ଏଭଳି କଥା ଶୁଣି ଗୋପାଳଙ୍କ ମନରେ ଟିକିଏ ଦୁଃଖ ହେଲା । ସେ ଯାଇ ମନ୍ତ୍ରୀଙ୍କୁ ଏକଥା ଜଣାଇଲେ । ମନ୍ତ୍ରୀ ତ ତାଙ୍କ ଉପରେ ଖୁସି ଥିଲେ । ତେଣୁ ସେ କହିଲେ, “ଆପଣ ଖାଲି କୁହନ୍ତୁ ମୁଁ ଆପଣଙ୍କର କିପ୍ରକାରରେ ସହାୟତା କରିପାରିବି?”
ଗୋପାଳ ତାଙ୍କୁ କିଛି ଲେଖିଦେଇ କହିଲେ, “ଆପଣ ରାଜାଙ୍କୁ କହିବେ ନାହିଁ କି ମୁଁ ଏସବୁ ଲେଖିଛି ବୋଲି; ମୁଁ ଏଥିରେ ଲେଖିଛି ଯେ ସାଧାରଣ ଲୋକେ ପଣ୍ଡିତମାନଙ୍କଠାରୁ ବହୁପ୍ରକାରରେ ସହାୟତା ପାଇଥାନ୍ତି । ତେଣୁ ସେମାନଙ୍କ ପାଇଁ ଆର୍ଥିକ ସହାୟତା ରହିବା ଦ୍ୱାରା ତାଙ୍କର ତଥା ଗ୍ରାମବାସୀଙ୍କର ବହୁତ ମଙ୍ଗଳ ହେବ । ଆପଣ ଏହି ତଥ୍ୟ ମୋ ଲେଖାରୁ ପଢି ରାଜାଙ୍କୁ ବୁଝାଇଦେବେ ।”
ରାଜାଙ୍କୁ ମନ୍ତ୍ରୀ ସମସ୍ତ ବିଷୟ କହିଲେ ରାଜା ସେ ବିଷୟରେ ସଚେତନ ହେଲେ ଓ ଆଦେଶ ଦେଲେ କି ପ୍ରତି ଗ୍ରାମରେ ଜଣେ ଲେଖାଏଁ ପଣ୍ଡିତ ନିଶ୍ଚୟ ରହିବେ । ତେଣୁ ପଣ୍ଡିମାନେ ନିଜ ନିଜର ଯୋଗ୍ୟତାପତ୍ର ରାଜାଙ୍କ ନିକଟକୁ ପଠାନ୍ତୁ ।
ରାମପୁର ଗ୍ରାମର କେତେକ ଛୋଟ ଛୋଟ ପଣ୍ଡିତଙ୍କର ଯୋଗ୍ୟତା ପତ୍ର ନେଇ ନରେଶ ଦ୍ୱାରା ରାଜାଙ୍କ ପାଖକୁ ଗଲା । କିନ୍ତୁ ଗୋପାଳ ନିଜ ଯୋଗ୍ୟତାପତ୍ର ନିଜେ ପଠାଇଲେ । କେତେକ ଶୁଭେଚ୍ଛୁ ଗୋପାଳଙ୍କୁ କହିଲେ, “ରାଜା ଆପଣଙ୍କୁ ଖୁବ୍ ଭଲ ପା’ନ୍ତି ଓ ପ୍ରତ୍ୟେକ କଥାରେ ଆପଣଙ୍କ ପରାମର୍ଶ ସେ ଚାହାଁନ୍ତି । ଏବେ ସେ ଆପଣଙ୍କ ପ୍ରତି ଏପରି ବିରାଗ ଭାବ କାହିଁକି ଦେଖାଉଛନ୍ତି । ମନେ ହେଉଛି ମନ୍ତ୍ରର ଅଧିନ କୌଣସି ଖରାପ ଶକ୍ତି ଦ୍ୱାରା ସେ ଧୀରେ ଧୀରେ ପ୍ରଭାବିତ ହେଉଛନ୍ତି । ତେଣୁ ଆପଣ ଥରେ ମେଧାନନ୍ଦଙ୍କ ନିକଟକୁ ଯାଆନ୍ତୁ ।” ବାରମ୍ବାର ଏହି କଥା ଶୁଣି ଗୋପାଳ ଭାବିଲେ ଥରେ ଯାଇ ଦେଖାକଲେ କ୍ଷତି କ’ଣ? ତେଣୁ ସେ ମେଧାନନ୍ଦଙ୍କ ନିକଟକୁ ଯାଇ ନିଜର ସମସ୍ତ ସମସ୍ୟା କଥା ତାଙ୍କୁ କହିଲେ ।
ମେଧାନନ୍ଦ କିଛି କହିବାକୁ ଯାଉଛନ୍ତି; ସେଠାରେ ଉପସ୍ଥିତ ଥିବା ନରେଶ କହିଲେ, “ମହାଶୟ, ସେ ତ ଆପଣଙ୍କ ଶକ୍ତି ଉପରେ ବିଶ୍ୱାସ କରନ୍ତି ନାହିଁ । ଏପର୍ଯ୍ୟନ୍ତ ଥରେ ହେଲେ ଆପଣଙ୍କୁ ଦେଖାକରିବାକୁ ସେ ଆସି ନାହାଁନ୍ତି । ଆଜି ନିଜର ସ୍ୱାର୍ଥ ପାଇଁ ଯେ ବାବୁ ଚାଲି ଆସିଲେ, ଇଏ କିଭଳି କଥା?”
