ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାପ ଏବଂ ବେଙ୍ଗକଥା

       ସାପର କଥା ଶୁଣି ‘ଗଙ୍ଗଦତ’ କହିଲେ, ‘ତୁମେ ଯାହା କହୁଛ ଠିକ୍ କହୁଛ’ । ତୁମେ ମୋର ଜନ୍ମ ଜନ୍ମାନ୍ତର ଶତ୍ରୁ ହୋଇ ପାରିଥାଅ, କିନ୍ତୁ ମୁଁ ତୁମ ଠାରୁ ଏକ ସାହାଯ୍ୟ ଚାହୁଁଛି । ମୁଁ ଚାହୁଁଛି ତୁମେ ମୋର ଶତ୍ରୁ ବେଙ୍ଗମାନଙ୍କୁ ବିନାଶ କରିଦିଅ । ଗଙ୍ଗଦତଙ୍କର କଥା ଶୁଣି ସାପଟି କହିଲା, ତା’ହେଲେ କୁହ, କିଏ ତୁମକୁ ଅପମାନିତ କରିଛି? ଗଙ୍ଗଦତ କହିଲେ, ‘ମୋର ସଂପର୍କୀୟ ମାନେ ହିଁ ମୋତେ ଅପମାନିତ କରିଛନ୍ତି’ । ଏହାପରେ ସାପ ପଚାରିଲା, ସେମାନେ ତା’ହେଲେ କେଉଁଠାରେ ବାସ କରୁଛନ୍ତି? ଉତ୍ତର ଦେବାକୁ ଯାଇ ଗଙ୍ଗଦତ କହିଲେ, ‘ଗୋଟିଏ କୂପରେ ଥିବା ନନ୍ଦ ମଧ୍ୟରେ ସେମାନେ ବସବାସ କରନ୍ତି । ସାପଟି କହିଲା, ମୋର ତ ଗୋଡ ନାହିଁ । ମୁଁ କୂପ ମଧ୍ୟକୁ କିପରି ପ୍ରବେଶ କରିବି? ଯଦି ବି ମୁଁ ତା’ମଧ୍ୟକୁ କୌଣସି ପ୍ରକାରେ ପ୍ରବେଶ କରେ, ସେଠାରେ ରହିବି କିପରି । ସାପର କଥାଶୁଣି ଗଙ୍ଗଦତ କହିଲେ, ‘ତୁମେ, ତା’ ମଧ୍ୟକୁ କିପରି ପ୍ରବେଶ କରିବ ଏବଂ ସେଠାରେ କିପରି ରହିବ ସେ ଦାୟିତ୍ୱ ମୋର । ସେହି କୂପ ମଧ୍ୟରେ ଏକ ସୁନ୍ଦର ଗାତ ଅଛି । ତୁମେ ସେହି ଗାତ ମଧ୍ୟରେ ରହି ବେଙ୍ଗମାନଙ୍କୁ ବିନାଶ କରିବ ।

       ଗଙ୍ଗଦତଙ୍କର କଥାଶୁଣି ସାପଟି କିଛି ସମୟ ଚିନ୍ତା କଲା । ସେ ଭାବିଲା, ମୁଁ ତ ବୁଢା ହୋଇଗଲିଣି, ଖାଦ୍ୟ ସଂଗ୍ରହ କରିବା ମୋ ପାଇଁ କଷ୍ଟକର ହୋଇପଡିବ । ତେଣୁ ଏଠାରେ ଯେତେବେଳେ ସୁବିଧାରେ ଖାଦ୍ୟ ମିଳୁଛି, ତାକୁ କାହିଁକି ନଖାଇବି? ଏହା ଭାବି ସାପ କହିଲା, ‘ଗଙ୍ଗଦତ’! ମୁଁ ତୁମ କଥାରେ ଏକମତ । ତା’ହେଲେ ତୁମେ ଆଗରେ ଚାଲ । ମୁଁ ତୁମ ପଛେ ପଛେ ଯାଉଛି । ଗଙ୍ଗଦତ କହିଲେ, ‘ମୁଁ ତୁମକୁ ଏକ ସୁବିଧା ରାସ୍ତା ଦେଖାଇ ଦେବି । ତୁମେ ସେହି ପଥରେ ଯାଇ ସେହି ଗାତରେ ରହିବ । ମୁଁ ଯେଉଁମାନଙ୍କୁ ଖାଇବାକୁ କହିବି, ତୁମେ ସେହିମାନଙ୍କୁ ଖାଇବ’ । ଏହିପରି କଥା ହେବାପରେ ସାପ ଓ ଗଙ୍ଗଦତ ଏକ କୂପ ଦଉଡି ମାଧ୍ୟମରେ କୂପ ମଧ୍ୟରେ ଥିବା ଗାତରେ ଯାଇ ରହିଲେ । ପ୍ରତିଦିନ ଗଙ୍ଗଦତ ଜଣ ଜଣକୁ ଦେଖାଇ ଦିଏ, ସାପ ତାକୁ ମାରିଖାଏ । ସାପଟିର ଆନନ୍ଦ ଦେଖେ କିଏ?

