ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ ବହୁତ ସରଳ ଓ ଦୟାବନ୍ତ ଜୀବଟିଏ ଥିଲା । ସେ ନେଉଳ ସାପକୁ ତା’ ଘରେ ଆଶ୍ରୟ ଦେଲା । ଶରଣାଗତକୁ ସୁରକ୍ଷା ଦେବ ବୋଲି ନେଉଳ ବି ଦୃଢ ପ୍ରତିଶୃତି ଦେଲା । କହିଲା – ତୁମେ ମୋର ଅତିଥି ଆଉ ଶରଣାଗତ ମଧ୍ୟ । ମୋ ଜୀବନ ପଛେ ଚାଲିଯାଉ ମାତ୍ର ମୁଁ ତୁମକୁ ସର୍ବଦା ରକ୍ଷା କରିବି । ସାପ ନେଉଳର ଏପରି କଥା ଶୁଣି ତା’ର ଭୟ କୁଆଡେ ଚାଲିଗଲା ।ଏଣିକି ସାପ ନେଉଳକୁ ତା’ର ସବୁଠାରୁ ଭଲ ମିତ୍ର ବୋଲି କହିଲା ।
ଦିନେ ସାପ ନେଉଳ ଗାତରେ ତିନିଟି ଅଣ୍ଡା ଦେଲା । ଅଣ୍ଡା ଫୁଟିବାକୁ ଆଉ ଖୁବ୍ ଅଳ୍ପ ଦିନ ଅଛି ଏକ ଗୋଧି ନେଉଳ ଗାତରେ ପଶି ସବୁ ଅଣ୍ଡାତକ ଖାଇଦେଲା । ସେତେବେଳେ ସାପ ତ ଖାଇବା ପାଇଁ ଗାତ ବାହାରକୁ ଯାଇଥିଲା । ସାପ ପଛେ ପଛେ ନେଉଳ ମଧ୍ୟ ତା’ ଖାଦ୍ୟ ସଂଗ୍ରହରେ ଯାଇଥିଲା । ସାପ ଆସି ଦେଖେତ ନେଉଳ ଗାତରେ ତା’ ଅଣ୍ଡା ଆଉ ନାହିଁ ନେଉଳ ମଧ୍ୟ ନାହିଁ । ତାପରେ ସେ ନେଉଳ ଉପରେ ଅବିଶ୍ୱାସ କଲା । ଭାବିଲା – ଏ ନେଉଳ ଛଡା ମୋ ଅଣ୍ଡା ଆଉ କେହି ବି ଖାଇନଥିବେ । ସେହି ସମୟରେ ଗୋଧି ସେଇ ବାଟ ଦେଇ ଯାଉଥିଲା । ଗୋଧି କହିଲା – “ଆଲୋ ସାପ ତୋ ଅଣ୍ଡା କେତେ ସୁଆଦିଆ ମ । ନେଉଳ ଆଣି ଗୋଟିଏ ଦେଇଥିଲା” । ବହୁତ ଭଲ ଲାଗିଲା । ଗୋଧିର ଏପରି ମିଛ କଥା ଶୁଣି ସାପ ବହୁତ ରାଗିଗଲା । ମାତ୍ର ତା’ର କିଛି ବି କରିବାର ନଥିଲା । ତେଣୁ ସେ ଭଗବାନଙ୍କୁ ପ୍ରାର୍ଥନା ଓ ତପସ୍ୟା କଲା । କଠିନ ତପସ୍ୟା କରି ସେ ଭଗବାନଙ୍କୁ ସନ୍ତୁଷ୍ଟ କଲା ।