ଜଣେ ଗରିବ ଭକ୍ତ ଥିଲେ । ଦୈନିକ ରୋଜଗାରରେ ତାଙ୍କ ପରିବାର ଦି’ ମୁଠା ଖାଇ କେବଳ ବଂଚିରହିବା ଛଡା ଆଉ କିଛି ବାଟ ନ ଥିଲା । ଭବିଷ୍ୟତ ବିପଦ ଆପଦ ପାଇଁ କାଣି କଉଡିଟିଏ ସଂଚିବା ପାଇଁ ବି କିଛି ବଳକା ରହୁ ନଥିଲା । ତାଙ୍କର ବାସଗୃହ ବୋଲି ଝୁମ୍ପୁଡି ଘର ଖଣ୍ଡିଏ, ସମ୍ପତି ବାଡି ବୋଲି ପିନ୍ଧାଲୁଗା ଦି’ଖଣ୍ଡ ଓ ରୋଷେଇ ସରଂଜାମ ଦି’ଟା ଛଡା ଆଉ କିଛି ନ ଥିଲା । ହେଲେ ତାଙ୍କ ମନରେ ତିଳେ ଦୁଃଖ ନଥାଏ । ଦିନରାତି ଭଗବାନଙ୍କୁ ଡାକିଡାକି ସମୟ ବିତାଉ ଥିଲେ ।
ଭକ୍ତ ଅତ୍ୟନ୍ତ ଗରିବ ହେଲେ ବି ମନରେ ଦୁଃଖ ନଥିଲା କି କେଉଁଠାରୁ କେବେ ଅଧିକ ଧନ ପାଇବାର ଆଶା ରଖିନଥିଲେ । ଏହିଭଳି ଜଣେ ସଦାଚାରୀ ଭକ୍ତକୁ ଈଶ୍ୱର ପରୀକ୍ଷା କରିବାକୁ ଚାହିଁଲେ ।
ଭକ୍ତ ପ୍ରତ୍ୟହ ପ୍ରାତଃକାଳରେ ନଦୀକୁ ସ୍ନାନ କରିବାକୁ ଯାଆନ୍ତି । ଦିନକର କଥା, ସେ ସ୍ନାନ କରୁଥିଲା ବେଳେ ଦେଖିଲେ ନଦୀକୂଳରେ ଗୋଟିଏ ଢାଳ, ହଳେ କଠଉ ଓ ନୂଆବସ୍ତ୍ର ରହିଛି । ଏହାକୁ ଦେଖି ଭକ୍ତ ମନେ ମନେ ଭାବିଲେ ବୋଧହୁଏ କିଏ ଏହାକୁ ରଖି ନଦୀରେ ସ୍ନାନ କରୁଛି । କିଛି ସମୟ ନିରୀକ୍ଷଣ କଲାପରେ ସେ କାହାର ସନ୍ଧାନ ପାଇଲେ ନାହିଁ । ପୁଣି ଭାବିଲେ ବୋଧହୁଏ କିଏ ଏହାକୁ ଛାଡି ଚାଲିଯାଇଛି । ମାତ୍ର ଅନ୍ୟର ଦ୍ରବ୍ୟ ଉପରେ ଆଖି ପକାଇବା ଠିକ୍ ନୁହେଁ ଭାବି ଭକ୍ତ ନିଜ ବାଟରେ ଫେରିଯିବା ପାଇଁ ବାହାରିଲେ ।