       ଏହିପରି ଦିନ ପରେ ଦିନ ଅତିକ୍ରାନ୍ତ ହୋଇଗଲା । କୂପ ମଧ୍ୟରୁ ବେଙ୍ଗ ଗୁଡିକ ସରିଯିବାକୁ ଲାଗିଲେ । ବାକି ରହିଲେ କେବଳ ଗଙ୍ଗଦତର ପରିବାରବର୍ଗ । ଏହାପରେ ସାପ କହିଲା ବନ୍ଧୁ! କୂପ ମଧ୍ୟରୁ ତ ବେଙ୍ଗମାନଙ୍କୁ ମୁଁ ମାରି ଖାଇସାରିଲାଣି । ବର୍ତ୍ତମାନ ମୁଁ ଖାଇବି କ’ଣ? ଉତ୍ତର ଦେବାକୁ ଯାଇ ବେଙ୍ଗ କହିଲା, “ବନ୍ଧୁ”! ତୁମେ ମୋର ବହୁ ଉପକାର କରିଛ । ଏଥର ତୁମର କାର୍ଯ୍ୟ ଶେଷ ହୋଇଗଲାଣି । ମୋର ଶତ୍ରୁମାନେ ସମସ୍ତେ ନିପାତ ହୋଇ ଗଲେଣି । ମୁଁ ଓ ମୋର ପରିବାରବର୍ଗ ଏଥର ଶାନ୍ତିରେ ବସବାସ କରିପାରିବୁ । ତେଣୁ ତୁମେ ଏଥର କୂପ ମଧ୍ୟରୁ ବାହାରକୁ ଚାଲିଯାଅ । ଗଙ୍ଗଦତର କଥାଶୁଣି ସାପଟି କହିଲା, “ମୋର ଗାତ ମଧ୍ୟରେ ଅନ୍ୟ କେହି ଆସି ରହିଯିବଣି । ମୁଁ ବର୍ତ୍ତମାନ ଏଠାରୁ ବାହାରିଗଲେ ରହିବି କେଉଁଠି? ତେଣୁ ତୁମେ ନିଜ ପରିବାରର ଲୋକମାନଙ୍କ ମଧ୍ୟରୁ ଜଣଜଣକୁ ଖାଇବାକୁ ଦିଅ ।”

