ଦିନେ ବ୍ରାହ୍ମଣ ପୂଜାପାଠ କରି ଘରକୁ ଫେରିଲାବେଳକୁ ଦେଖିଲା ତା’ ସ୍ତ୍ରୀ କାନ୍ଦୁଛି । କାନ୍ଦିବାର କାରଣ ପଚାରିବାରୁ ସେ କିଛି ନ କହି ଖୁବ୍ ଜୋର୍ରେ କାନ୍ଦିବାକୁ ଲାଗିଲା । କାହିଁକି କାନ୍ଦୁଛୁ ନ ଜାଣିଲେ ମୁଁ କ’ଣ କରିବି?
ବ୍ରାହ୍ମଣୀ ବ୍ରାହ୍ମଣଙ୍କୁ କହିଲା, “ ତୁମେ ଦିନଯାକ ବାହାରେ ବୁଲୁଛ । ମୋ ମନ କ’ଣ ହେଉଛି କାହିଁକି ଜାଣ । ଏକୁଟିଆ ଘରେ ବସି ବସି ଅଧା ଆୟୁସ ଗଲାଣି । ସମସ୍ତେ ପୁଅ ଜନ୍ମ କରି ତାଙ୍କୁ ବିବାହ ବ୍ରତ କରୁଛନ୍ତି । ପୁଅକୁ ବାହାକରି ବୋହୁ ଘରକୁ ଆଣୁଛନ୍ତି । ନାତିନାତୁଣୀ ମେଳରେ ସେମାନଙ୍କର ଦିନ ସୁଖରେ କଟିଯାଉଛି । ମୋ କର୍ମ ଏମିତି ଯେ, ମୋର କିଛି ନାହିଁ । ପୁଅ ଆସି ଏତେ ବୟସର ହେଲାଣି; ମାତ୍ର ତା’ ବାହାଘର ବିଷୟ ଦିନେ ହେଲେ ତ ତୁମ ପାଟିରୁ ବାହାରୁ ନାହିଁ । ”
ବ୍ରାହ୍ମଣ ଏସବୁ ଶୁଣିସାରି କହିଲା, “ ପୁଅର ବାହାଘର? କି କଥା ଯେ ତୁମେ କୁହ? ସାପ ପୁଅକୁ କିଏ କନିଆଁ ଦେବ କହିଲ । ”
ବ୍ରାହ୍ମଣର କୌଣସି କଥା ବ୍ରାହ୍ମଣୀ ଶୁଣିଲା ନାହିଁ । ଏକା ଜିଦ୍ କଲା । “ ମୋର ପୁଅ ଏଇବର୍ଷ ଯେମିତି ହେଲେ ବାହା ହେବ । ତେଣୁ ତା’ ପାଇଁ କନିଆଁ ଖୋଜ । ” ବିଚରା ବ୍ରାହ୍ମଣ ବଡ ଅଡୁଆରେ ପଡିଗଲା । ସେ ଭଲଭାବରେ ଜାଣିଥିଲା ଯେ, ସାପକୁ କେହି ଝିଅ ଦେବାକୁ ରାଜି ହେବେ ନାହିଁ । ସ୍ତ୍ରୀକୁ ଶାନ୍ତି କରିବା ପାଇଁ ବ୍ରାହ୍ମଣ ବାହାରିଲା ବୋହୂ ଖୋଜିବାପାଇଁ ।
ବ୍ରାହ୍ମଣ ଚିନ୍ତା କଲା, ପାଖ ପଡୋଶୀ ଗାଆଁମାନଙ୍କରେ ଯଦି ଏକଥା କହିବି, ତା’ ହେଲେ ମୋତେ ସମସ୍ତେ ଉପହାସ କରିବେ । ତେଣୁ ଦୂର ଗାଁରେ କହିବା ବହୁତ ଭଲ ହେବ । ଏହିପରି ଚିନ୍ତାକରି ସେ କିଛି ଦୂର ଚାଲିଯାଇ ଗୋଟିଏ ବଡ ସହରରେ ପହଁଚିଲା । ସେଠାରେ ତା’ର ଜଣେ ପରିଚିତ ବନ୍ଧୁ ରହୁଥିଲେ । ତାଙ୍କ ସାଙ୍ଗରେ ଭେଟ ହେବାରୁ ସେ ବହୁତ ଖୁସି ହୋଇ ବ୍ରାହ୍ମଣଙ୍କୁ ନିଜ ଘରକୁ ଡାକିନେଲେ । ବ୍ରାହ୍ମଣ ସେଠାରେ ଖାଇବା ପିଇବା କରି ବନ୍ଧୁଙ୍କ ସାଙ୍ଗରେ କିଛି ସମୟ ସୁଖ ଦୁଃଖ ହେଲା । ଖରା କମି ଆସିବାରୁ ତାଙ୍କଠାରୁ ବିଦାୟ ମାଗି ନିଜ କାମରେ ଯିବାକୁ ବାହାରିଲା ।