ସାରା ଗ୍ରାମରେ ଏହି କଥାହିଁ ସମସ୍ତେ ଚର୍ଚ୍ଚା କରିବାରେ ଲାଗିଲେ । ଗୋପାଳ ନିଜେ ଯାଇ ନରେଶଙ୍କୁ ସମସ୍ତ କଥା କହିଲେ । ସେତେବେଳେ ନରେଶଙ୍କ ମନ ଭୀଷଣ ଖରାପ ହୋଇଗଲା, ମୁହଁ ଶୁଖିଗଲା । ମୁଣ୍ଡବିନ୍ଧୁଛି ବୋଲି କହି ସେ ଭିତର ଘରକୁ ପଳାଇଲେ । ନରେଶଙ୍କ ଏଭଳି ବ୍ୟବହାରରେ ଗୋପାଳ ବହୁତ ଦୁଃଖିତ ହେଲେ । କିନ୍ତୁ ଆଗରୁ ସେ ତାଙ୍କ ସ୍ୱଭାବ ସହିତ କିଛିଟା ପରିଚିତ ଥିଲେ । ତେଣୁ ସେ ଅଧିକ କିଛି ନଭାବି ସେଠାରୁ ଚାଲି ଆସିଲେ ।
ନିର୍ଦ୍ଧାରିତ ଦିନ ପାଲିଙ୍କି ଆସିଲା । ଗ୍ରାମଲୋକେ ଫୁଲମାଳ ଇତ୍ୟାଦି ଦେଇ ବଡ ଆନନ୍ଦରେ ତାଙ୍କୁ ରାଜଧାନୀକୁ ବିଦାୟ ଦେଲେ । ସେହି ଉତ୍ସବରେ ମଧ୍ୟ ନରେଶ ଅସୁସ୍ଥତାର ବାହାନା କରି ଯୋଗ ଦେଲେ ନାହିଁ ।
ରାଜଧାନୀରେ ଗୋପାଳଙ୍କୁ ସମ୍ମାନଦାନ ଉତ୍ସବ ବଡ ସମାରୋହରେ ପାଳିତ ହେଲା । ସ୍ୱୟଂ ରାଜା ତାଙ୍କୁ କହିଲେ, “ମହାଶୟ, ରାମପୁର ଗ୍ରାମରେ ତ କାହିଁ ଏପର୍ଯ୍ୟନ୍ତ କୌଣସି ଗ୍ରାମାଧିକାରୀ ନିଯୁକ୍ତ ହୋଇ ନାହାଁନ୍ତି । ପଡୋଶୀ ଗ୍ରାମର ଅଧିକାରୀହିଁ ଦୁଇଗ୍ରାମର କାର୍ଯ୍ୟ ନିର୍ବାହ କରୁଛନ୍ତି । ଏବେ ଆପଣହିଁ ରାମପୁରର ଅଧିକାରୀ ହେବେ ।”
ଗୋପାଳ କହିଲେ, “ମହାରାଜ, ପାଣ୍ଡିତ୍ୟ ଓ ଶାସନଭାର ଏ ଦୁଇଟି ସମ୍ପୂର୍ଣ୍ଣ ରୂପେ ଭିନ୍ନ କଥା । ସେହି ଗ୍ରାମରେ ମୋର ପ୍ରିୟମିତ୍ର ନରେଶ ଅଛନ୍ତି । ସେ କେବଳ ସମର୍ଥ ନୁହଁନ୍ତି ଭାଗ୍ୟବାନ ମଧ୍ୟ । ମୋର ବିଶ୍ୱାସ ତାଙ୍କୁହିଁ ଏହି କାର୍ଯ୍ୟଭାର ଦେଲେ ଗ୍ରାମବାସୀ ବହୁତ ସୁଖୀ ହେବେ ।”
ରାଜା ତାଙ୍କ ପରାମର୍ଶକୁ ଗ୍ରହଣ କଲେ । ତୁରନ୍ତ ସେ ନରେଶକୁ ଏକ ଆଦେଶନାମା ପତ୍ର ପଠାଇଲେ ଓ ନରେଶଙ୍କୁ କାର୍ଯ୍ୟଭାର ସମର୍ପଣ କରିବାର ଦାୟିତ୍ୱ ଗୋପାଳଙ୍କୁ ହିଁ ଦେଲେ ।
ଗୋପାଳ ଫେରିବା ପୂର୍ବରୁହିଁ ଏହି ବିଷୟ ଗ୍ରାମରେ ସମସ୍ତେ ଜାଣିଥିଲେ । ଲୋକମାନେ ଗୋପାଳଙ୍କର ନିଃସ୍ୱାର୍ଥତାର ପ୍ରଶଂସା ବହୁତ ବେଶି କଲେ । କେତେକ ଲୋକ କହିଲେ, “ନରେଶ ଲୋକ ହିସାବରେ ତ ଭଲ କିନ୍ତୁ ଧନଗର୍ବ ଏତେ ଯେ ମନକୁ ଯାହା ଆସେ ତାହା ସେ ଗାଳି ଦିଅନ୍ତି । ତେଣୁ ଗୋପାଳ ଯଦି ଅଧିକାରୀ ହୁଅନ୍ତେ ତ ଗ୍ରାମର ଅବସ୍ଥା ପୁରାପୁରି ବଦଳିଯାଆନ୍ତା ।”
