ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି ।
ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା । ଭଲ ମଣିଷ ସେ । ମାସକ ମଧ୍ୟରେ ସେ ବଡ ଜନପ୍ରିୟ ହୋଇଗଲେ । ଲୋକମାନେ ତାଙ୍କ ସହିତ ଭଲମନ୍ଦରେ ପରାମର୍ଶ ପାଇଁ ମଧ୍ୟ ଆସନ୍ତି । କିନ୍ତୁ ତାଙ୍କର କେବେବି ନରେଶଙ୍କ ସହିତ ଦେଖା ହୋଇ ନଥାଏ ।
ଗୋପାଳଙ୍କ ବିଷୟରେ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରି ନରେଶ ସମସ୍ତ ଖବର ରଖିଥାନ୍ତି । ତାଙ୍କ ସହିତ ଦେଖା ନହେବାରୁ ତାଙ୍କୁ ଟିକିଏ ଅସୁବିଧା ଲାଗିଲା । ସେ ଲୋକ ପଠାଇ ଗୋପାଳଙ୍କୁ ଡାକି ନେଇଗଲେ । ଗୋପାଳ ନରେଶଙ୍କୁ ପଚାରିଲେ, “ମୁଁ କେବେହେଲେ ଆପଣଙ୍କ ସହିତ ଦେଖା କରିବାକୁ ଆସିଥାନ୍ତି । କିନ୍ତୁ ତା’ପୂର୍ବରୁହିଁ ଆପଣ ମୋତେ ଡାକି ଆଣିଲେ । ଜାଣିପାରେ କି ମୋତେ ଏଠାକୁ ଡାକି ଆଣିବାର କାରଣ କ’ଣ?”
ନରେଶ କହିଲେ “ଶୁଣିଛି ଆପଣଙ୍କର କିଛିଟା ଧନ ଆବଶ୍ୟକ: କିନ୍ତୁ ଆତ୍ମାଭିମାନୀ ବ୍ୟକ୍ତି ଏ କଥା କାହାକୁ ମୁହଁ ଫିଟାଇ କହି ପାରନ୍ତି ନାହିଁ । ତେଣୁ ଆପଣଙ୍କୁ ନିଜର ଭାବି କିଛିଟା ସାହାଯ୍ୟ କରିବା ପାଇଁ ମୋର ଇଚ୍ଛା ହେବାରୁ ମୁଁ ଡାକି ଆଣିଲି । ଆପଣ ମୋଠାରୁ ଧନ ଗ୍ରହଣ କଲେ, ଭାବିବି ମୋର ଧନଅର୍ଜନ ସାର୍ଥକ ହେଲା । ଯଦ୍ୱାରା ମୋର ମଧ୍ୟ ଉନ୍ନତି, ଆପଣଙ୍କର ମଧ୍ୟ ଉନ୍ନତି ହେବ ।”
ତାଙ୍କ କଥା ଶୁଣିବା ମାତ୍ରେ ଗୋପାଳ ହାତ ଯୋଡି କହିଲେ, “ଆପଣଙ୍କ କଥା ମୋ ପ୍ରତି ଆପଣଙ୍କର ସ୍ନେହ ଶୁଭେଚ୍ଛାର ପ୍ରତୀକ । ତାହା ଘନିଷ୍ଠତା ଓ ଆତ୍ମୀୟତାର ସୂଚନା ଦିଏ । ମୁଁ ଆପଣଙ୍କ କଥାରେ ଅତ୍ୟନ୍ତ ଖୁସି । କିନ୍ତୁ ମୁଁ ଚାହେଁ ନିଜ ଗୋଡରେ ନିଜେ ପ୍ରୟାସ କରି ଠିଆ ହେବାକୁ । ତେଣୁ ମୁଁ ଏବେ ଆପଣଙ୍କଠାରୁ କିଛିବି ଧନ ନେବି ନାହିଁ । ଯଦି ସେପରି କିଛି ଆର୍ଥିକ ସଂକଟ ପଡିବ ତେବେ ମୁଁ ଆପଣଙ୍କଠାରୁହିଁ ସାହାଯ୍ୟ ନେବି । ତେବେ ଏବେ ବର୍ତ୍ତମାନ ପାଇଁ ଆମର କଥାବାର୍ତ୍ତାରୁ “ଧନ”ଶବ୍ଦଟିକୁ ବାଦ୍ ଦେବା । କିନ୍ତୁ ସ୍ନେହପୂର୍ଣ୍ଣ ସମ୍ପର୍କ ଆମ ମଧ୍ୟରେ ନିଶ୍ଚିତ ଭାବରେ ବରାବର ଯେପରି ରହିବ, ସେଥିପାଇଁ ସତତ ଚେଷ୍ଟିତ ରହିବା, ଧନ୍ୟବାଦ ।”
ଗୋପାଳ ପରିବାର ସହ ଏକ ଭଡାଘରେ ରହୁଥାନ୍ତି, ଦୁଇବର୍ଷ ପରେ ନିଜେ ଘରଟିଏ କିଣି ଶାନ୍ତିରେ ରହିଲେ । ତା’ପରେ ଦୁଇବର୍ଷ ମଧ୍ୟରେ ସେ ପାଂଚଏକର ଜମି କିଣିଲେ । ଧୀରେ ଧୀରେ ତାଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହେଲା; ଦଶବର୍ଷ ମଧ୍ୟରେ ନରେଶଙ୍କ ପରି ସେ ବି ଧନୀ ହୋଇଗଲେ ।
ଗୋପାଳ ବଡ ପଣ୍ଡିତ ଥିଲେ । ଦୂରସ୍ଥାନମାନଙ୍କୁ ଯାଇ ସେ ବହୁତ ଧନ ରୋଜଗାର କରୁଥା’ନ୍ତି । ସେହି ସମୟରେ ଗ୍ରାମକୁ ରାଜାଙ୍କ ପାଖରୁ ଜଣେ ଦୂତ ଆସିଲା । ସେ ଘୋଷଣା କଲା ଯେ ସପ୍ତାହକ ମଧ୍ୟରେ ସୁନାର ପାଲିଙ୍କି ଆସି ଗୋପାଳଙ୍କୁ ନେଇ ଯିବ । ସେ ବଡ ରାଜ ସମ୍ମାନ ପାଇବେ ପୁରସ୍କାର ପାଇବେ, କାରଣ ଏତେ ବଡ ପଣ୍ଡିତ ନିଜ ରାଜ୍ୟରେ ଥିବାରୁ ରାଜା ଖୁବ୍ ଗର୍ବିତ ।