ନଈଟି ଦ୍ରୁତଗତିରେ ଚାଲିଥାଏ ସିନା ପଥିକର କଥା ମନଦେଇ ଶୁଣୁଥାଏ । ହେଲେ ପଥିକର ପ୍ରଶ୍ନର ଉତ୍ତର ଦେବାକୁ ତା’ର ସମୟ ନଥାଏ । ଟିକିଏ ଅଟକି ରହିଲେ ସିନା କହିବ? ସୁତରାଂ ସେ ବହି ଯାଉଯାଉ କହିଲା, “ହେ ପଥିକ ଭାଇ! ଏକଥା ତୁମେ ସାଗରକୁ ଯାଇ ପଚାର । ସିଏ ତ କୁଆଡେ ନ ଯାଇ ଠିଆ ହୋଇଛି । ମୋର ଅଟକିବା ପାଇଁ ବେଳ କାହିଁ ଯେ ମୁଁ କହିବି?”
ଏଥର ପଥିକ ଜଣକ ନଈ କଥାରେ ଯାଇ ସାଗର କୂଳରେ ପହଂଚିଗଲା । ସେଠାରେ ଠିଆ ହୋଇ ସାଗରକୁ ସେଇ ଏକାପ୍ରଶ୍ନ ପଚାରିଲା ।
ତହୁଁ ସାଗର କହିଲା, “ହେ ପଥିକ! ଏଇ ସାମାନ୍ୟ କଥା ତୁମେ ବୁଝି ପାରୁନାହଁ? ନଈ ଆକାରରେ ଛୋଟ ଜଳଧାର ହେଲେ କ’ଣ ହେବ, ସେ ଯାହା ଗ୍ରହଣକରେ ତାକୁ ଅନ୍ୟର ଉପକାର ପାଇଁ ବାଂଟିଦିଏ । ନିଜ ପାଖରେ ସେ କିଛି ନରଖି ବଳକା ଜଳକୁ ମୋତେ ଦାନକରି ଆଗାମୀ ବର୍ଷ ପାଇଁ ମେଘ ସୃଷ୍ଟି କରିବାରେ ସହାୟତା ହୋଇଥାଏ । ସତେ ଯେମିତି ଧରାବକ୍ଷରେ ସାଧୁସନ୍ଥଙ୍କ ଭଳି ତା’ର କାମ, ସବୁବେଳେ ଖାଲି ସେବା ଆଉ ସେବା ।”
ପୁନଶ୍ଚ ସାଗର ପଥିକକୁ କହିଲା, “ଭାଇ! ଏପର୍ଯ୍ୟନ୍ତ ତୁମେ ନଈକଥା ତ ଶୁଣୁଥିଲ,ଏବେ ମୋ କଥା ଶୁଣ । ମାନବ ସମାଜରେ କୃପଣ ଧନୀ ସୌଦାଗର ଭଳି ମୋର କାମ । ନାନା କୂଟନୀତି ପ୍ରୟୋଗ କରି ଧନୀଲୋକଟିଏ ଅନ୍ୟ ଠାରୁ ଧନ ସଂଗ୍ରହ କରେ ସିନା, ତାହା ଲୋକଙ୍କ ହିତରେ ଲାଗିନଥାଏ । ଠିକ୍ ସେହିଭଳି ମୁଁ ସମସ୍ତଙ୍କ ଜଳ ନେଇ ମୋ ଗର୍ଭରେ ରଖିଦେଉଛି, ହେଲେ କାହାକୁ କିଛି ଫେରାଉ ନାହିଁ । ସେଇଥିପାଇଁ ମୋର ଜଳ ଲୁଣିଆ, ଯାହା କାହାର କାମରେ ଆସେନାହିଁ ।