ମେଧାନନ୍ଦ ଅଳ୍ପ ହସି କହିଲେ, “ମୋ ପାଖକୁ ଯିଏବି ଆସନ୍ତି ସ୍ୱାର୍ଥ ଦ୍ୱାରା ପ୍ରେରିତ ହୋଇହିଁ ଆସନ୍ତି । ମୋର ସେମାନଙ୍କ ସହିତ ଓ ସେମାନଙ୍କର ସମସ୍ୟାମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ । ସେମାନଙ୍କର ନ୍ୟାୟୋଚିତ ଇଚ୍ଛା ପୂର୍ତି କରିବା ହିଁ ମୋର ଧର୍ମ ।” ତା’ପରେ ସେ ଗୋପାଳଙ୍କୁ ପଚାରିଲେ, “ବତ୍ସ, ତମେ ପଅରଦିନ ମୋ ସହିତ ଦେଖା କରିବାକୁ ଆସ ।” ଏକଥା ଶୁଣି ନରେଶଙ୍କର ମୁଣ୍ଡ ହଠାତ୍ ଖରାପ ହୋଇଗଲା । ସେ ଭାବିଲେ, “ଏମିତି ତ ଗୋପାଳ ମୋତେ ଆଦୌ ଖାତିର୍ କରେ ନାହିଁ । ଆଉ ସେ ଯଦି ରାଜପଣ୍ଡିତ ହୋଇଯିବ ତେବେ ମୋର କିଛି ମୂଲ୍ୟ ରହିବ ନାହିଁ । ମେଧାନନ୍ଦଙ୍କ ଆଶିର୍ବାଦ ଅମୋଘ । ତେଣୁ କୌଣସିମତେ ତାଙ୍କୁ ଏଥିରୁ ନିବୃତ କରାଇବାକୁ ହେବ ।”
ଦୁଇଦିନ ପରେ ଗୋପାଳଙ୍କୁ ଆଶିର୍ବାଦ ଦେଇ ମେଧାନନ୍ଦ କହିଲେ, “ତୁମେ ଯାହା ପାଇବାକୁ ଚାହୁଁଛ, ତାହା ତ ଅବଶ୍ୟ ପାଇବ ।” ଗୋପାଳ ତାଙ୍କ ମନ ମଧ୍ୟରେ ରାଜପଣ୍ଡିତ ହେବାକୁ ଚାହୁଁ ଥିଲେ । ତା’ପରେ ନରେଶ ସେଠାକୁ ଆସିଲେ । ଏହାପରେ ମେଧାନନ୍ଦ ନରେଶକୁ ମଧ୍ୟ ସେହି ଏକହିଁ କଥା କହି ଆଶିର୍ବାଦ କଲେ । କିନ୍ତୁ ନରେଶ ମନ ମଧ୍ୟରେ ଇଚ୍ଛା କରିଥିଲେ କି ଗୋପାଳ ଯେପରି ରାଜପଣ୍ଡିତ ନହୁଅନ୍ତୁ ।
ତା’ପରେ ନରେଶଙ୍କ ମନରେ ଟିକେ ସନ୍ଦେହ ହେବାରୁ ସେ ଗୁରୁଙ୍କୁ ପଚାରିଲେ, “ଗୁରୁଦେବ, ପରସ୍ପର ବିରୋଧି ଇଚ୍ଛା ଦୁଇଜଣ ଚାହିଁଲେ ଏହା କିପରି ଘଟିବ?”