       ସାପର କଥାଶୁଣି ଗଙ୍ଗଦତ ଭୟରେ ପ୍ରମାଦ ଗଣିଲେ । ସେତେବେଳେ ସେ ଚିନ୍ତା କଲେ ନିଜ ବଂଶଜ ମାନଙ୍କୁ ମାରିବାପାଇଁ ସେ ଯାହାକୁ ଆଣିଥିଲେ, ଆଜି ସେ ହିଁ ତାଙ୍କୁ ମାରିବାପାଇଁ ଚିନ୍ତା କରୁଛି । ତେଣୁ କୌଣସି ଉପାୟ ନପାଇ ଗଂଗଦତ ନିଜ ପରିବାର ମଧ୍ୟରୁ ଜଣ ଜଣକୁ ଖାଇବାପାଇଁ କହିଲା । ଶେଷରେ ସାପଟି ଗଙ୍ଗଦତର ପୁଅ ଯମୁନାଦତ ଏବଂ ତାର ସ୍ତ୍ରୀକୁ ମଧ୍ୟ ଖାଇଲା । ପରିସ୍ଥିତି ଏପରି ହେଲା ଯେ ଶେଷରେ କୂପ ମଧ୍ୟରେ କେବଳ ଗଙ୍ଗଦତ ହିଁ ରହିଗଲେ । ସାପଟି କହିଲା, ‘ବନ୍ଧୁ’! କୂପ ମଧ୍ୟରେ ତୁମ ଛଡା ଆଉ କେହି ନାହାନ୍ତି । ତୁମେ ମୋର ଖାଦ୍ୟର ବ୍ୟବସ୍ଥା ତୁରନ୍ତ କର । ଯଦି ନକରିପାରିବ ତା’ହେଲେ ତୁମେ ହିଁ ଶେଷରେ ମୋର ଶିକାର ହେବ । ଏହା ଶୁଣିବାପରେ ଗଙ୍ଗଦତ ମନେ ମନେ ଚିନ୍ତା କଲେ, ମୁଁ ମୋ ଜୀବନରେ ବହୁତ ବଡ ଭୁଲ୍ କରିଛି । ଏ ଦୁଷ୍ଟ ସାପକୁ ଏଠାରେ ଆଶ୍ରୟ ଦେବା ଉଚିତ୍ ନଥିଲା । ଏହା ଭାବି ଗଙ୍ଗଦତ ଚିନ୍ତାକଲା କିପରି ସେ କୂପ ମଧ୍ୟରୁ ମୁକ୍ତି ପାଇବ । ହଠାତ୍ ତା’ର ମନକୁ ଏକ ଉପାୟ ଆସିଲା । ସେ ସାପକୁ କହିଲା, ମୁଁ ଯାଉଛି ଅନ୍ୟ କୂପରେ ଥିବା ବେଙ୍ଗମାନଙ୍କୁ ମିଛ ସତ କହି ଏଠାକୁ ଡାକି ଆଣିବି । ସାପ ଏଥିରେ ସଂଗେ ସଂଗେ ରାଜି ହୋଇଗଲା । ଗଙ୍ଗଦତ କୂପ ଦଉଡି ସାହାଯ୍ୟରେ ବାହାରକୁ ବାହାରି ଆସିଲା । ସାପ କବଳରୁ ନିଜକୁ ରକ୍ଷା କରିବା ପାଇଁ ସେ ଅନ୍ୟତ୍ର ଲୁଚିଗଲା । ଏପଟେ ସାପଟି ଗଙ୍ଗଦତଙ୍କୁ ଅପେକ୍ଷା କରି ରହିଥାଏ ।

       କିଛିଦିନ ଅପେକ୍ଷା କରିବା ପରେ ଗଙ୍ଗଦତ ଯେପରି ଫେରିଲେ ନାହିଁ ସାପଟି ଭୋକରେ ଆଉଟୁ ପାଉଟୁ ହୋଇ ବ୍ୟସ୍ତ ହୋଇପଡୁଥାଏ । ସେହି କୂପର ଅନ୍ୟ ଏକ ଗାତରେ ରହୁଥିବା ଏକ ଗୋଧିକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲା । ଗୋଧି ହାତରେ ପ୍ରଥମେ ଗଙ୍ଗଦତଙ୍କ ନିକଟକୁ ଖବର ପଠାଇଲା । ମାତ୍ର ଗଙ୍ଗଦତ ସେ କୂପକୁ ଆଉ କଦାପି ଯିବେ ନାହିଁ ବୋଲି କହିଲା । କାହାଣୀଟି ଶୁଣିସାରି କୁମ୍ଭୀର କହିଲା, ବନ୍ଧୁ! ମୋର ସବୁ ଭୁଲ୍, ମୁଁ ମାନୁଛି । ତୁମେ ମୋତେ ଏ ପ୍ରକାର ବ୍ୟବହାର ଦେଖାଅ ନାହିଁ । ତୁମେ ମୋ ସହିତ ବର୍ତ୍ତମାନ ମୋ ଘରକୁ ଆସ । ତୁମେ ମୋ ସହିତ ଆସିଲେ ମୁଁ କରିଥିବା ପାପରୁ ମୋତେ ମୁକ୍ତି ମିଳିବ ।

       କୁମ୍ଭୀରର କଥାଶୁଣି ମାଙ୍କଡ କହିଲା, ‘ତୁମେ ମୋତେ ଏତେ ବୋକା ଭାବିଲ କି? ମୁଁ କ’ଣ ଲମ୍ବକର୍ଣ୍ଣପରି ମୂର୍ଖ ହୋଇଛି କି ବିପଦରେ ପଡି ସେଥିରୁ ରକ୍ଷା ପାଇବାର ଉପାୟ ନକରି ପୁଣି ଏକ ବିପଦରେ ପଡିବି । କୁମ୍ଭୀର ମାଙ୍କଡଠାରୁ ଲମ୍ବକର୍ଣ୍ଣର କାହାଣୀ ଶୁଣିବାପାଇଁ ଇଚ୍ଛା ପ୍ରକାଶ କଲା । ମାଙ୍କଡଟି ଏହି କାହାଣୀ କହିବା ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