୁଢାକୁ ପଚାରିଲା, “ମଉସା, ଆମ ଘରକୁ ଯିବ? ସେଠି ତମର ଖିଆପିଆରେ କିଛି ବି ଅସୁବିଧା ହେବ ନାହିଁ ।”

ଏପରି କଥା ଶୁଣି ସେ ବୁଢା କିଛି ସମୟ ଚୁପ୍ ରହି କହିଲା, “ବାବୁ, ମୁଁ ତ ଅତି ଖୁସିରେ ଯିବି । କିନ୍ତୁ ମୋ ପୁଅ ଏଥିରେ ମୋଟେ ମଙ୍ଗିବ ନାହିଁ ଓ ସେ ଆପଣଙ୍କ ସହିତ ଝଗଡା କରିବ ।”

“ତମେ ସେକଥା ଚିନ୍ତା କରନାହିଁ । ଗାଡି ଭିତରକୁ ଚାଲ ।” ଏତିକି କହି ବିକାଶ ସେ ବୁଢାର ହାତ ଧରି ତାଙ୍କୁ ଗାଡିରେ ବସାଇ ନେଇଗଲା ।

ଏଣେ ସେ ବୁଢାର ପୁଅ ବାପ ନ ଫେରିବାରୁ ଟିକିଏ ଚିନ୍ତିତ ହେଲା । ତା’ପରେ ଚାରିଆଡେ ପଚାରି ଘଟଣା କ’ଣ ବୁଝିଲା ଓ ପରଦିନ ଯାଇ ବିକାଶର ଘରେ ପହଁଚିଲା ।

ବିକାଶ ସହିତ ବୁଢାର ପୁଅ କଥାବାର୍ତ୍ତା କଲା । ବିକାଶ ବୁଝାଇବାକୁ ଚେଷ୍ଟା କଲା ଯେ ବୁଢା କିପରି ସାରା ଦିନ ଗୋଟାଏ ଜାଗାରେ ବସି ଖରାବର୍ଷା ସହି ବିକୁଥାଏ । ଏ ବୟସରେ ସେଇଟା ବହୁତ କଷ୍ଟ କାମ । ତାଙ୍କର ଆଦୌ କାମ କରିବା କଥା ନୁହେଁ ବରଂ ଆରାମ୍ କରିବା କଥା । ବିକାଶ କହିଲା, “ଏ ବୁଢା ବୟସରେ ତୁମେ ତୁମ ବାପକୁ ଆରାମ୍ରେ ନରଖି ଓଲଟା ତାଙ୍କ ରୋଜଗାରକୁ ଆହୁରି ଆଶା ରଖି ବସୁଛ? ଏଇଟା ତ ନିହାତି ଅନ୍ୟାୟ ଓ ନିଷ୍ଣୁରତା ମଧ୍ୟ ।”

ବିକାଶର କଥା ଶୁଣି ବୁଢାର ପୁଅ ସଙ୍କୋଚର ସହିତ କହିଲା, “ବାବୁ, ମୁଁ ଏତେ ବି ସ୍ୱାର୍ଥପର ନୁହେଁ । ମୋ ବାପା ଯାହା ରୋଜଗାର କରନ୍ତି ମୁଁ ତାଙ୍କରି ଖାଇବା ପିନ୍ଧିବାରେହିଁ ଖର୍ଚ୍ଚ କରେ ।”

ବିକାଶ ପଚାରିଲା, “ତାହେଲ ଠିକ୍ ଅଛି । ମୁଁ ତୁମ ବାପାଙ୍କୁ ମୋ ଘରେ ରଖିବି । ତାଙ୍କ ଖାଇବା ପିନ୍ଧିବା ଖର୍ଚ୍ଚ ମୁଁ ତୁଲାଇବି । ତୁମର ସେଥିରେ ରାଜି ନ ହେବାର ଆଉ କିଛି ତ କାରଣ ନାହିଁ ।”

ବୁଢାର ପୁଅ ତା’ ବାପାର ଚେହେରା ଦେଖି ଲଜ୍ଜିତ ହେଲା । ସେ ଲଜ୍ଜାରେ ମୁଣ୍ଡ ତଳକୁ କଲା । ଏସବୁ ଦେଖି ବିକାଶ କହିଲା, “ମୁଁ ଜାଣେ ଯେ ଏଇ ବୁଢା ବୟସରେ ସେ ତୁମ ଘରେ ରହିବାଟା ନ୍ୟାୟସଙ୍ଗତ । ଏଠାରେ ରହିବା ହୁଏତ ତୁମ ପାଇଁ ଅସୁନ୍ଦର । କିନ୍ତୁ ତା’ ବୋଲି ତୁମେ ତାଙ୍କ ସହିତ ଚାକର ପରି ବ୍ୟବହାର କରିବା ଆଦୌ ଉଚିତ୍ ନୁହେଁ ।”

ଏସବୁ ଶୁଣି ସେ ବୁଢାର ପୁଅ ଆଖିରେ ହଠାତ୍ ଲୁହ ଆସିଗଲା । ସେ ନିଜ ଭୁଲ୍ ବୁଝିପାରି ଅନୁତାପ କଲା । ସେ ହାତଯୋଡି ବିକାଶକୁ କୃତଜ୍ଞତା ସହିତ ନମସ୍କାର କଲା ଓ ନିଜ ବାପକୁ କହିଲା, “ବାପା, ଏବେ ଚାଲ ଘରକୁ ଯିବା; ଏଥର ମୋ ଆଖି ଖୋଲି ଯାଇଛି । ଆଉ ସେପରି ଭୁଲ୍ ଓ ମୂର୍ଖତା ମୁଁ କେବେ ବି କରିବି ନାହିଁ ।” ତା’ପରେ ସେ ବିକାଶଠାରୁ ବିଦାୟ ନେଇ ବାପର ହାତ ଧରି ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