ରାଜଧାନୀରୁ ଫେରି ଗୋପାଳ ନରେଶଙ୍କୁ ରାଜାଙ୍କ ପତ୍ର ଦେଇ କହିଲେ, “ମୋର ବନ୍ଧୁ ଗ୍ରାମାଧିକାରୀ ପଦ ପାଇଲେ ସେଥିପାଇଁ ମୁଁ ବହୁତ ଗର୍ବିତ ହେବି । ମୁଁ ଆଜି ବହୁତ ଖୁସି । ଏହା ଶୁଣି ନରେଶ ପ୍ରଥମଥର ପାଇଁ ଗୋପାଳକୁ କୃତଜ୍ଞତା ଜଣାଇଲେ ।”
ଦିନକୁ ଦିନ ରାଜା ଗୋପାଳଙ୍କ ପାଣ୍ଡିତ୍ୟ ପ୍ରତି ଅଧିକରୁ ଅଧିକ ଆକର୍ଷିତ ହେଲେ । ସେ ପ୍ରାୟ ଗୋପାଳଙ୍କୁ ରାଜଧାନୀକୁ ଡାକି ନେଉଥାନ୍ତି ସେ ଯେତେବେଳେ ମଧ୍ୟ ଯାଆନ୍ତି ଗ୍ରାମର ସମସ୍ୟାସବୁ ବିଷୟରେ ରାଜା ଗୋପାଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରନ୍ତି ଓ ଉପଯୁକ୍ତ ପରାମର୍ଶ ଦିଅନ୍ତି । ତା’ପରେ ରାଜା ଗୋପାଳଙ୍କୁ କୁହନ୍ତି ତାଙ୍କ ଆଲୋଚନାରେ ଯାହା ସ୍ଥିର ହୋଇଥାଏ, ସବୁଯାଇ ନରେଶଙ୍କୁ ବୁଝାଇ ଦେବାକୁ; ଗୋପାଳ ରାଜାଙ୍କ କଥା ଅନୁସାରେ ରାଜଧାନୀରୁ ଫେରି ନରେଶଙ୍କୁ ସବୁକଥା ବୁଝାଇ କୁହନ୍ତି । ନରେଶ କିନ୍ତୁ ସେସବୁ କଥା ଶୁଣି ରାଗରେ ନିଆଁବାଣ ହୋଇ କହିଲେ “ଏସବୁ ସମାଧାନ କଥା ମୁଁ ବୁଝିବି । ରାଜା କାହିଁକି ତୁମ ଦ୍ୱାରା ମୋ ପାଖକୁ କହି ପଠାଇଛନ୍ତି? ଏହି ଗ୍ରାମର ଅଧିକାରୀ ମୁଁ ନା ତୁମେ? ଏଥର ମୁଁ କିଛି କହୁ ନାହିଁ । ଆଉ ଏପରି କଥାବାର୍ତ୍ତା ମୋ ସହିତ କେବେବି କରିବ ନାହିଁ । ସେପରି ଅଯଥା ଉପଦେଶ ଦେଲେ ମୁଁ ଏହି କାର୍ଯ୍ୟରୁ ଇସ୍ତଫା ଦେଇ ଦେବି ।”
ଗୋପାଳ ଅଳ୍ପ ହସି କହିଲେ, “ଯେ କୌଣସି ଲୋକଦ୍ୱାରା ଯଦି ଗ୍ରାମର କିଛି ଭଲ ହୁଏ, ତେବେ ଏଥିରେ ଏତେ ରାଗିବାର କ’ଣ ଅଛି । ଗ୍ରାମର ଯେଉଁଥିରେ ମଙ୍ଗଳ ହେବ, ସେଥିରେ ତୁମେ ମଧ୍ୟ ଆନନ୍ଦ ହେବା ଉଚିତ୍ । ମୋର ସାହାଯ୍ୟ ଦ୍ୱାରା ତୁମର ଓ ଗ୍ରାମର ଯଦି କିଛି ମଙ୍ଗଳ ହୁଏ ତେବେ ସେଥିରେ ପୁଣି ଅସୁବିଧା ରହିଲା କେଉଁଠି?”