ପଦନପୁର ଗାଆଁରେ ଜଣେ ବ୍ରାହ୍ମଣ ଓ ବ୍ରାହ୍ମଣର ସ୍ତ୍ରୀ ବାସ କରୁଥିଲେ । ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ପିଲାଛୁଆ ନ ହେବାରୁ ସେମାନେ ବହୁତ ମନଦୁଃଖରେ ସମୟ ଅତିବାହିତ କରୁଥାନ୍ତି । ବ୍ରାହ୍ମଣୀ ନାନାପ୍ରକାର ବ୍ରତ କରେ । ବ୍ରାହ୍ମଣ ମଧ୍ୟ ପ୍ରତିଦିନ ଠାକୁରକୁ ଡାକି କହେ, “ ହେ ପ୍ରଭୁ ! ଆମ କୋଳରେ ଗୋଟିଏ ପିଲା ଦିଅ । ”
ଠାକୁର ସେମାନଙ୍କର ଦୁଃଖ ଶୁଣିଲେ । ବ୍ରାହ୍ମଣୀ ଗର୍ଭବତୀ ହେଲା । କିଛିଦିନ ପରେ ବ୍ରାହ୍ମଣୀ ଗୋଟିଏ ପିଲା ଜନ୍ମ କଲା । ତାହା ମଣିଷ ପିଲା ନ ଥିଲା, ବ୍ରାହ୍ମଣ ଓ ବ୍ରାହ୍ମଣୀଙ୍କର କହିବା ଅନୁଯାଇ ପିଲାଟି ଦେଖିବାକୁ ସାପ ପରି । ତାହା ଗୋଟିଏ ସାପଛୁଆ ଥିଲା । ଏକଥା ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । ଗାଆଁ ସାହିର ଲୋକେ କେତେ ପ୍ରକାର କଥା କହିଲେ । ସାହିର ପିଲାମାନେ ଭୟରେ ଆଉ ବ୍ରାହ୍ମଣ ଘରକୁ ଗଲେ ନାହିଁ । ପଡିଶା ଲୋକମାନେ ବ୍ରାହ୍ମଣଙ୍କୁ କହିଲେ, “ ପିଲାଟି ବେଳୁ ଛୁଆଟାକୁ ମାରିଦିଅ । ବଡ ହୋଇଗଲେ ସେ ବହୁତ ଉତ୍ପାତ କରିବ । ” ବ୍ରାହ୍ମଣ କାହା କଥା ଶୁଣିଲା ନାହିଁ । ସାପଟିକୁ ନିଜର ପୁଅ ବୋଲି ମନେକରି ପାଳିଲେ ।
ପ୍ରତିଦିନ ସାପଛୁଆଟିକୁ ବ୍ରାହ୍ମଣୀ ଗାଧୋଇ ଦେଇ ଦୁଧଭାତ ଖୁଆଇ ଦିଏ । ତା’ପରେ ପେଡିରେ ନରମ ବିଛଣା କରି ସେଥିରେ ତାକୁ ଶୁଆଇ ଦିଏ । ବ୍ରାହ୍ମଣୀର ସ୍ନେହ ଆଦର ପାଇ ସାପ ଛୁଆଟି ଦିନକୁ ଦିନ ବଢିବାକୁ ଲାଗିଲା । ଗାଁର ଲୋକମାନେ ବ୍ରାହ୍ମଣଙ୍କୁ ଥଟ୍ଟା କରି ଇଆଡୁ ସିଆଡୁ କହନ୍ତି । ବ୍ରାହ୍ମଣ ସେସବୁ ଶୁଣି ଚୁପ୍ ହୋଇରହେ । ଯାହାସବୁ ଠାକୁରଙ୍କୁ ଜଣାଏ, “ ହେ ପ୍ରଭୁ ! ପିଲାଟିଏ ନ ଦେଇଥିଲ ନାହିଁ, ଦେଇକି ପୁଣି ଲୋକହସା କଲ କାହିଁକି? ” ବାହାଘର ତିଥିରେ ପୁଅଝିଅମାନଙ୍କର ବାହାଘର ହୁଏ । ବାଜା ବାଜେ, ହୁଳହୁଳି ପଡେ ଓ ଭୋଜିଭାତ ହୁଏ । ତାହା ଦେଖି ବ୍ରାହ୍ମଣୀ ଭାବେ, “ ମୋ ପୁଅ କ’ଣ ବାହା ହେବ ନାହିଁ । ହାୟରେ କପାଳ । ” ପୁଣି କେତେ ବେଳେ ମନକୁ ବୁଝାଏ, “ ଯିଏ ମୋ ପୁଅକୁ ଜନ୍ମ ଦେଇଛି, ସେ ତା’ ପାଇଁ ନିଶ୍ଚୟ ଝିଅଟିଏ ରଖିଥିବେ । ”