ମେଧାନନ୍ଦ କହିଲେ “କୌଣସି ଜଣକରହିଁ ଇଚ୍ଛା ପୁରା କରିପାରିବି । ଯାହାର ଇଚ୍ଛା ପୂର୍ଣ୍ଣ କରି ନପାରିବି ଜାଣିବ ଯେ ସେହିଦିନଠାରୁ ତା’ର ପତନ ଆରମ୍ଭ ହେବା ନିଶ୍ଚିତ ।”
ତାଙ୍କ ଉତ୍ତର ଶୁଣି ନରେଶ ଭାରି ଖୁସି ହେଲେ । ସେ ଭାବିଲେ କି ଆଜିଠାରୁ ଗୋପାଳଙ୍କର ପତନ ଅନିବାର୍ଯ୍ୟ । କିନ୍ତୁ ସପ୍ତାହକ ମଧ୍ୟରେ ଏକ ସମାଚାର ଶୁଣି ସେ ହତାଶ ହୋଇଗଲେ । ଗୋପାଳଙ୍କୁ ରାଜ ପଣ୍ଡିତ ପଦ ମିଳିଗଲା ।
ନରେଶ ଦୌଡି ଦୌଡି ମେଧାନନ୍ଦଙ୍କ ପାଖକୁ ଆସି କହିଲେ; “ଗୁରୁଦେବ, ସମସ୍ତେ କହନ୍ତି ମୁଁ ଭାଗ୍ୟଶାଳୀ; ମୋର ଭାଗ୍ୟ ଅତୁଟ । ମୁଁ ଭାବିଥିଲି ଯେ, କେବଳ ଆପଣଙ୍କ ଯୋଗୁଁହିଁ ତାହା ଦୁଇଗୁଣ ହୋଇଯିବ । କିନ୍ତୁ ଏବେ ମୋର ଭୟ ହେଉଛି ଯେ ମୋର ପତନ ହୁଏତ ଆରମ୍ଭ ହୋଇଗଲାଣି । କିପରି ଏହା ସମ୍ଭବ?”
ତହୁଁ ମେଧାନନ୍ଦ ହସି ହସି କହିଲେ, “ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ଯେ ତୁମର ଜୀବନରେଖା ଭାଗ୍ୟଶାଳୀ । ଯେପର୍ଯ୍ୟନ୍ତ ନିଜ ବିଷୟରେ ଚିନ୍ତା କରିବ, ନିଜ କାମ ନିଜେ କରିବ, ତେବେ ତୁମର ପତନ କେବେ ମଧ୍ୟ ହୋଇପାରିବ ନାହିଁ । ଗୋପାଳଙ୍କ ଇଚ୍ଛା ନିଜକାର୍ଯ୍ୟ ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ତୁମର ଇଚ୍ଛା ତ ତାକୁ ନଷ୍ଟ କରିବା ଦିଗରେ ଥିଲା । ଖାଲି ସେହି କାରଣରୁ ତୁମ ଇଚ୍ଛା ପୁରଣ ହେଲା ନାହିଁ । ତୁମର ପତନକୁ ଅଟକେଇବାର ଶକ୍ତି ତୁମ ମଧ୍ୟରେ ଅଛି । ଉପକାରୀକୁ ଅପକାରୀ ବୋଲି ବିଚାର କରିବାର ପଦ୍ଧତି ଏବେ ବଦଳାଇ ଦିଅ । ଅର୍ଥାତ୍ ନିଜ ବୁଦ୍ଧିର ଗଠନମୂଳକ ଉପଯୋଗିତା କର ।”
ସେହି ଦିନଠାରୁ ନରେଶଙ୍କର ଆଖି ଖୋଲିଗଲା ଓ ସେ ଗୋପାଳ ସହିତ ସ୍ନେହପୂର୍ଣ୍ଣ ସଦ୍ବ୍ୟବହାର କରିବାକୁ ଲାଗିଲେ । ତା’ପରେ ସମସ୍ତେ ଖୁସିରେ ରହିଲେ ।