ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି । ଏହି ପୁଟୁଳିଟିକୁ ସେ ଅତି ସତର୍କତାର ସହିତ ରଖୁଥିଲେ ।
ଯାତ୍ରାବେଳେ ସେ ଜାହାଜ ଭିତରେ ତ ଅନେକ ଯାତ୍ରୀ ଥିଲେ । ଯାତ୍ରାବେଳେ ଯାତ୍ରୀମାନେ ପରସ୍ପର ଭିତରେ ପରିଚିତ ହୋଇଗଲା ପରେ ବୁଖାରୀ ବାବାଙ୍କଠାରୁ ଜ୍ଞାନଚର୍ଚ୍ଚା ସମସ୍ତେ ଶୁଣିଲେ । ସେହି ଯାତ୍ରୀମାନଙ୍କ ଭିତରୁ ଜଣେ ବୁଖାରୀ ବାବାଙ୍କର ଅତି ଅନ୍ତରଙ୍ଗ ହୋଇଗଲା । ବୁଖାରୀ ବାବାଙ୍କ ପାଖରେ ଏତେ ପରିମାଣର ଅର୍ଥ ଅଛି ବୋଲି ଦେଖି ସେ ଲୋଭାସକ୍ତ ହୋଇଗଲା । ତା’ପରେ ସେ ଯେ କୌଣସି ପ୍ରକାରେ ବାବାଙ୍କ ପୁଟୁଳିଟିକୁ ନେଇଯିବା ପାଇଁ ସୁଯୋଗ ଉଣ୍ଡିଲା ।
ଏହିପରି ଭାବି କିଛି ସମୟ ପରେ ସେହି ଯାତ୍ରୀଜଣକ ମିଛରେ ଅଭିନୟ କରି ଜୋର୍ରେ ଚିତ୍କାର କରି କହିଲା, “ମରିଗଲି, ମରିଗଲି । ମୋର ସବୁ ଚାଲିଗଲା ।”